
କେନ୍ଦ୍ର ବିଜେପି ବିରୋଧରେ ନୀତିଶ କୁମାରଙ୍କ ଆନ୍ଦୋଳନ ଜାରି ରହିଛି । ବିରୋଧୀଙ୍କ ଏକାଠି କରି ମୋଦି ସରକାରଙ୍କୁ ହଟାଇବା ଲାଗି ଉଦ୍ୟମ ଜାରି ରଖିଛିନ୍ତି । ସେଥିପାଇଁ ଲୋକସଭା ନିର୍ବାଚନରେ ଏକଜୁଟ ହୋଇ ଲଢ଼ିବା ପାଇଁ କହିଛନ୍ତି ବିହାର ସିଏମ୍ । ଆସନ୍ତା ଶୁକ୍ରବାର ବିରୋଧୀ ଦଳ ଗୁଡ଼ିକୁ ନେଇ ପାଟନାରେ ବୈଠକ କରିବେ ନୀତିଶ । ହେଲେ ଏହା ପୂର୍ବରୁ ଆମ ଆଦମୀ ପାର୍ଟି ଆପ୍ ସର୍ତ୍ତ ରଖି ବହିଷ୍କାର ଧମକ ଦେଇଛି । ଆସନ୍ତାକାଲି ସୁଦ୍ଧା କଂଗ୍ରେସ, ଅଧ୍ୟାଦେଶ ପ୍ରସଙ୍ଗରେ ସମର୍ଥନ ଘୋଷଣା ନକଲେ ବୈଠକ ବହିଷ୍କାର କରିବ ଆପ୍ । ଆମ୍ ଆଦମୀ ପାର୍ଟି ନିଜ ଆଭିମୁଖ୍ୟ ବିରୋଧୀ ଦଳ ଗୁଡ଼ିକ ସାମ୍ନାରେ ସ୍ପଷ୍ଟ କରିଥିବା ସୂଚନା ମିଳିଛି ।

ରାଜ୍ୟସଭାରେ କଂଗ୍ରେସ ଅଧ୍ୟାଦେଶ ଉପରେ ସମର୍ଥନ କରିବାର ଆଶ୍ୱାସନା ନଦେଲେ ବିରୋଧୀଙ୍କ ବୈଠକ ବହିଷ୍କାର କରାଯିବ । ସେପଟେ, ବିରୋଧୀଙ୍କ ବୈଠକରେ କେବଳ ବିଜେପିକୁ ହରାଇବା ଉପରେ ଚର୍ଚ୍ଚା ହେବ, ଅଧ୍ୟାଦେଶ ଉପରେ କୌଣସି ଆଲୋଚନା ହେବାର ନାହିଁ । ଏହାପୂର୍ବରୁ ଆପ୍ ସଂଯୋଜକ ଅରବିନ୍ଦ କେଜରିୱାଲ ବିରୋଧୀ ନେତାଙ୍କୁ ଚିଠି ଲେଖି ଦାବି ରଖିଥିଲେ ଯେ ସର୍ବପ୍ରଥମେ ଦିଲ୍ଲୀକୁ ନେଇ ଅଣାଯାଇଥିବା କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ଉପରେ ଚର୍ଚ୍ଚା ହେଉ । ଏଥିସହ ପାଟନା ବୈଠକରେ ସବୁ ଦଳ କଂଗ୍ରେସର ଆଭିମୁଖ୍ୟ ସ୍ପଷ୍ଟ ଚାହାଁନ୍ତି ବୋଲି କହିଛନ୍ତି କେଜ୍ରିୱାଲ ।

କେଜରିୱାଲ ଅଧ୍ୟାଦେଶକୁ ଆଇନ୍ ରୂପ ଦେବା ପାଇଁ ଉଦ୍ୟମ କରିଛନ୍ତି । ତେଣୁ ମୌସୁମୀ ଅଧିବେଶନରେ ସମ୍ଭାବିତ ବିଲକୁ ରାଜ୍ୟସଭାରେ ରୋକିବାକୁ ସେ ଚାହୁଁଛନ୍ତି । ଏଥିପାଇଁ ସେ ବିରୋଧୀ ଦଳ ନେତାମାନଙ୍କୁ ଭେଟି ସମର୍ଥନ ଲୋଡ଼ିଛନ୍ତି । କେଜ୍ରିୱାଲ୍ ମେ ଶେଷ ଭାଗରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟିବାକୁ ସମୟ ମାଗିଥିଲେ ସୁଦ୍ଧା ଏଯାଏ ତାଙ୍କୁ ଭେଟଘାଟର ସମୟ ଦେଇନି ଦଳ । ତେଣୁ ଏଭଳି ସ୍ଥିତିରେ କଂଗ୍ରେସର ସମର୍ଥନ ନ ମିଳିଲେ ବିରୋଧୀ ଏକତାରୁ ଅଲଗା ହୋଇପାରେ ଆମ୍ ଆଦମୀ ପାର୍ଟି ।