ଦୁଷ୍କର୍ମ ପୀଡ଼ିତାଙ୍କୁ ଗର୍ଭପାତ ପାଇଁ ମିଳିଲା ଅନୁମତି । ୨୩ ସପ୍ତାହର ଗର୍ଭାବସ୍ଥା ପରେ ମାନସିକ ସ୍ତରରେ ପ୍ରସ୍ତୁତ ନ ଥିବାରୁ ମହିଳାଙ୍କୁ ଗର୍ଭପାତ ପାଇଁ ଅନୁମତି ଦେଇଛନ୍ତି ବମ୍ବେ ହାଇକୋର୍ଟ। କୋର୍ଟ ତାଙ୍କ ରାୟରେ କହିଛନ୍ତି କି, ସମସ୍ତଙ୍କର ବଞ୍ଚିବାର ଅଧିକାର ଅଛି। ତେଣୁ ଜଣେ ମହିଳାଙ୍କ ଇଚ୍ଛା ବିରୋଧରେ ତାଙ୍କୁ ପ୍ରସବ ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ।
ଏକେ ତ ପୀଡ଼ିତା ଦୁଷ୍କର୍ମର ଫଳ ସ୍ୱରୂପ ଗର୍ଭବତୀ ହୋଇଛନ୍ତି, ତା ଉପରେ ତାଙ୍କୁ ଗର୍ଭଧାରଣ ପାଇଁ ଜବରଦସ୍ତି କରିବା ତାଙ୍କ ମୌଳିକ ଅଧିକାରକୁ କ୍ଷୁନ୍ନ କରିବା ସହ ସମାନ । ବ୍ୟକ୍ତିର ନିଜ ଶରୀର ଉପରେ ସମ୍ପୂର୍ଣ୍ଣ ଅଧିକାର ରହିଛି। ତେଣୁ ଗର୍ଭଧାରଣ ଓ ଗର୍ଭପାତ ସମ୍ପୂର୍ଣ୍ଣ ରୂପେ ବ୍ୟକ୍ତିଗତ ପସନ୍ଦ। ଏଥିନିମନ୍ତେ କେହି ଜବରଦସ୍ତି କରି ପାରିବେ ନାହିଁ ବୋଲି କହିଛନ୍ତି ଜଷ୍ଟିସ ଅଭୟ ଆହୁଜା ଓ ମିଲିନ୍ଦ ସତ୍ୟେ।
ଗର୍ଭପାତକୁ ନେଇ ବମ୍ବେ ହାଇକୋର୍ଟରେ ଦାୟର ଯାଚିକା ଅନୁଯାୟୀ, ୨୦୧୬ ମସିହାରୁ ଯାଚିକାକର୍ତ୍ତା ଓ ଜନୈକ ପୁରୁଷଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠି ଥିଲା। କିନ୍ତୁ, ୨୦୧୮ ମସିହାରେ ପୀଡ଼ିତା ଅନ୍ୟତ୍ର ବିବାହ କରିଥିଲେ ଓ ତାଙ୍କର ପୁଅଟିଏ ଅଛି। ଗତ ବର୍ଷ ନିଶାସକ୍ତ ସ୍ୱାମୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ପୀଡିତା ମହିଳା ପୂର୍ବତନ ପ୍ରେମିକଙ୍କୁ ଫୋନ କରି ସବୁ କଥା କହିଥିଲେ ଓ ତାଙ୍କର ତଥା ତାଙ୍କ ପିଲାର ଜୀବନ ପ୍ରତି ତାଙ୍କ ସ୍ୱାମୀଠାରୁ ବିପଦ ଥିବା ଜଣାଇଥିଲେ। ଏହା ଜାଣି ପ୍ରେମିକ ତାଙ୍କୁ ନିଜ ଘରେ ଆଶ୍ରୟ ଦେବାକୁ କହିଥିଲେ।
ପ୍ରେମିକଙ୍କ ପ୍ରତିଶ୍ରୁତି ପରେ ଯାଚିକାକର୍ତ୍ତା ନିଜ ଛୁଆକୁ ଧରି ଚାଲି ଯାଇଥିଲେ ପ୍ରେମିକଙ୍କ ଘରକୁ। ସମୟକ୍ରମେ ପ୍ରେମିକ ପୀଡିତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଜୋର ଜବରଦସ୍ତି ଶାରୀରିକ ସମ୍ପର୍କ ରଖିଥିଲେ। କିନ୍ତୁ ମହିଳା ଗର୍ଭବତୀ ହେବାରୁ ପ୍ରେମିକ ବିବାହ ପାଇଁ ରାଜି ହୋଇ ନ ଥିଲେ ଓ ସେମାନଙ୍କ ସମ୍ପର୍କ ବିଷୟରେ କାହାରିକୁ କହିଲେ ହତ୍ୟା କରିବାକୁ ଧମକ ଦେଇଥିଲେ।
ଯାହାକୁ ନେଇ ଗତ ଏପ୍ରିଲ ୨୮ ତାରିଖରେ ମହିଳା ଯୁବକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ କରିବା ସହ ସେ ୨୩ ସପ୍ତାହର ଗର୍ଭବତୀ ଥିବାରୁ ଗର୍ଭପାତ ପାଇଁ ଅପିଲ କରିଥିଲେ। ତାଙ୍କ ମାନସିକ ସ୍ଥିତି ଭଲ ନ ଥିବାରୁ ଆଉ ଏକ ପିଲାକୁ ଜନ୍ମ ଦେବାକୁ ପ୍ରସ୍ତୁତ ନ ଥିବା କୋର୍ଟଙ୍କ ନିକଟରେ ଜଣାଇଥିଲେ। ଏନେଇ କୋର୍ଟ ମେଡିକାଲ ବିଶେଷଜ୍ଞଙ୍କ ରାୟ ଜାଣିବାକୁ ଚାହିଁବାରୁ, ଗର୍ଭପାତ ନିମନ୍ତେ ମହିଳା ଜଣକ ମାନସିକ ଭାବେ ପ୍ରସ୍ତୁତ ଥିବା ମୁମ୍ବାଇର ଜେଜେ ହସ୍ପିଟାଲ ବୋର୍ଡ କୋର୍ଟଙ୍କୁ ଅବଗତ କରିଥିଲା।
ସନ୍ତାନ ଜନ୍ମ କରିବା ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ବ୍ୟକ୍ତିଗତ ଇଚ୍ଛା । ମହିଳାଙ୍କର ନିଜ ଶରୀର ଉପରେ ସମ୍ପୂର୍ଣ୍ଣ ଅଧିକାର ଥିବାରୁ ନିଜ ଇଚ୍ଛା ଅନୁଯାୟୀ ଗର୍ଭପାତର ଅଧିକାର ବି ଅଛି ବୋଲି ୨୦୦୯ ମସିହାରେ ସୁପ୍ରିମକୋର୍ଟ ରାୟ ପ୍ରକାଶ କରିଥିଲେ। ସେହିପରି ପୂର୍ବରୁ ୨୦ ସପ୍ତାହର ଗର୍ଭ ନଷ୍ଟ କରିବାକୁ ଅନୁମତି ମିଳିଥିଲା। ଏହାପରେ ୨୦୨୧ ମସିହାରେ ଏହି ସମୟ ସୀମାକୁ ବଢ଼ାଇ ୨୪ ସପ୍ତାହ କରାଯାଇଛି।