Human Sagar : ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ପୂରିଲା ବର୍ଷେ, ଆଜି ବି ଝୁରୁଛି ସାରା ଓଡ଼ିଶା !

ବିତିଗଲା ବର୍ଷେ। ହେଲେ ଆଜି ବି ଭୁଲିପାରିନି ଓଡ଼ିଶା। ଆଜି ବି ସେହି ସ୍ୱର କାନରେ ବାଜି ଉଠିଲେ ଆଖିରେ ଜକେଇ ଆସୁଛି ଲୁହ। ଆଉ ମନେ ପଡ଼ିଯାଉଛି ସେହି ହସ ହସ ମୁହଁ। ଯେଉଁ କଣ୍ଠର ଯାଦୁରେ ଝୁମୁଥିଲା ସାରା ଓଡ଼ିଶା, ସେହି କଣ୍ଠ ଆଜି ସବୁଦିନ ପାଇଁ ନିରବ। ହେଲେ ଓଡ଼ିଆ ସଙ୍ଗୀତପ୍ରେମୀଙ୍କ ହୃଦୟରେ ଆଜି ବି ଜୀବିତ ଅଛନ୍ତି ହ୍ୟୁମାନ ସାଗର।

୨୦୨୫ ନଭେମ୍ବର ୧୭ ତାରିଖ। ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଥିଲା ଏକ କଳା ଦିନ। ରାତି ୯ଟା ୦୮ ମିନିଟରେ ଭୁବନେଶ୍ୱର ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ନିମୋନିଆ, ଯକୃତ ସମସ୍ୟା ଓ ଏକାଧିକ ଅଙ୍ଗ ଅକାମୀ ହେବା ଭଳି ଗୁରୁତର ଶାରୀରିକ ଜଟିଳତା ସହ ସଂଘର୍ଷ କରି ଶେଷରେ ହାରିଯାଇଥିଲେ ହ୍ୟୁମାନ।

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ମାଟିରୁ ଆରମ୍ଭ ହୋଇଥିଲା ତାଙ୍କ ସଙ୍ଗୀତ ଯାତ୍ରା। ୨୦୧୨ରେ ଭଏସ୍ ଅଫ୍ ଓଡ଼ିଶାର ବିଜେତା ହେବା ପରେ ବଦଳିଯାଇଥିଲା ତାଙ୍କ ଭାଗ୍ୟ। ନିଜର ନିଆରା କଣ୍ଠ ଓ ହୃଦୟସ୍ପର୍ଶୀ ଗୀତ ମାଧ୍ୟମରେ ଲକ୍ଷ ଲକ୍ଷ ଶ୍ରୋତାଙ୍କ ମନ ଜିଣିଥିଲେ ସେ।

ଆଜି ତାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ପୁଣି ଭାବବିହ୍ୱଳ ହୋଇପଡ଼ିଛନ୍ତି ପରିବାର ଓ ପ୍ରଶଂସକ। ପୁରୀ ବେଳାଭୂମିରେ ହ୍ୟୁମାନଙ୍କ ସ୍ମୃତିରେ ନିର୍ମାଣ କରାଯାଇଛି ବାଲୁକା କଳା। ସେଠାରେ ପହଞ୍ଚି ତାଙ୍କ ଝିଅ ନ୍ୟୁ ଏଞ୍ଜେଲ ସାଗର ବାପାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ତାଙ୍କ ସ୍ମୃତିରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ହ୍ୟୁମାନ ଆଜି ଆମ ଗହଣରେ ନାହାନ୍ତି ସତ, କିନ୍ତୁ ତାଙ୍କ ଗୀତ ଆଜି ବି କୋଟି କୋଟି ସଙ୍ଗୀତପ୍ରେମୀଙ୍କ ହୃଦୟରେ ଗୁଞ୍ଜରିତ ହେଉଛି। କାରଣ କଳାକାରଙ୍କ ମୃତ୍ୟୁ ହୋଇପାରେ, କିନ୍ତୁ ତାଙ୍କ କଳା କେବେ ମରେନାହିଁ।