ମୃତକଙ୍କ ଚିହ୍ନଟ ପାଇଁ ଏମ୍ସ-ଭୁବନେଶ୍ୱର ଯାଆନ୍ତୁ: ପୂର୍ବତଟ ରେଳପଥ

ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ, ରେଳ ଧାରଣା ମରାମତି ଶେଷ ହୋଇ ରେଳ ଚଳାଚଳ ଆରମ୍ଭ ହୋଇଛି। କିନ୍ତୁ ଏପର୍ଯ୍ୟନ୍ତ ୮୩ଟି ମୃତଦେହ ଚିହ୍ନଟ ନ ହୋଇ ପଡିରହିଛି। ଏହାକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଜାରି କରିଛି ପୂର୍ବତଟ ରେଳପଥ। ବାହାନଗା ବଜାର ଟ୍ରେନ ଦୁର୍ଘଟଣାରେ ମୃତକମାନଙ୍କୁ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନ ଯାଇ କେବଳ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ପହଞ୍ଚିବାକୁ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇ କ୍ୟାପିଟାଲ୍‌, ସମ୍‌, କିମ୍ସ, ହାଇଟେକ୍‌ ଓ ଆମ୍ରି ହସ୍ପିଟାଲ୍‌ରେ ଥିବା ୩୯ ମୃତଦେହକୁ ଗତକାଲି ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତର, ହସ୍ପିଟାଲ୍‌ର ଅନ୍ୟାନ୍ୟ କର୍ମଚାରୀ ଏବଂ ଡାକ୍ତରୀ ଛାତ୍ରମାନେ ଅକ୍ଳାନ୍ତ ପରିଶ୍ରମ କରିଥିବା ବେଳେ ଏମ୍ସରେ ଏବେ ସୁଦ୍ଧା ସମୁଦାୟ ୧୬୨ଟି ମୃତଦେହ ପହଞ୍ଚିଥିଲା। ସେଥିମଧ୍ୟରୁ ୭୧ଟି ମୃତଦେହକୁ ସେମାନଙ୍କ ସଂପର୍କୀୟମାନଙ୍କୁ ପ୍ରଦାନ କରାଯାଇଛି। ଅନ୍ୟ ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଏବେ ବି ଜାରି ରହିଛି। ତେଣୁ ଯେଉଁ ଯାତ୍ରୀଙ୍କ ପରିବାର ସେମାନଙ୍କ ସ୍ବଜନଙ୍କୁ ଖୋଜୁଛନ୍ତି ସେମାନେ ଭୁବନେଶ୍ୱର ଏମ୍ସ ଯାଇ ମୃତଦେହ ଖୋଜିପାରିବେ ବୋଲି କୁହାଯାଇଛି।

ସେପଟେ କିଛି ମୃତଦେହ ପାଇଁ ଜଣେ ବି ଦାବିଦାର ନଥିବ ବେଳେ ଗୋଟେ ଗୋଟେ ମୃତଦେହ ପାଇଁ ୬ ଜଣ ଲେଖାଏ ଦାବିଦାର ବାହାରୁଥିବା ସେ କହିଛନ୍ତି। ଓଡ଼ିଶାରେ ଡିଏନଏ ପରୀକ୍ଷଣ ବ୍ୟବସ୍ଥା ନଥିବାରୁ ଭୁବନେଶ୍ବର ଏମ୍‌ସ ତତ୍ତ୍ବାବଧାନରେ ଦିଲ୍ଲୀ ଏମ୍‌ସକୁ ପଠାଯାଇଛି। ପ୍ରକୃତ ପରିଜନଙ୍କୁ ଚିହ୍ନଟ ପାଇଁ ଏମ୍ସରୁ ୩୩ ରକ୍ତ ନମୁନା ଡିଏନଏ ଟେଷ୍ଟ ପାଇଁ ପଠାଯାଇଥିବା ସୂଚନା ଦେଇଛନ୍ତି ମେୟର ସୁଲୋଚନା ଦାସ। 

ଉଲ୍ଲେଖଯୋଗ୍ୟ, ବାହାନଗା ଟ୍ରେନ୍ ଦୁର୍ଘଟଣାର ୪ ଦିନ ପରେ ଗତକାଲି ଟ୍ରାକ୍‌ରେ ଗଡ଼ିଛି କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ୍‌।ଚେନ୍ନାଇ ପଟୁ ଯାତ୍ରା କରୁଥିବା ଏହି ଦ୍ରୁତଗାମୀ ଟ୍ରେନ୍ ମଙ୍ଗଳବାର ମଧ୍ୟାହ୍ନ ୧୨ଟା ୫ରେ ବାହାନଗା ଦେଇ କୋଲକାତା ଶାଲିମାର ଅଭିମୁଖେ ଯାଇଥିଲା। ଜୁନ୍ ୨ ତାରିଖ ସନ୍ଧ୍ୟାରେ କୋଲକାତାରୁ ଚେନ୍ନାଇ ଅଭିମୁଖେ ଯିବା ବେଳେ ବାହାନଗା ବଜାର ଷ୍ଟେସନ୍‌ଠାରେ ଅପ୍‌ଲାଇନ୍‌ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା କରମଣ୍ଡଳ। ତା ପରଠାରୁ ଏହି ରୁଟ୍‌ରେ ଟ୍ରେନ୍ ଚଳାଚଳ ବନ୍ଦ ରହିଥିଲା। ସେପଟେ ଡାଉନ୍‌ ଲାଇନ୍‌ରେ ଚେନ୍ନାଇ ପଟୁ ଆସୁଥିବା କରମଣ୍ଡଳକୁ ଆନ୍ଧ୍ରପ୍ରଦେଶର ବିଜୟୱାଡାଠାରେ ୩ ଦିନ ଅଟକାଇ ଦିଆଯାଇଥିଲା। ସ୍ଥିତି ସ୍ବାଭାବିକ ହେବା ପରେ ଗତକାଲି ଏହି ଟ୍ରେନ୍ କୋଲାକାତାକୁ ଯାଇଛି।

Leave a Reply

Your email address will not be published. Required fields are marked *