ଫର୍ଣ୍ଣିଚର କାରଖାନାରେ ବନ ବିଭାଗର ଅତର୍କିତ ଚଢାଉ | ବଡ଼ବିଲ ରେଞ୍ଜ ବଲାଣି ଶାନ୍ତି ନଗର ଅଞ୍ଚଳରେ ବନ ବିଭାଗ ଟିମ ଚଢାଉ କରି ଏକ ଫର୍ଣ୍ଣିଚର କାରଖାନାରୁ ଶାଗୁଆନ, ପିଆଶାଳ, ଶାଳ, କୁରୁମ କାଠରେ ତିଆରି ପଲଙ୍କ, ଡାଇନିଂ ଟେବୁଲ୍, ଡ୍ରେସିଂ ଟେବୁଲ୍, ଆଳମୀରା ଜବତ କରିଛି |


ଏହା ସହ ବହୁ ପରିମାଣର କାଠ ପଟା ମଧ୍ୟ ଜବତ୍ କରାଯାଇଛି | ପୂର୍ବରୁ ଅଭିଯୋଗ ହୋଇଆସୁଥିଲା ପାଖ ଜଙ୍ଗଲରୁ କାଠ ଚୋରି କରି ଫର୍ଣ୍ଣିଚର ତିଆରି ହେଉଥିଲା | ଫର୍ଣ୍ଣିଚର କାରଖାନାର ମାଲିକ ସୁକାନ୍ତ ମହାରଣାକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ବନ ବିଭାଗ ଟିମ | ଆଜି ସକାଳୁ କେନ୍ଦୁଝର ଡି ଏଫ୍ ଓ ଙ୍କ ନିର୍ଦ୍ଦେଶକ୍ରମେ ବଡ଼ବିଲ ରେଞ୍ଜ ଅଧିକାରୀ ସଞ୍ଜୀବ କୁମାର ରାଉତଙ୍କ ନେତୃତ୍ବରେ ଏହି ଚଢାଉ କରାଯାଇଥିଲା |
ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି | ଅଭିଯୁକ୍ତ ସୁକାନ୍ତ ମହାରଣା ଦୀର୍ଘଦିନ ଧରି ଶାନ୍ତି ନଗର ଅଞ୍ଚଳରେ ଚୋରା କାଠ ବ୍ୟବହାର କରି ବେଆଇନ୍ ଫର୍ଣ୍ଣିଚର କାରଖାନା ଚଲାଉଥିଲେ | କିଛି ଲୋକଙ୍କୁ ଲଗାଇ ପାଖ ଜଙ୍ଗଲରୁ ଗଛ କଟାଇ ସେହି କାଠକୁ ଫର୍ଣ୍ଣିଚର କାମରେ ଲଗାଉଥିବା ନେଇ ଅଭିଯୋଗ ହୋଇଥିଲା |