ସମ୍ମାନ ଓ ଧନରାଶି ପାଇବାକୁ ସବୁ ଅନୁଷ୍ଠାନ ଅନେଇ ରହିଥାନ୍ତି। କିନ୍ତୁ ଏହାକୁ ଅସ୍ୱୀକାର କରୁଛି ଗୀତା ପ୍ରେସ। କେନ୍ଦ୍ର ପକ୍ଷରୁ ମିଳିବାକୁ ଥିବା ଏକ କୋଟିର ଧନରାଶିକୁ ମନା କରି ଦେଇଛି ପ୍ରେସ। ତେବେ ଧନରାଶିକୁ ମନା କରାଯାଇଥିବା ବେଳେ ସମ୍ମାନ ଗ୍ରହଣ କରାଯିବ ବୋଲି ଅନୁଷ୍ଠାନର କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।
୨୦୨୧ ଗାନ୍ଧୀ ଶାନ୍ତି ପୁରସ୍କାର ପାଇଁ ମନୋନିତ ହୋଇଛି ପୁରାତନ ମୁଦ୍ରଣକାରୀ ସଂସ୍ଥା ଗୀତା ପ୍ରେସ। ଏନେଇ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ହୋଇଛି ଘୋଷଣା । ପୁରସ୍କାର ଘୋଷଣା ପରେ ପ୍ରେସର ଟ୍ରଷ୍ଟି ଏଥିନେଇ କେନ୍ଦ୍ର ସରକାରକୁ କୃତଜ୍ଞତା ଜଣାଇଛନ୍ତି। କିନ୍ତୁ ପୁରସ୍କାର ରାଶି ସହ ଦିଆଯିବାକୁ ଥିବା ୧ କୋଟି ଅର୍ଥରାଶି ଗ୍ରହଣ କରାଯିବ ନାହିଁ ବୋଲି କୁହାଯାଇଛି। ଏହି ନିଷ୍ପତ୍ତି ବୋର୍ଡ ମିଟିଂରେ ନିଆଯାଇଥିବା କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି। ଗାନ୍ଧୀ ଶାନ୍ତି ପୁରସ୍କାରରେ ଏକ କୋଟି ଟଙ୍କା ଧନରାଶି ସହ ପ୍ରଶସ୍ତି ପତ୍ର, ପଟ୍ଟିକା, ହସ୍ତକଳା, ହ୍ୟାଣ୍ଡଲୁମ କଳାକୃତି ଦିଆଯିବ। କିନ୍ତୁ ପ୍ରେସ କର୍ତ୍ତୃପକ୍ଷ ଧନରାଶିକୁ ଛାଡି ବାକି ସବୁକୁ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏପରି ହେବା ଦ୍ୱାରା ଉଭୟ ସରକାର ଓ ଅନୁଷ୍ଠାନର ସମ୍ମାନରକ୍ଷା ହୋଇ ପାରିବ।
କମ ମୂଲ୍ୟରେ ଧାର୍ମିକ ପୁସ୍ତକ ପ୍ରକାଶନ ପାଇଁ ଗୀତା ପ୍ରେସ ବେଶ ଖ୍ୟାତି ଅର୍ଜନ କରିଛି। ଏହି ଅନୁଷ୍ଠାନ ଦୀର୍ଘ ୧୦୦ ବର୍ଷ ଧରି ସ୍ବଳ୍ପ ମୂଲ୍ୟରେ ଲୋକଙ୍କୁ ଯୋଗାଇ ଦେଉଛି ଧର୍ମୀୟ ପୁସ୍ତକ। ଏହି ପ୍ରସଟି ୧୯୨୩ରେ ପ୍ରତିଷ୍ଠା ହୋଇଥିଲା। ଏହା ବିଶ୍ୱର ସବୁଠାରୁ ବୃହତ୍ତ ପ୍ରକାଶନ ସଂସ୍ଥା। ଅଦ୍ୟାବଧି ସଂସ୍ଥା ଦ୍ୱାରା ୧୪ ଭାଷାରେ ୪୧.୭ କୋଟି ପୁସ୍ତକ ପ୍ରକାଶ ହୋଇ ସାରିଛି। ଏହି ସବୁ ପୁସ୍ତକ ମଧ୍ୟରେ ୧୬.୨୧ କୋଟିର କେବଳ ଶ୍ରୀମଦ୍ ଭଗବଦ ଗୀତା ରହିଛି। ସବୁଠାରୁ ବଡ କଥା, ଅନୁଷ୍ଠାନର ଜୀବନକାଳ ମଧ୍ୟରେ ଅର୍ଥ ଉପାର୍ଜନ ପାଇଁ କୌଣସି ପ୍ରକାରର ବିଜ୍ଞାପନ ଉପରେ ନିର୍ଭରଶୀଳ ନୁହେଁ। ନିଜର ପ୍ରକାଶନରୁ ଆସୁଥିବା ଅର୍ଥରେ ଏହା ପରିଚାଳିତ।