କେରଳରେ ବଡ ଦୁର୍ଘଟଣା, ଆତସବାଜି ସମୟରେ ବିସ୍ଫୋରଣରେ ୯୮ଜଣ ଆହତ, ୮ ଗୁରୁତର

ସୋମବାର ବିଳମ୍ବିତ ରାତିରେ କେରଳର କାସରଗୋଡ ଜିଲ୍ଲାର ନୀଲେଶ୍ୱରମରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଅଗ୍ନିକାଣ୍ଡ ଘଟି ନିଆଁ ଲାଗିବା ପରେ ପ୍ରାୟ ୯୮ ଜଣ ଲୋକ ଆହତ ହୋଇଥିବାବେଳେ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗଣମାଧ୍ୟମ ସୂଚନା ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ କେରଳର କାସରଗୋଡର ନୀଲେଶ୍ୱରମ୍ ନିକଟରେ ଏକ ମନ୍ଦିର ପର୍ବରେ ଆତସବାଜି ଫୁଟା ଯାଉଥିଲା। ତା’ପରେ ଏହି ଘଟଣା ଘଟି ପ୍ରାୟ ୯୮ ଜଣ ଆହତ ହୋଇଥିଲେ। ଆହତମାନଙ୍କୁ କାସରଗୋଡ, କନ୍ନୁର ଏବଂ ମଙ୍ଗଲୁରୁର ବିଭିନ୍ନ ଡାକ୍ତରଖାନାକୁ ନିଆଯାଇଛି।

ଭେରାକାଭୁ ମନ୍ଦିର ନିକଟରେ ଥିବା ଆତସବାଜି ଷ୍ଟୋରେଜରେ ଅଗ୍ନିକାଣ୍ଡ ଘଟି ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ଅଧିକାରୀମାନେ ଅଗ୍ନିକାଣ୍ଡର କାରଣ ଅନୁସନ୍ଧାନ କରୁଛନ୍ତି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ କନହଂଗଡର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ପାଞ୍ଚ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅନ୍ୟ ଏକ ଖବରକାଗଜ ରିପୋର୍ଟ କରିଛି ଯେ ୩୩ ଜଣଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୧୯ ଜଣଙ୍କୁ କନହଂଗଡର ଏଶଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ୧୨ ଜଣଙ୍କୁ ଆରିମାଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଞ୍ଜୀବନୀ ହସ୍ପିଟାଲରେ ୪୦ ଜଣଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ୧୧ ଜଣଙ୍କୁ ନୀଲେଶ୍ୱରମ୍ ତାଲୁକ ହସ୍ପିଟାଲରେ ଏବଂ ୫ ଜଣଙ୍କୁ କନ୍ନୁରସ୍ଥିତ ଏଷ୍ଟର ଏମଆଇଏମଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ମତରେ ସ୍ଥାନୀୟ ଖବର କାଗଜ ରିପୋର୍ଟରେ କହିଛନ୍ତି ଯେ କାସରଗୋଡ ଜିଲ୍ଲାର ନୀଲେଶ୍ୱରରେ ମୁଲମ୍କୁଝୀ ଚାମୁଣ୍ଡି ଥେୟମ୍ ମହୋତ୍ସବ ଚାଲିଥିଲା । ଏହି ସମୟ ମଧ୍ୟରେ ଲୋକମାନେ ଆତସବାଜି ଫୁଟାଉଥିଲେ | ବାଣ ଫୁଟାଉଥିବା ସମୟରେ ଗୋଟେ ଆତସବାଜି ଯାଇ ବାଣ ଷ୍ଟୋରର ଏକ କୋଠା ଭିତରକୁ ଖସିପଡିଥିଲା। ଏହି କାରଣରୁ ଏଠି ନିଆଁ ଲାଗିଯାଇଥିଲା ​​ଏବଂ ବିସ୍ଫୋରକ ସାମଗ୍ରୀ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଆରମ୍ଭ କରିଥିଲା। ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣ ଯୋଗୁଁ ଅନେକ ଲୋକ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ଶିଶୁ ଓ ମହିଳା ମଧ୍ୟ ଅଛନ୍ତି।

Leave a Reply

Your email address will not be published. Required fields are marked *