ସେ ମଣିଷ ନୁହେଁ, ହେଲେ ତା’ ହୃଦୟରେ ରହିଛି ଅସୀମ ଭଲପାଇବା। ନା ସେ କଥା କହିପାରୁଛି, ନା ନିଜ ମନର ବେଦନା କାହାକୁ ବୁଝାଇପାରୁଛି। ହେଲେ ତା’ର ଆଚରଣ ବୟାନ କରୁଛି ଏକ ନିଆରା ସମ୍ପର୍କର କାହାଣୀ। ମୃତଦେହକୁ ଜାବୁଡ଼ି ଧରି ମାଙ୍କଡ଼ର ଭାବବିହ୍ୱଳ ହେବାର ଦୃଶ୍ୟ ଏବେ ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଛି। ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ।
ସୂଚନା ଅନୁଯାୟୀ, ସୋସୋ ଥାନା ଅନ୍ତର୍ଗତ ଢେଙ୍କା ଗ୍ରାମର ଠୁଳୁକୁ ରାମ ସୋରେନ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପାଇଁ ପରିବାର ଲୋକେ ଅପେକ୍ଷା କରିଥିବା ବେଳେ ଘଟିଥିଲା ଏକ ଅଭାବନୀୟ ଘଟଣା।
ଘସିପୁରା ଝାଡ଼େଶ୍ୱର ମନ୍ଦିର ନିକଟରେ ଏକ ମାଙ୍କଡ଼ ଲୋକଙ୍କ ଗୋଡ଼ ଧରିବା ସହ କାହାକୁ ଖୋଜିବା ଭଳି ଆଚରଣ କରୁଥିଲା। ଏହି ସମୟରେ ସେଠାରେ ପହଞ୍ଚିଥିବା ଏକ ଆମ୍ବୁଲାନ୍ସରେ ମାଙ୍କଡ଼ଟି ଚଢ଼ି ବସିଥିଲା। ଚାଳକ ବିଜୟ କୁମାର ସାହୁଙ୍କ ସହ ଆନନ୍ଦପୁର ଡାକ୍ତରଖାନାରେ ପହଞ୍ଚିଥିଲା ମାଙ୍କଡ଼।
ଆଉ ତା’ପରେ ଯାହା ଘଟିଲା, ତାହା ସମସ୍ତଙ୍କୁ ଚକିତ କରିଦେଲା। ଡାକ୍ତରଖାନାରେ ପହଞ୍ଚି ମାଙ୍କଡ଼ଟି ସିଧା ଠୁଳୁକୁ ରାମ ସୋରେନଙ୍କ ମୃତଦେହ ପାଖକୁ ଚାଲିଯାଇଥିଲା। ନିଜ ହାତରେ ମୃତଦେହ ଉପରୁ ଚାଦର ହଟାଇ ତାଙ୍କୁ ଜାବୁଡ଼ି ଧରିଥିଲା। ମାଙ୍କଡ଼ଟିର ଏଭଳି ଆଚରଣ ଦେଖି ସେଠାରେ ଉପସ୍ଥିତ ଲୋକେ ଭାବବିହ୍ୱଳ ହୋଇପଡ଼ିଥିଲେ।
ଏବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ମାଙ୍କଡ଼ଟିର ଆଚରଣକୁ ଅନେକେ ମଣିଷ ଓ ପଶୁ ମଧ୍ୟରେ ଥିବା ଗଭୀର ସ୍ନେହର ପ୍ରତୀକ ବୋଲି କହୁଛନ୍ତି।
ସତରେ, ଭଲପାଇବା ପାଇଁ ଭାଷାର ଆବଶ୍ୟକତା ନାହିଁ। କେବଳ ଏକ ହୃଦୟ ଦରକାର। ଆଉ ଏହି ମାଙ୍କଡ଼ର ଆଚରଣ ସେହି କଥାକୁ ପୁଣିଥରେ ମନେ ପକାଇଦେଇଛି।