ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନସ୍ଥିତ ପେନ ହସ୍ପିଟାଲ ନାମକ ବୁକ ଷ୍ଟୋରରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ବେଳେ ସର୍ଟ ସର୍କିଟରୁ ଦୋକାନରେ ନିଆଁ ଲାଗିଥିବା କୁହାଯାଉଛି। ଗତକାଲି ରାତିରେ ହଠାତ୍ ଦୋକାନରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ଜଣାପଡିବା ପରେ ଘଟଣାସ୍ଥଳକୁ ତିନୋଟି ଅଗ୍ନିଶମ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିପଡିଥିଲା। ଏହି ନିଆଁ ଲିଭା କାର୍ଯ୍ୟରେ ମୋଟ ୨୫ ଜଣ ଅଗ୍ନିଶମ ଅଧିକାରୀ ଓ କର୍ମଚାରୀ ନିୟୋଜିତ ରହି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ।
ଗତକାଲି ରାତି ପ୍ରାୟ ୯ଟା ସମୟରେ ହଠାତ୍ ଦୋକାନ ଭିତରେ କାର୍ଯ୍ୟରତ କର୍ମଚାରୀମାନେ କିଛି ପୋଡିଯାଉଥିବାର ଅନୁଭବ କରିବା ସହ ଧୂଆଁ ଦେଖି ଭୟରେ ଦୋକାନ ଭିତରୁ ବାହାରି ଯାଇଥିଲେ। ଏହାପରେ ଦୋକାନରୁ ନିଆଁ ବାହାରିବା ସହ ସ୍ଥାନୀୟ ଅଞ୍ଚଳ ଧୂଆଁରେ ଭରି ଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀର ୩ଟି ଗାଡି ସେଠାରେ ପହଞ୍ଚି କିଛି ସମୟର କସରତ ପରେ ନିଆଁକୁ ଆୟତ୍ତ କରିଥିଲେ ଓ ଧୂଆଁ ନିଷ୍କାସନ କରିଥିଲେ। ନିଆଁରେ ଦୋକାନର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ନେଇ ଦୋକାନର ମାଲିକ ରବି ଜୈନ ସୂଚନା ଦେଇଛନ୍ତି। ତେବେ ଏହି ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ସର୍ଟ ସର୍କିଟରୁ ଦୋକାନରେ ନିଆଁ ଲାଗିଯାଇଥିବା ଜଣାପଡିଛି।
ଦୋକାନଟି ରାଜଧାନୀର ସେଣ୍ଟର ଜାଗାରେ ରାସ୍ତା କଡରେ ଥିବାରୁ କିଛି ସମୟ ପାଇଁ ସେଠାରେ ରାସ୍ତା ଜାମ ହେବା ସହ ଯାତାଯାତ ଠପ ହୋଇଯାଇଥିଲା। ନିଆଁ ଲିଭିବା ପରେ ରାସ୍ତାକୁ ସଫାକରିବାକୁ ଅଗ୍ନିଶମ ବାହିନୀକୁ ଦୀର୍ଘ ସମୟ ଲାଗିଯାଇଥିଲା।