ସାବିତ୍ରୀ’ରେ ଚାଲିଗଲା ସ୍ୱାମୀର ଜୀବନ, ଚଢ଼ିଗଲା ବୋଲେରୋ

ଆଜି ସାବିତ୍ରୀ ଅମାବାସ୍ୟା । ସ୍ୱାମୀଙ୍କ ଦୀର୍ଘାୟୁ ଜୀବନ କାମନା କରି ସ୍ତ୍ରୀ ବ୍ରତ ପାଳିଛନ୍ତି । ସବୁଠି ଖୁସିର ମାହୋଲ । ଶଙ୍ଖାସିନ୍ଦୁର, ଚନ୍ଦର,ଫଳଫୁଲ ନେଇ କିଏ ମନ୍ଦିରରେ ତ ଆଉ କିଏ ଘରେ ପୂଜା କରିଛନ୍ତି । ଏ ଖୁସିର ମାହୋଲ ଭିତରେ ଯଦି ପତ୍ନୀର ମଥାର ସିନ୍ଦୂର ଲିଭିଯାଏ, ସ୍ୱାମୀଙ୍କୁ ଅପେକ୍ଷା କରିଥିବା ସ୍ତ୍ରୀର ଚୁଡ଼ି ଯଦି ଭାଙ୍ଗିଯାଏ ତାହେଲେ …।

ହଁ ବେଳେବେଳେ ଦୁଃଖ ଏମିତି ଆସିଥାଏ । ହସୁଥିବା ଚେହେରା ହଠାତ୍ ମଳିନ ପଡ଼ିଯାଏ । ଆଖିରେ ଧାରଧାର ଲୁହ ଆସେ । କୋହ ସମ୍ଭାଳିପାରେନି ସ୍ତ୍ରୀ । ଏମିତି ଏକ ହୃଦୟ ବିଦାୟକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା-ଭରସୁଜା ରାସ୍ତାରେ । ମହିଳାଙ୍କ ସ୍ୱାମୀ, ଭାଇ ଓ ଭାଇଙ୍କ ସାଙ୍ଗ ସବୁଦିନ ପାଇଁ ଦୁନିଆରୁ ବିଦାୟ ନେଇଛନ୍ତି ।

ସ୍ୱାମୀ ଘରେ ବହଞ୍ଚିଥିଲେ ବ୍ରତ ଭାଙ୍ଗିଥାଆନ୍ତେ ପତ୍ନୀ । କିନ୍ତୁ ସବୁ ବିଧାତାର ଖେଳ, ଘରକୁ ଆସିଲା ଦୁଃଖଦ ଖବର । ଫେରୁଥିବା ବେଳେ ବୋଲେରୋ ଚଢ଼ି ଚାଲିଗଲା ସ୍ୱାମୀଙ୍କ ଜୀବନ । ସାବିତ୍ରୀରେ ଲିଭିଗଲା ସଧବାଙ୍କ ସିନ୍ଦୂର । ବୋଲେରୋ ଦୁର୍ଘଟଣାରେ ୩ ଜୀବନ ଚାଲିଗଲା । ଆଜି ସାବିତ୍ରୀ ବ୍ରତ ଥିବାରୁ ପୂଜା କରିଥିଲେ ସଦେଇପାଲି ଗାଁର ତୁଳସୀରାମ ପଟେଲଙ୍କ ସ୍ତ୍ରୀ । ଆଉ ବାପ ଘର ରୋତ ଗାଁକୁ ବୁଲିବା ପାଇଁ ଯାଇଥିବା ସ୍ୱାମୀଙ୍କ ଫେରିବା ବାଟକୁ ଅନାଇ ବସିଥିଲେ । ଭାଇ ରାଜେଶ ପଟେଲ ଓ ତାଙ୍କ ସାଙ୍ଗ କୁଶଙ୍ଗ ଗାଁର ସୁରଞ୍ଜନ ପଟେଲ ସହ ତୁଳସୀରାମ ବାଇକ୍‌ରେ ଘରକୁ ଫେରୁଥିବା ବେଳେ କରକାଚିଆ ଛକରେ ଦୁର୍ଘଟଣାରେ ସମ୍ମୁଖୀନ ହେଲେ।

ଆଗରୁ ଦ୍ରୁତ ଗତିରେ ଆସୁଥିବା ବୋଲେରୋ ତୁଳସୀରାମଙ୍କ ବାଇକ୍‌ ଉପରେ ଚଢ଼ିଗଲା । ସେଠାରେ ୩ ଜଣ ରାସ୍ତାରେ ଗୁରୁତର ହୋଇ ପଡ଼ିଥିଲେ । ବିଦ୍ୟୁତ ମରାମତି କରୁଥିବା କର୍ମଚାରୀମାନେ ଉଦ୍ଧାର କରି ଲୋଇସିଂହା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଡାକ୍ତର କିନ୍ତୁ ତିନିଜଣଙ୍କୁ ମୃତ ଘୋଷଣା କରିଥିଲେ । ଲୋଇସିଂହା ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସାବିତ୍ରୀରେ ସ୍ୱାମୀର ଦୀର୍ଘାୟୁ କାମନା କରି ବ୍ରତ ପାଳୁଥିବା ସ୍ତ୍ରୀ ଶେଷରେ ବିଧବା ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *