ଯଦି ରାଷ୍ଟ୍ରପତିଙ୍କ ପ୍ରତି ଏତେ ଭଲପାଇବା ଥିଲା ତେବେ କାହିଁକି ତାଙ୍କ ବିରୋଧରେ ପ୍ରାର୍ଥୀ ଦେଲେ: ଆଜାଦ

ଆସନ୍ତା କାଲି ନୂତନ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ମୋଦୀ ଉଦଘାଟନ କରିବେ । ଏହି ସମାରୋହକୁ କଂଗ୍ରେସ ଏବଂ ସମାନ ବିଚାରଧାରା ରଖୁଥିବା ଦଳ ବିରୋଧ କରୁଛନ୍ତି । ବିରୋଧିଙ୍କ ବିରୋଧ ଉପରେ ବର୍ତ୍ତମାନ କଂଗ୍ରେସର ପୂର୍ବତନ ନେତା ଗୁଲାମ ନବୀ ଆଜାଦ ବିରୋଧୀ ଦଳର ଏହି ଷ୍ଟାଣ୍ଡକୁ ସମାଲୋଚନା କରିଛନ୍ତି ।

ଗୁଲାମ ନବୀ ଆଜାଦ କହିଛନ୍ତି, ବିରୋଧୀ ଦଳ କାହିଁକି ପାଟିତୁଣ୍ଡ କରୁଛନ୍ତି ମୁଁ ବୁଝିପାରୁ ନାହିଁ । ଯେତେବେଳେ ଦେଶକୁ ଏକ ନୂତନ ସଂସଦ ମିଳୁଛି ସେମାନେ ଖୁସି ହେବା ଉଚିତ । ନବୀ କହିଛନ୍ତି, ଯଦି ମୁଁ ଦିଲ୍ଲୀରେ ଥାନ୍ତି ତେବେ ମୁଁ ନିଶ୍ଚିତ ଭାବରେ ନୂତନ ସଂସଦ ଭବନ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥା’ନ୍ତି । ଏପରି ସମୟରେ ଏକ ନୂତନ ସଂସଦ ନିର୍ମାଣ ପାଇଁ ବିରୋଧୀ ମାନେ ସରକାରଙ୍କୁ ପ୍ରଶଂସା କରିବା ଉଚିତ୍ । ହେଲେ ସେମାନେ ସରକାରଙ୍କୁ ସମାଲୋଚନା କରୁଛନ୍ତି । ବିରୋଧୀ ଏହାକୁ ବହିଷ୍କାର କରିବାକୁ ମୁଁ ଦୃଢ ବିରୋଧ କରୁଛି ବୋଲି ଆଜାଦ କହିଛନ୍ତି ।

ଗୁଲାମ ନବୀ ଆଜାଦ କହିଛନ୍ତି ଯେ, ଯେତେବେଳେ ସେ ନରସିହ୍ମା ରାଓଙ୍କ ସରକାରରେ କେନ୍ଦ୍ର ସଂସଦୀୟ ମନ୍ତ୍ରୀ ଥିଲେ, ସେତେବେଳେ ସେ ଏକ ନୂତନ ସଂସଦ ଗଠନ କରିବାର ସ୍ୱପ୍ନ ଦେଖିଥିଲେ । ସେ କହିଛନ୍ତି ମୁଁ ଏକ ନୂତନ ସଂସଦ ଗଠନ ବିଷୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନରସିହ୍ମା ରାଓଙ୍କ ସହ ଆଲୋଚନା କରିଥିଲି । ଏକ ନକ୍ସା ମଧ୍ୟ ତିଆରି କରିଥିଲୁ କିନ୍ତୁ ସେତେବେଳେ ଆମେ ତାହା କରିପାରିଲୁ ନାହିଁ ।

ସେ କହିଛନ୍ତି ଯେ, ଦେଶର ସ୍ବାଧୀନତା ପରେ ଦେଶର ଜନସଂଖ୍ୟା ୫ ଗୁଣା ବୃଦ୍ଧି ପାଇଛି ଏବଂ ସେହି ଅନୁଯାୟୀ ପ୍ରତିନିଧୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଗୁଲାମ ନବୀ ଆଜାଦ କହିଛନ୍ତି, ସେଥିପାଇଁ ନୂତନ ସଂସଦ ଭବନ ନିର୍ମାଣ କରିବାର ଆବଶ୍ୟକତା ପଡ଼ିଲା ।

ଆଜାଦ ଆହୁରି କହିଛନ୍ତି, ”ମୁଁ ନୂଆ ସଂସଦର ଉଦଘାଟନ ପାଇଁ ଅନାବଶ୍ୟକ ବିବାଦକୁ ବିରୋଧ କରୁଛି । ବିରୋଧୀଙ୍କ ପାଖେ ପ୍ରସଙ୍ଗ କିଛି କମ ନାହିଁ, ସେମାନେ ଭୁଲ ପ୍ରସଙ୍ଗ ଉଠାଉଛନ୍ତି ଏବଂ ଯଦି ବିରୋଧୀଙ୍କ ରାଷ୍ଟ୍ରପତିଙ୍କ ପ୍ରତି ଏତେ ଭଲପାଇବା ଥିଲା ତେବେ କାହିଁକି ତାଙ୍କ ବିରୋଧରେ ପ୍ରାର୍ଥୀ ଦେଇଥିଲେ ?”

Leave a Reply

Your email address will not be published. Required fields are marked *