
ପୂର୍ବତନ ଫାଷ୍ଟ ବୋଲର ପ୍ରବୀଣ କୁମାରଙ୍କ କାର ଦୁର୍ଘଟଣାଗ୍ରସ୍ତ। ଦ୍ରୁତ ଗତିରେ ଆସୁଥିବା ଏକ କ୍ୟାଣ୍ଟର ପ୍ରବୀଣଙ୍କ କାରକୁ ଧକ୍କା ଦେଇଥିଲା। ଦୁର୍ଘଟଣା ବେଳେ ପ୍ରବୀଣଙ୍କ କାରରେ ତାଙ୍କ ସହ ତାଙ୍କ ପୁଅ ଥିଲେ।ମଙ୍ଗଳବାର ବିଳମ୍ବିତ ରାତିରେ ମେରଠ ସିଟିରେ ଏହି ଦୁର୍ଘଟଣା ହୋଇଛି।
ଭାରତୀୟ ଦଳର ପୂର୍ବତନ ଖେଳାଳି ପ୍ରବୀଣ କୁମାରଙ୍କ କାରରେ ଯାଉଥିବାବେଳେ ତାଙ୍କ କାରକୁ ଦ୍ରୁତ ଗତିରେ ଆସୁଥିବା କ୍ୟାଣ୍ଟର ଧକ୍କା ଦେଇଥିଲା। ତାଙ୍କ ପୁଅ ମଧ୍ୟ ସେହି ସମୟରେ ପ୍ରବୀଣଙ୍କ ସହ କାରରେ ଥିଲେ ଏବଂ ଦୁହେଁ ଦୁର୍ଘଟଣାରୁ ବଞ୍ଚି ଯାଇଥିଲେ। ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ଅଭିଯୁକ୍ତ କ୍ୟାଣ୍ଟର ଡ୍ରାଇଭରକୁ ଘଟଣାସ୍ଥଳରୁ ଧରିଥିଲା।

ପ୍ରବୀଣ କୁମାର ୪ ଜୁଲାଇ ରାତି ୧୦ ଟା ସମୟରେ ତାଙ୍କ ଲ୍ୟାଣ୍ଡ ରୋଭର ଡିଫେଣ୍ଡର ଗାଡିରେ ମେରଠ ପାଣ୍ଡବ ନାଗରରୁ ଆସୁଥିଲେ। ଗାଡି କମିଶନରଙ୍କ ବାସଭବନ ନିକଟରେ ପହଞ୍ଚିଲା ବେଳେ ତାଙ୍କ ଗାଡିକୁ ଏକ କ୍ୟାଣ୍ଟର ଆଗପଟୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ପ୍ରବୀଣଙ୍କ ଗାଡିଟି ସମ୍ପୂର୍ଣ କ୍ଷତିଗ୍ରସ୍ତ ହୋଇଥିବାବେଳେ, ସୌଭାଗ୍ୟକୁ ପ୍ରବୀଣ ଏବଂ ତାଙ୍କ ପୁଅ ବର୍ତ୍ତି ଯାଇଛନ୍ତି।
ଦୁର୍ଘଟଣା ପରେ ସିଭିଲ୍ ଲାଇନ୍ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି କ୍ୟାଣ୍ଟର ଡ୍ରାଇଭରକୁ ଧରିବାରେ ସଫଳ ହୋଇଛି। ଏହି ଦୁର୍ଘଟଣା ସମ୍ପର୍କରେ ସିଓ କହିଛନ୍ତି ଯେ ପ୍ରବୀଣ କୁମାର ଏବଂ ପୁଅ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ସୂଚନା ଅନୁଯାୟୀ ପ୍ରବୀଣ କୁମାରଙ୍କ ଘର ମେରଠ ସହରର ବାଗପାଟ ରୋଡରେ ଅବସ୍ଥିତ ମୁଲତାନ ନାଗରରେ ।

ପ୍ରବୀଣ କୁମାରଙ୍କ ଅନ୍ତର୍ଜାତୀୟ କ୍ୟାରିୟର ବିଷୟରେ କହିବାକୁ ଗଲେ, ଏକ ସମୟରେ ସେ ଟିମ୍ ଇଣ୍ଡିଆ ପାଇଁ ସୀମିତ ଓଭର ଫର୍ମାଟରେ ମୁଖ୍ୟ ବୋଲରଙ୍କ ଭୂମିକା ଗ୍ରହଣ କରୁଥିଲେ। ୨୦୦୮ ମସିହାରେ, ଯେତେବେଳେ ଅଷ୍ଟ୍ରେଲିଆରେ ଭାରତୀୟ ଦଳ ସିବି ସିରିଜ୍ ଜିତିଥିଲା, ସେତେବେଳେ ପ୍ରବୀଣ କୁମାରଙ୍କ ବୋଲିଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଥିଲା ।