ସକାଳୁ ସକାଳୁ ରାଜଧାନୀରେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ତାତି ଅସହ୍ୟ ହେଲାଣି ରାଜଧାନୀବାସୀଙ୍କ ପାଇଁ। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ସକାଳ ସାଢେ ୫ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୦.୨ ଡିଗ୍ରି ରେକର୍ଡ କରାଯାଇଛି। ଏହାଛଡ଼ା ଏଠାରେ ୯୨% ଆର୍ଦ୍ରତା ଥିବା ସ୍ପଷ୍ଟ ହୋଇଛି। ଆହୁରି ମଧ୍ୟ କୁହାଯାଇଛି ଯେ, ଆଗାମୀ ୩ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଏହାର ପ୍ରଭାବରେ ୧୮ ତାରିଖ ଯାଏ ରାଜ୍ୟରେ ଭୀଷଣ ଗ୍ରୀଷ୍ମପ୍ରବାହ ଜାରି ରହିବ। ୧୮ ଯାଏଁ କେତେକ ଜିଲ୍ଲାରେ ତାପମାତ୍ରା ସ୍ୱାଭାବିକଠାକୁ ୫ ରୁ ୭ ଡିଗ୍ରି ଅଧିକ ରେକର୍ଡ ହେବା ସମ୍ଭାବନା ରହିଛି।
ଉଲ୍ଲେଖଯୋଗ୍ୟ, ଗତକାଲି ରାଜଧାନୀରେ ତାପମାତ୍ରା ୪୨.୪ ଡିଗ୍ରି ରେକର୍ଡ ହୋଇଥିଲା। ଏହା ସ୍ବାଭାବିକ ତାପମାତ୍ରାଠାରୁ ୭.୫ ଡିଗ୍ରି ଅଧିକ ଥିଲା। ସେହିଭଳି କଟକର ତାପମାତ୍ରା ସ୍ବାଭାବିକଠାରୁ ୬.୮ ଡିଗ୍ରି ଅଧିକ (୪୧.୫ ଡିଗ୍ରି) ରହିଥିଲା। କେବଳ ସେତିକି ନୁହେଁ, ଗତକାଲି କେନ୍ଦ୍ରାପଡ଼ାରେ ୪୦ ଡିଗ୍ରି, ଢେଙ୍କାନାଳରେ ୪୨.୫ ଡିଗ୍ରି, ଭଦ୍ରକରେ ୪୧.୫ ଡିଗ୍ରି, ବାଲେଶ୍ବରରେ ୪୦.୬ ଡିଗ୍ରି ରେକର୍ଡ ହୋଇଥିଲା। ଅନ୍ୟପକ୍ଷରେ ପଶ୍ଚିମ ଓଡ଼ିଶାରେ ବି ନିଆଁବର୍ଷା ଜାରି ରହିଥିଲା। ପୁଣି ଝାରସୁଗୁଡ଼ା (୪୪.୮ଡିଗ୍ରି) ରାଜ୍ୟର ସବୁଠୁ ତତଲା ଅଞ୍ଚଳ ପାଲଟିଥିଲା। ସ୍ବାଭାବିକଠାରୁ ସେଠାରେ ୮.୭ ଡିଗ୍ରି ଅଧିକ ରହିଥିଲା। ହୀରାକୁଦରେ ୪୪.୧ ଡିଗ୍ରି (ସ୍ବାଭାବିକଠାରୁ ୭.୩ ଡିଗ୍ରି ଅଧିକ), ସୁନ୍ଦରଗଡ଼ଠାରେ ୪୪ ଡିଗ୍ରି (୭.୧ ଡିଗ୍ରି ଅଧିକ), ସମ୍ବଲପୁରଠାରେ ୪୩.୯ ଡିଗ୍ରି (୭.୩ ଡିଗ୍ରି ଅଧିକ) ରହିଥିଲା। ଅର୍ଥାତ୍ ରାଜ୍ୟର ମୋଟ୍ ୨୫ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ବେଳେ ୪ ସହରର ତାପମାତ୍ରା ୪୪ ଡିଗ୍ରି ଓ ୪ ସହରର ତାପମାତ୍ରା ୪୩ ଡିଗ୍ରି ଉପରେ ରହିଥିଲା। ଏଥିସହ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୪ ଡିଗ୍ରିରୁ ଅଧିକ ରହିଥିଲା।