ଗଜପତି: ସ୍ତ୍ରୀ’ର ମୁଣ୍ଡ ଓ ଗଣ୍ଡି ଅଲଗା କଲା ଜହ୍ଲାଦ ସ୍ୱାମୀ

କ୍ରୋଧର ସୀମା ଟପିଲା ସ୍ୱାମୀ । ଉତକ୍ଷିପ୍ତ ହୋଇ ସାତ ଜନମର ସାଥୀ, ଅଗ୍ନିକୁ ସାକ୍ଷୀ ରଖି ଯାହାକୁ ନିଜର କରିଥିଲା, ତାକୁ ହିଁ ହତ୍ୟା କଲା ଜହ୍ଲାଦ ସ୍ୱାମୀ । ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ଖାଣ୍ଡବା ପଞ୍ଚାୟତର ସାରା ଗାଁରେ ।

ପବିତ୍ର ସମ୍ପର୍କରେ ଦାଗ ଲଗାଇଲା ସ୍ୱାମୀ ଚନ୍ଦ୍ରଶେଖର କାର୍ଜି । ୩୦ ବର୍ଷୀୟା ସ୍ତ୍ରୀ ଉର୍ମିଳାଙ୍କୁ ଗଳାକାଟି ହତ୍ୟା କରିଛି ସ୍ବାମୀ ଚନ୍ଦ୍ରଶେଖର । ଟାଙ୍ଗିଆରେ ହାଣି ଗଣ୍ଡି ଓ ମୁଣ୍ଡ ଅଲଗା କରିଦେଇଛି । ଆଜି ସକାଳେ ଦୁହେଁ ବିଲକୁ କାମ କରିବାକୁ ଯାଇଥିଲେ । ଜମିବାଡ଼ି ଘଟଣାକୁ ନେଇ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଶେଷରେ ହତ୍ୟା କଲା ସୈତାନ ସ୍ୱାମୀ । ବିଲରେ ସ୍ତ୍ରୀର ମୃତଦେହ ପଡ଼ିଥିଲା । କାଶୀନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ଚନ୍ଦ୍ରଶେଖରକୁ ଗିରଫ କରିଛି । ଘଟଣାର ତଦନ୍ତ ମଧ୍ୟ ଜାରି ରଖିଛି ପୋଲିସ ।

ପାରିବାରିକ କଳହରୁ ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ମୃତ ଉର୍ମିଳା, ଅଭିଯୁକ୍ତ ଚନ୍ଦ୍ରଶେଖରଙ୍କ ଦ୍ବିତୀୟ ପତ୍ନୀ । ପ୍ରଥମ ପତ୍ନୀକୁ ପୂର୍ବରୁ ମରଣାନ୍ତକ ଆକ୍ରମଣ କରିଥିଲେ । ସେଥିପାଇଁ ପ୍ରଥମ ସ୍ତ୍ରୀ ତାକୁ ଛାଡ଼ି ଚାଲିଯାଇଛି । ଏବେ ଦ୍ୱିତୀୟ ପତ୍ନୀଙ୍କୁ ହତ୍ୟା କରି ଗିରଫ ହୋଇଛି ଅଭିଯୁକ୍ତ । ସେମାନଙ୍କ ଏକ ଦୁଇବର୍ଷୀୟ ଶିଶୁ ଥିବା ସୂଚନା ମିଳିଛି ।

କୁହାଯାଏ ରାଗ ପରମ ଚଣ୍ଡାଳ । ସାତ ଜନମର ସାଥୀ ନିଜ ପତ୍ନୀର ମୁଣ୍ଡଗଣ୍ଡି ଅଲଗା କରିବା ପରେ ମୁଣ୍ଡକୁ ଆଣି ନିଜ ଘର ଦୁଆର ବନ୍ଧରେ ଥୋଇ ଦେଇଥିଲା ଅଭିଯୁକ୍ତ ସ୍ୱାମୀ । ଗାଁ ଲୋକେ ଏହାଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ପୋଲିସକୁ ଖବର ଦେଇଥିଲେ । ୪ ବର୍ଷ ପୂର୍ବ ବିବାହ କରିଥିଲେ ଉର୍ମିଳା । ବିବାହ ପରଠାରୁ ଅଧିକାଂଶ ସମୟରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିବା ନେଇ ପଡ଼ୋଶୀ କହିଛନ୍ତି ।

Leave a Reply

Your email address will not be published. Required fields are marked *