ରାଜ୍ୟରେ ନିଆଁ ବର୍ଷା, ଅସହ୍ୟ ତାତି ସହ ଗୁଳୁଗୁଳି

ରାଜ୍ୟରେ ନିଆଁ ବର୍ଷା । ଅସହ୍ୟ ତାତି ସହ ଗୁଳୁଗୁଳି । ଆଜି ଦିନ ୧୧.୩୦ ସୁଦ୍ଧା ୩ ସହରର ତାପମାତ୍ରା ୪୦ ଡିଗ୍ରୀ ପାର୍ ହୋଇଛି । ସମ୍ବଲପୁର ଓ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ସେଠାରେ ତାପମାତ୍ରା ଥିଲା ୪୨.୬ ଡିଗ୍ରୀ । ହୀରାକୁଦରେ ୪୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱରରେ ୩୯.୮ ଡିଗ୍ରୀ, କେନ୍ଦୁଝରରେ ୩୯ ଡିଗ୍ରୀ ରେକର୍ଡ କରାଯାଇଛି । ଗୋପାଳପୁରରେ ୭୯ ପ୍ରତିଶତ ଆର୍ଦ୍ରତା ରେକର୍ଡ ହୋଇଥିବା ବେଳେ ପୁରୀରେ ୭୬% ଆର୍ଦ୍ରତା ରେକର୍ଡ କରାଯାଇଛି । ଝାରସୁଗୁଡ଼଼ାରେ ସବୁଠୁ ଅଧିକ ତାତି ଥିବାବେଳେ ୨୬ ପ୍ରତିଶତ ଆର୍ଦ୍ରତା ଥିବା ସୂଚନା ମିଳିଛି ।

ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସିଭିୟର ହିଟଓ୍ବେଭ୍ ପାଇଁ ପଶ୍ଚିମ ଓଡ଼ିଶାକୁ ଆଲର୍ଟ କରାଯାଇଛି । ସେହିପରି ୧୯ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମପ୍ରବାହ ଆହୁରି ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଜାରି ରହିବ । ଦିନବେଳା ପ୍ରବଳ ଗରମ ଓ ଗୁଳୁଗୁଳିରେ ସନ୍ତଳି ହେ ରାଜ୍ୟବାସୀ ।

ସେପଟେ, କାଳବୈଶାଖୀ ଜନିତ ଝଡ଼ବର୍ଷା ହେବାର ମଧ୍ୟ ଆଶଙ୍କା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୬ ଜିଲ୍ଲାରେ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଥିବା ବେଳେ ୯ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି । ଏ ନେଇ ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କୋରାପୁଟ, ମାଲକାନଗିରି, କେନ୍ଦୁଝର,ମୟୂରଭଞ୍ଜ,ବାଲେଶ୍ୱର,ଭଦ୍ରକ ଭଳି ୬ଟି ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ସହ ଘୂର୍ଣ୍ଣିଝଡ଼ ହୋଇପାରେ । ଏଥିସହ ୯ଟି ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ସହ ଝଡ଼ବର୍ଷା କିମ୍ବା ବଜ୍ରପାତ ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Leave a Reply

Your email address will not be published. Required fields are marked *