
ବିଳମ୍ବରେ ହେଲେ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରଥମ ସେବକ ତଥା ଗଜପତି ମହାରାଜ ଦୀଘାରେ ଜଗନ୍ନାଥ ମନ୍ଦିର ନିର୍ମାଣକୁ ବିରୋଧ କରିଛନ୍ତି । ଜଗନ୍ନାଥଙ୍କ ନାମରେ ପୃଥିବୀର ବିଭିନ୍ନ ସ୍ଥାନରେ ମନ୍ଦିର ରହିଛି କିନ୍ତୁ ଦୀଘା ମନ୍ଦିରକୁ ନେଇ ଏତେ ବିବାଦ କାହିିଁକି ? ଏ କଥା ସତ୍ୟ ଯେ, ନୀଳାଚଳ ଧାମ ମହାପ୍ରଭୁଙ୍କ ନିବାସ ସ୍ଥାନ ସ୍ୱଇଚ୍ଛାରେ, ସେ ମହୋଦଧି ତଟକୁ ନିଜର ବାସସ୍ଥାନ ଭାବେ ବାଛିଛନ୍ତି ଏବଂ ସାରା ବିଶ୍ୱର ଅଗଣିତ ଭକ୍ତଙ୍କୁ ବାହୁ ପ୍ରସାରୀ ଆଲିଙ୍ଗନ କରୁଛନ୍ତି । ତେଣୁ ଏ ପ୍ରସଙ୍ଗରେ ଦୀଘାରେ ନିର୍ମିତ ହେଉଥିବା ଶ୍ରୀଜଗନ୍ନାଥ ମନ୍ଦିର ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ପରିପୁରକ ନୁହେଁ । ଯେଉଁ କଥା ପାଇଁ ପଶ୍ଚିମବଙ୍ଗ ଓଡ଼ିଶା ମଧ୍ୟରେ ଟଣାଓଟରା ଲାଗିଛି ତାହା ମନ୍ଦିରର ନୁହେଁ ମନ୍ଦିରର ନାମ । ଏବଂ ଦ୍ୱିତୀୟ ମୁଖ୍ୟ କଥାଟି ହେଊଛି ବଙ୍ଗାଳୀ ପର୍ଯ୍ୟଟକ । ପୁରୀକୁ ବଙ୍ଗାଳୀ ପର୍ଯ୍ୟଟକଙ୍କ ଆଗମନ କମିଲେ ପଶ୍ଚିମବଙ୍ଗର ଲାଭ ହେବ । ଆମ ଲୋକ ପର୍ଯ୍ୟଟନରୁ ପାଉଥିବା ଅର୍ଥ ହରାଇବେ, ଏହା ଏକ ସରଳ କଥା, ଏକଥାକୁ ଓଡ଼ିଶାର ରାଜନୈତିକ ନେତୃବୃନ୍ଦ ଓ ବୁଦ୍ଧିଜୀବୀ ଭଲ ଭାବେ ଜାଣିଛନ୍ତି ।

କିନ୍ତୁ କଥାରେ ଅଛି, କୁରାଢୀରେ କାଠବେଣ୍ଟ ନ ଲାଗିଲେ ଗଛ କଟାଯାଇପାରିବ ନାହିଁ । ଆମର ମହାପ୍ରଭୁ ଜଗନ୍ନାଥଙ୍କର ସେବାୟତମାନେ ମମତା ବାନାର୍ଜୀଙ୍କ ଘରକୁ ପୁଜା କରିବାକୁ ଯାଇ ଦୀଘା ମନ୍ଦିର ନିଅଁ ପକାଇଥିଲେ ବୋଲି କହିଲେ ଚଳିବ । ପରବର୍ତ୍ତୀ ସମୟରେ କିଛି ସେବକ, ମମତା ବାନାର୍ଜୀଙ୍କ ପ୍ରତି ଏମିତି ଅନୁରକ୍ତ ହେଲେ ଯେ, ସେମାନେ ମହାପ୍ରଭୁଙ୍କର ସେବକ ନା ଦିଦିଙ୍କର ସେବକ ଠଉରାଇବା ମୁସ୍କିଲ ହେଉଥିଲା । ଆଉ ପରବର୍ତ୍ତୀ ସମୟରେ ଅଭିଯୋଗ ଆସିଲା ଯେ, ଦିଦିଙ୍କ ଅନୁରକ୍ତ ସେବକମାନେ ମହାପ୍ରଭୁଙ୍କ ମୁର୍ତ୍ତି ନିର୍ମାଣ ନିମନ୍ତେ ଦୀଘାକୁ ଦାରୁ ଯୋଗାଇଥିଲେ । ଠିକ୍ ସେହିଭଳି ଭାବେ ତତକାଳୀନ ସରକାରଙ୍କ ନିକଟତର ଥିବା ପୁରୀ ରାଜା ମଧ୍ୟ ମହାପ୍ରଭୁଙ୍କ ଜମିର ପୁନରୁଦ୍ଧାର ପାଇଁ ମମତା ବାନାର୍ଜୀଙ୍କ ନିକଟରେ କୌଣସି ଦାବି ରଖିନଥିଲେ । ନା, ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହାକୁ ଦେଖାକରିବାକୁ ସୁଦୂର ପଶ୍ଚିମବଙ୍ଗରୁ ସଡ଼କ ପଥରେ ମମତା ବାନାର୍ଜୀ ଧାଇଁ ଆସୁଥିଲେ, ସେ ମଧ୍ୟ ଏ ପ୍ରସଙ୍ଗରେ ନୀରବ ଥିଲେ ।

ବିଜେଡି ସରକାର ମଧ୍ୟ ଆନୁଷ୍ଠାନିକ ଭାବେ ଜଗନ୍ନାଥଙ୍କ ସମ୍ପତ୍ତିର ପୁନରୁଦ୍ଧାର ପାଇଁ କିଛି ଠୋସ୍ ପଦକ୍ଷେପ ନେଇ ନଥିଲେ । କିନ୍ତୁ ବିଜେପି ସରକାର କ୍ଷମତାକୁ ଆସିବା ପରେ ଏ ପ୍ରସଙ୍ଗରେ ନୀରବ ଥିବା ଗଜପତି ମହାରାଜ ଦୀଘା ଧାମ ହଟାଇବା ପାଇଁ ଆହ୍ୱାନ ଦେବା ଏକ ସନ୍ଦେହଜନକ ସ୍ଥିତି ସୃଷ୍ଟି ହେଉଛି । ନେଡ଼ିଗୁଡ଼ କହୁଣୀକୁ ବୋହିଗଲା ପରେ ଚିନ୍ତା ପଶେ ।

ଯେଉଁ ସମୟରେ ଓଡ଼ିଶା ସରକାର ପଶ୍ଚିମବଙ୍ଗ ସରକାରଙ୍କ ବିରୋଧରେ ଠୋସ୍ ପଦକ୍ଷେପ ନେଇଥାନ୍ତେ, ସେ କଥା ତ କଲେ ନାହିଁ, ଓଲଟା ପୁରୀରେ ମମତା ବାନାର୍ଜୀଙ୍କ ଅନୁରୋଧ କ୍ରମେ ଭୂମିଦାନ କରିବାର ଏକ ନାଟକ କରାଗଲା । ଜଗନ୍ନାଥଙ୍କର ଶହ ଶହ ଏକର ଜମି ପଶ୍ଚିମବଙ୍ଗରେ ଭୂ ମାଫିଆଙ୍କ ଦ୍ୱାରା ଲୁଣ୍ଠିତ ହେଉଥିବା ସମୟରେ ଦୀର୍ଘ ୨୪ ବର୍ଷର ଶାସନ ସମୟରେ ବିଜେଡ଼ି ସରକାର ସେଗୁଡ଼ିକର ଉଦ୍ଧାର କରିବା ସମ୍ପର୍କରେ କିଛି ପଦକ୍ଷେପ ନ ନେଇ ଭୂମିଦାନ କରିବା ଓଡିଶାର କେଉଁ ସ୍ୱାର୍ଥ ସାଧନ କରିବ ତାହା ଜଣାପଡ଼ୁନାହିଁ ।