ଗୋଟିଏ ବିବାହକୁ କେତେ ଦିନ ଲାଗେ ପଚରା ଗଲେ ସମସ୍ତେ କହିବେ ଦିନେ କି ଦୁଇ ଦିନ। ହେଲେ ରାଜସ୍ଥାନର ପାଲିରେ ଗୋଟିଏ ବିବାହ ସରି ବିଦାବିଦିକୁ ଲାଗିଗଲା ୧୩ ଦିନ। ୩ ତାରିଖରେ ବାହାଘରର ଅଧା କର୍ମ ସରିଥିଲେ ବି କନ୍ୟା ବିଦା ହେଲା ୧୬ ତାରିଖରେ। ଭାବୁ ଥିବେ କେଉଁଠି କିଛି ଅଘଟଣ ହେଇଗଲା କି? ହେଲେ ସେମିତି କିଛି ହେଉ ନ ଥିଲା। ବରଂ ଅଧା ବାହାଘରରୁ କନିଆ ହୋଇଯାଇଥିଲା ଫେରାର। ତା ପରେ ବରର ଜିଦି ପରେ କନ୍ୟାକୁ ଖୋଜିବାକୁ ଲାଗିଥିଲା ୧୩ ଦିନ। ଏହି ଘଟଣାକୁ ନେଇ ରାଜ୍ୟବ୍ୟାପୀ ଚାଲିଛି ଚର୍ଚ୍ଚା।
ରାଜସ୍ଥାନର ପାଲି ଜିଲ୍ଲା ସୈଣା ଗାଁର ସକାରାମଙ୍କ ଝିଅ ମନିଷଙ୍କ ବିବାହ ମଣାଦର ଗାଁର ଶ୍ରବଣ କୁମାରଙ୍କ ସହ ସ୍ଥିର ହୋଇଥିଲା। ୩ ତାରିଖରେ ବିବାହ ପାଇଁ ଶ୍ରବଣ କୁମାର ବର ବେଶରେ ଯାଇ ପହଞ୍ଚିଥିଲେ କନ୍ୟା ଘରେ। ବିବାହ କର୍ମ ବି ବିଧି ମୁତାବକ ଆରମ୍ଭ ହୋଇଥିଲା। ବିଳମ୍ବିତ ରାତିରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସକାଳେ ସାତ ଫେରା ରୀତି ଆରମ୍ଭ ହୋଇଥିଲା।
କର୍ମ ଅଧା ହୋଇଛି, ହାତଗଣ୍ଠି ବାକି ଅଛି। ହେଲେ କନିଆର ମିଳିନଥିଲା ଖୋଜ ଖବର। ବୁଝୁ ବୁଝୁ ନିଜ ପ୍ରେମିକ ସହ ଫେରାର ହୋଇ ଯାଇଛି। ହେଲେ ବର ଥିଲା ନଛୋଡ ବନ୍ଧା। କନ୍ୟା ନେବାକୁ ଆସିଛି ତ କନ୍ୟାକୁ ନେଇ ଯିବ। ତେଣୁ ସେମିତି ବେଦି ଉପରେ ବର ବେଶରେ ବସି ରହିଲା ବର। ବରର ଜିଦି ଦେଖି କନ୍ୟାଘର ଲୋକେ କଣ କରିବେ ବୋଲି ଭାଳେଣି ପଡିଲା। ଆରମ୍ଭ ହେଲା କନ୍ୟା ଖୋଜା ଅଭିଯାନ।
୧୩ ଦିନ କାଳ ବହୁ ଖୋଜାଖୋଜି କରିବା ପରେ କନ୍ୟା ପରିବାର କନ୍ୟାକୁ ଠାବ କରିବାରେ ସକ୍ଷମ ହୋଇଥିଲେ ଓ ଆସି ସିଧା ପହଞ୍ଚିଥିଲେ ବେଦି ନିକଟରେ। ଆଉ ୧୫ ତାରିଖରେ ଅଧା ଥିବା କର୍ମ ପୂରା କରାଗଲା ଓ ପଡ଼ିଲା ହାତଗଣ୍ଡି। ଆଉ ତା ପରଦିନ ଶ୍ରବଣ ନିଜ ପତ୍ନୀଙ୍କୁ ସାଙ୍ଗରେ ନେଇ ଖୁସି ଖୁସି ଘରକୁ ଫେରିଥିଲେ।
ଏହି ବାହା ଘରକୁ ନେଇ ଲୋକେ ନାନା କଥା ହେଉଛନ୍ତି। ଅନେକଙ୍କୁ ଶ୍ରବଣଙ୍କ ନିଷ୍ପତ୍ତି ଆଶ୍ଚର୍ଯ୍ୟ ଚକିତ କରିଛି।