
ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଗ୍ରାମକୁ ନାହିଁ ପକ୍କା ରାସ୍ତା, ସ୍ବାସ୍ଥ୍ୟ ସେବା ଏବଂ ପାନୀୟ ଜଳ ଯୋଗାଣ । ତେବେ ଏ କୌଣସି ଉପାନ୍ତ ଅଞ୍ଚଳ ଘଟଣା ନୁହେଁ, ଖଣି ପ୍ରବଣ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ କଣ୍ଡରା ପଞ୍ଚାୟତ ଜୁଗୁଡ଼ିଧର ହାତନାଦା ଗ୍ରାମରେ ଦେଖିବାକୁ ମିଳିଛି ଏହିଭଳି ଦୃଶ୍ୟ । ସେଠାରେ ଲୋକଙ୍କ ପାଖରେ ସାଧାରଣ ସୁବିଧା ମଧ୍ୟ ପହଞ୍ଚି ପାରିନାହିଁ । ସରକାରୀ ବ୍ୟବସ୍ଥା ସତେ ଯେମିତି ଏଠାରେ ଫେଲ ମାରିଛି ! ତେବେ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ସତ୍ତ୍ବେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ ।

କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ କଣ୍ଡରା ପଞ୍ଚାୟତ ଜୁଗୁଡ଼ିଧର ହାତନାଦା ଗ୍ରାମର ଗ୍ରାମବାସୀ ଅନେକ ସମସ୍ୟା ମଧ୍ୟରେ କାଳ କାଟୁଛନ୍ତି। ବିଭିନ୍ନ ସରକାରୀ ଯୋଜନା ସେମାନଙ୍କ ନିକଟରେ ଅପହଞ୍ଚ ହୋଇରହିଛି। ପ୍ରାୟ ୫୦ ରୁ ଉର୍ଦ୍ଧ୍ବ ପରିବାରକୁ ନେଇ ଗଢି ଉଠିଥିବା ଏହି ଗ୍ରାମକୁ ଯିବା ଆସିବା ନିମନ୍ତେ ସବୁଦିନିଆ ରାସ୍ତା ନ ଥିବାରୁ ଗମନା ଗମନ କ୍ଷେତ୍ରରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହି ଗ୍ରାମବାସୀ। ଖାଲଖମାରେ ଭର୍ତ୍ତି ସହ ଜଙ୍ଗଲିଆ ରାସ୍ତାରେ ଯାତାୟତ ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଜୁଗୁଡ଼ିଧର ସବନବନ୍ଧ ଠାରୁ ଗାଁ ପର୍ୟ୍ୟନ୍ତ ଅଳ୍ପ କିଛି ଦୂର ପର୍ୟ୍ୟନ୍ତ ପକ୍କା ରାସ୍ତା ରହିଥିବା ବେଳେ ସେଠାରୁ ଜୁରିଆସାହି ଠାରୁ ହାତନାଦା ଗ୍ରାମକୁ ରାସ୍ତା ନାହିଁ। ବିପଦପୂର୍ଣ୍ଣ ଜଙ୍ଗଲିଆ ରାସ୍ତାକୁ ଅତିକ୍ରମ କଲେ ହାତନାଦାରେ ପହଞ୍ଚିବାକୁ ପଡେ । ଜଙ୍ଗଲିଆ ସଂକୀର୍ଣ୍ଣ ରାସ୍ତା ଥିବାରୁ ସେଠାକୁ ଜରୁରୀ କାଳୀନ ଆମ୍ବୁଲାନସ ମଧ୍ୟ ପହଞ୍ଚି ପରୁ ନାହିଁ । ଅନେକ ସମୟରେ ରୋଗୀଙ୍କୁ ସାଇକେଲରେ ବୋହି ଦୂରରେ ଥିବା ଆମ୍ବୁଲାନସକୁ ପହଞ୍ଚାଇ ଥାଆନ୍ତି।

ଅନ୍ୟପଟେ ଉକ୍ତ ଗ୍ରାମରେ ପାନୀୟ ଜଳର ସମସ୍ୟା ରହିଛି। ଏଠାରେ ଦୁଇଟି ନଳକୂପ ଓ ଗୋଟିଏ କୂଅ ରହିଥିଲେ ହେଁ ଖରା ଦିନରେ ଏହା ଶୁଷ୍କ ହୋଇ ଜଳସ୍ତର ହ୍ରାସ ପାଉଥିବାରୁ ଲୋକେ ପାନୀୟ ଜଳର ସଂକଟ ଦେଖା ଦେଇଥାଏ। ଜିଲ୍ଲା ଖଣିଜ ପ୍ରତିଷ୍ଠାନ ତରଫରୁ ହାତନାଦା ସାହିରେ ସୌର ଚାଳିତ ଜଳ ପ୍ରକଳ୍ପ ସ୍ଥାପିତ ହୋଇ ଥିଲେ ହେଁ ଏହା ମରାମତି ଅଭାବରୁ ବର୍ଷ ବର୍ଷ ଧରି ଅଚଳାବସ୍ଥା ପଡ଼ି ରହିଛି ।
ସେହିପରି ଉକ୍ତ ଗ୍ରାମରେ ବିଦ୍ୟୁତ୍ ଆଲୋକର ବଡ ସମସ୍ୟା ରହିଛି। ଜଙ୍ଗଲ ମଧ୍ୟରେ ଲୋକେ ରହିଥିବାରୁ ରାତ୍ରି ସମୟରେ ବନ୍ୟ ଜନ୍ତୁଙ୍କ ଯଥେଷ୍ଟ ଭୟ ରହିଛି। ଲୋକେ ଅସୁରକ୍ଷିତ ଅବସ୍ଥାରେ ରାତିରେ ନିଆଁ ଜାଳି ରାତି କଟାଇ ଥାଆନ୍ତି। ଏହି ଗ୍ରାମରେ ବିଦ୍ୟୁତ୍ ଖୁଣ୍ଟ ଲଗାଯାଇ ଥିଲେ ହେଁ ଲୋକଙ୍କୁ ସ୍ଥାୟୀ ଭାବେ ବିଦ୍ୟୁତ୍ ସଂଯୋଗ ମିଳିନାହିଁ । ଲୋକେ ନିଜ ଖର୍ଚ୍ଚରେ ତାର ଲଗାଇ ବିଦ୍ୟୁତ୍ ଖୁଣ୍ଟରୁ ଅସୁରକ୍ଷିତ ଭାବେ ବିଦ୍ୟୁତ୍ ବ୍ୟବହାର କରୁଛନ୍ତି। ଏଥିପ୍ରତି ବିଭାଗୀୟ ଅଧିକାରୀ ମାନେ ଦୃଷ୍ଟି ଦେବାକୁ ଦାବି ହୋଇଛି। ଏଠାରେ କିଛି ବର୍ଷ ପୂର୍ବେ ବ୍ଲକ ପକ୍ଷରୁ ସୋଲାର ଲାଇଟର ବ୍ୟବସ୍ଥା କରାଯାଇଥିଲେ ହେଁ ତାହା ମଧ୍ୟ ବର୍ଷ ବର୍ଷ ହେଲା ଅଚଳ ହୋଇ ପଡ଼ିରହିଛି।