
ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ରେଳ ସେବା ବାଧାପ୍ରାପ୍ତ ହୋଇଛି । ସେଥିପାଇଁ ଲୋକଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି । କୋଲକାତାକୁ ମାଗଣା ବସ୍ ସେବା ଆରମ୍ଭ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ପୁରୀ, ଭୁବନେଶ୍ୱର ଓ କଟକରୁ କୋଲକାତାକୁ ମାଗଣା ବସ୍ ସେବା ଯୋଗାଇ ଦିଆଯିବ । ଏ ନେଇ ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ବହନ କରାଯିବ । ବାଲେଶ୍ୱର ରୁଟରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଏହି ସେବା ଜାରି ରହିବ ବୋଲି ରାଜ୍ୟ ସରକାର କହିଛନ୍ତି ।

ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ବାଲେଶ୍ୱର ରୁଟରେ ସମସ୍ତ ଟ୍ରେନ୍ ଚଳାଚଳ ଏବେ ବନ୍ଦ ରହିଛି । କୋଲକାତା ଯାଆସ କରିବାକୁ ଲୋକେ ହଇରାଣ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ୩ଟି ସହରରୁ କୋଲକାତାକୁ ମାଗଣା ବସ୍ ସେବା ଯୋଗାଇ ଦିଆଯାଇଛି ।

ସେପଟେ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି ଯେ ମୃତ୍ୟୁ ସଂଖ୍ୟା ୨୮୮ ନୁହଁ, ୨୭୫ । ଗଣନାରେ ସାମାନ୍ୟ ତ୍ରୁଟି ଥିଲା କିନ୍ତୁ ପରେ ମୃତ୍ୟୁ ସଂଖ୍ୟା ୨୭୫ ବୋଲି ଜିଲ୍ଲାପାଳ ଫାଇନାଲ୍ ରିପୋର୍ଟ ଦେଇଛନ୍ତି । ମୃତଦେହ ଦୁଇ ଥର ଗଣନା ଯାଇଥିବାରୁ ପ୍ରଥମେ ତ୍ରୁଟି ହୋଇଥିଲା । ଭଲ ଭାବେ ଯାଞ୍ଚ ପରେ ଜିଲ୍ଲାପାଳ ରିପୋର୍ଟ ଦେଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ । ୨୭୫ଟି ମୃତଦେହ ମଧ୍ୟରୁ ୮୮ଟି ଚିହ୍ନଟ କରାଯାଇଥିବା ବେଳେ ୭୮ଟିକୁ ସଂପୃକ୍ତ ପରିବାରଗୁଡ଼ିକୁ ହସ୍ତାନ୍ତର କରାଯାଇଛି। ଆଉ ୧୦ଟି ମୃତଦେହ ହସ୍ତାନ୍ତର କରିବା ପ୍ରକ୍ରିୟା ଜାରି ରହିଛି । ୧୮୭ଟି ମୃତଦେହ ଏଯାଏ ଚିହ୍ନଟ ହୋଇପାରିନି । ସେଗୁଡ଼ିକ ମଧ୍ୟରୁ ୧୭୦ଟିକୁ ଭୁବନେଶ୍ୱର ଅଣାଯାଇଛି । ସେଗୁଡ଼ିକୁ ଏମ୍ସ ଓ ଅନ୍ୟ ହସ୍ପିଟାଲରେ ରଖାଯାଇଥିବା ନେଇ ସୂଚନା ମିଳିଛି । ୮୫ଟି ଆମ୍ବୁଲାନ୍ସରେ ମୃତଦେହଗୁଡ଼ିକୁ ଭୁବନେଶ୍ୱର ଅଣାଯାଇଛି ।