
କେନ୍ଦ୍ରାପଡ଼ାର ବିବାଦୀୟ ଆତ୍ମଘୋଷିତ ବାବା ସାରଥୀଙ୍କୁ ଆଜି ବି ଲୋକେ ପୂଜା କରୁଛନ୍ତି । ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ଅବସରରେ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ସ୍ଥିତ ବାରିମୂଳ ସାରଥୀ ଆଶ୍ରମ ଖାଁ ଖାଁ ଥିବା ବେଳେ କିଛି ଘରେ ସାରଥୀଙ୍କ ଫଟୋ ରଖି ପୂଜାର୍ଚ୍ଚନା ହେଉଥିବା ଦେଖିବାକୁ ମିଳୁଛି । କେନ୍ଦ୍ରାପଡ଼ା, ଚାନ୍ଦୋଳ, ଡେରାବିଶ, ବାରିମୂଳ ଓ ସନ୍ଥପୁରାର ବିଭିନ୍ନ ସ୍ଥାନରେ କିଛି ଅନୁଗାମୀ ଏବେ ବି ସାରଥୀଙ୍କୁ ଭଗବାନ ଭାବି ପୂଜା କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି ।
ଜେଲ୍ ଫେରନ୍ତା ସାରଥୀ ଓରଫ ସନ୍ତୋଷ ରାଉଳ କୋର୍ଟଙ୍କ ନିର୍ଦେଶ କ୍ରମେ କେନ୍ଦ୍ରାପଡା ଆସୁନଥିବା ବେଳେ ଭିତରେ ଭିତରେ ନିଜ ବୁଦ୍ଧି ଖଟାଇ ପୁଣି ଆତ୍ମଘୋଷିତ ଭଗବାନ ଭାବେ ଅଧିଷ୍ଠିତ ହେବାକୁ ଯୋଜନା ଚଳାଉଥିବା ଚର୍ଚ୍ଚା ହେଉଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଜନ୍ମାଷ୍ଟମୀରେ ସାରଥୀଙ୍କ ପାଇଁ ଯେଉଁମାନେ ପୂଜାର୍ଚ୍ଚନା କରୁଛନ୍ତି ସେମାନଙ୍କର କ’ଣ କୋର୍ଟ ଉପରେ ଭରସା ନାହିଁ । ସମାଜରେ ଏକ ଆଧ୍ୟାତ୍ମବାଦ ରହିଛି ଯାହାକୁ କେହି ବି ଅଶ୍ବିକାର କରିପାରିବେ ନାହିଁ । ହେଲେ ଲୋକଙ୍କ ଏହି ଭାବନାକୁ ନେଇ ମଧ୍ୟ ଅନେକ ଭଣ୍ଡ ନିଜର ମାୟାଜାଲ ବିଛାଇବାରେ ସଫଳ ହେଉଛନ୍ତି । ଆଜିକାଲି ଲୋକଙ୍କ ଆସ୍ଥା ସହିତ ଖେଳିବା ଅତି ସହଜ ହୋଇଗଲାଣି । କାରଣ ଏହା ହିଁ ଠକିବାର ପ୍ରକୃଷ୍ଟ ମାଧ୍ୟମ ।
ଭାଗବାନଙ୍କ ନାଁରେ ଲୋକଙ୍କୁ ଭୂଆଁ ବୁଲାଇ ଖାଲି ଜନସାଧାରଣଙ୍କ ଭାବନା ସହିତ ଖେଳାଯାଉନି ବରଂ ସେମାନଙ୍କୁ ଖର୍ଚ୍ଚାନ୍ତ କରିବା ସହିତ ଅନେକ ସମସ୍ୟାରେ ପକାଯାଉଛି । ଯାହା ସମାଜ ପାଇଁ ଆଦୌଁ ଗ୍ରହଣୀୟ ନୁହେଁ । ତେବେ ୨୦୧୫ ଅଗଷ୍ଟ ୮ ତାରିଖରେ ଗିରଫ ହୋଇଥିଲେ ସନ୍ତୋଷ ରାଉଳ ଓରଫ ବାବା ସାରଥି ।