
ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଂଚଳରେ ବାଲି ମାଫିଆଙ୍କ ଆତଙ୍କରାଜ I ବେଆଇନ ଭାବେ ଗଛିତ ରଖିଥିବା ବାଲିକୁ ଜବତ ଲାଗି ଯାଇଥିବା ଥାନା ଅଧିକାରୀଙ୍କୁ ମାଡ଼ ମାରିଛନ୍ତି I ପଥର ମାରି ପୁଲିସ ଭ୍ୟାନ୍ କୁ ବି ଭାଙ୍ଗିଛନ୍ତି I
କପ୍ତିପଦା ଥାନାର ଭାରପ୍ରାପ୍ତ ଅଧିକାରୀ ପ୍ରକାଶ ରଥ ସୂଚନା ଦେଇଛନ୍ତି ଏହି ଅଂଚଳରେ ଚୋରା ବାଲି ଓ ପଥର ଚାଲାଣ ବଢ଼ିବାରେ ଲାଗିଛି I ଏହାକୁ ରୋକିବା ପାଇଁ କପ୍ତିପଦା ଉପଜିଲ୍ଲାପାଳଙ୍କ ନିର୍ଦେଶରେ ସେ ଓ ଅତିରିକ୍ତ ତହସିଲଦାର ଉମାକାନ୍ତ ମାଝୀ ମଙ୍ଗଳବାର ରାତି ପ୍ରାୟ ୧୧ ଟାରୁ ୩ଟା ଯାଏ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ I
ସେହି ରାତିରେ ଡାହିସାହି ନିକଟସ୍ତ ଖପରପାଳ ଘାଟରେ ବେଆଇନ ଭାବେ ଗଛିତ ରଖାଯାଇଥିବା ବିପୁଳ ପରିମାଣର ବାଲି ଜବତ କରିଥିଲେ I ଘେରା ନାମକ ଜଣେ ବ୍ୟକ୍ତି ଓ ଅନ୍ୟ କିଛି ମାଫିଆ ଏହି ବାଲି ରଖିଥିବା ଜାଣିବାକୁ ପାଇ ବାଲି ନ ଉଠେଇବା ପାଇଁ ତାଗିଦ କରିଥିଲେ I ତେବେ ତା ଆର ଦିନ ସକାଳେ ଘଟଣାସ୍ଥଳରେ ପହଂଚିବା ବେଳକୁ ଉକ୍ତ ଜବତ ବାଲିକୁ ମାଫିଆମାନେ ରାତାରାତି ଉଠାଇ ନେଇଥିଲେ I
ପୋଲିସ ଅଭିଯୁକ୍ତ ଘେରାକୁ ଖୋଜିବାବେଳେ ଘେରାର ସ୍ତ୍ରୀ ସମେତ ଅନେକ ମହିଳା ହଠାତ ଆଇଆଇସିଙ୍କୁ ସଙ୍ଘବଦ୍ଧ ଆକ୍ରମଣ କରିଥିଲେ I ତାଙ୍କୁ ପଥର ମାରିବା ସହ ଗାଡିକୁ ଭଙ୍ଗାରୁଜା କରିଥିଲେ I
ଏହି ଆକ୍ରମଣରେ ଆଇଆଇସି ଆହତ ହୋଇ କପ୍ତିପଦା ଡାକ୍ତରଖାନରେ ଚିକିତ୍ସା ପରେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ I ପୋଲିସଙ୍କୁ ଆକ୍ରମଣ ଘଟଣାକୁ ପ୍ରଶାସନ ଗୁରୁତ୍ୱର ସହ ନେଇଥିଲା I ଏହି ମାଫିଆଙ୍କୁ ଧରିବା ପାଇଁ କପ୍ତିପଦା ତହସିଲଦାର, ପରିବହନ ଅଧିକାରୀଙ୍କ ସହ ୧ ପ୍ଲାଟୁନ ପୋଲିସ ଫୋର୍ସ ତୁରନ୍ତ ଡାହିସାହି ଗ୍ରାମରେ ପହଂଚିଥିଲେ I
ପୁରା ଗାଁ ପୋଲିସ କବ୍ଜାରେ ଆସିବା ପରେ ମାଫିଆଙ୍କ ଗଛିତ ୨୦ ଟ୍ରାକ୍ଟର ବାଲିକୁ କପ୍ତିପଦା ଥାନା ପରିସରକୁ ନେଇ ଆସିଥିଲା ପ୍ରଶାସନ I ମାଫିଆମାନେ ନିକଟସ୍ଥ ସୋନ ନଦୀରୁ ବେଆଇନ ଭାବେ ଦୈନିକ ୩୦ରୁ ୪୦ ଟ୍ରିପ ବାଲି ଉଠାଇ ଚୋରାରେ ବିକ୍ରି ଚାଲିଥିଲା ବୋଲି ଜଣାପଡିଛି I
