
ଗତ କିଛି ମାସ ହେବ ଚମ୍ପୁଆ ରେଞ୍ଜରେ ହାତୀପଲଙ୍କ ଉପଦ୍ରବ ଲାଗିରହିଛି । ଏବେ ବାଲିବନ୍ଧ ସେକ୍ସାନରେ ୫୦, ଯୋଡ଼ାରେ ୨୦, ଚମ୍ପୁଆରେ ୨୬ ଏବଂ ବାମେବାରୀ ସେକ୍ସାନରେ ୪ଟି ହାତୀ ରହିଛନ୍ତି । ହାତୀ କେତେବେଳେ ଘର ଭାଙ୍ଗୁଛନ୍ତି ତ ଆଉ କେତେବେଳେ ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରୁଛନ୍ତି। ଗତ ବିଳମ୍ବିତ ରାତିରେ ଏକ ୨୦ ଟିକିଆ ହାତୀପଲ ବିଚାକୁଣ୍ଡି ଜଙ୍ଗଲରୁ ଆସି ଯୋଡ଼ା ପୌରାଞ୍ଚଳର ୯ ନମ୍ବର୍ ୱାର୍ଡ଼ ବୁଲା ସାହିରେ ପଶି ୩ ଟି ଘର ଭାଙ୍ଗିଛନ୍ତି ।

ଗୁରୁବାରି କାରୁଆ, ସୀତା କାରୁଆ ଓ ରାଉତ ଲାଗୁରୀଙ୍କ ଗୋଟିଏ ଲେଖାଏଁ ଘର ଭାଙ୍ଗିବା ସହ ଘରେଥିବା ଆସବାବପତ୍ର ନଷ୍ଟ କରିଛନ୍ତି । ଏଥିସହ ସେମାନଙ୍କ ଘରେ ଥିବା ଚାଉଳ ଓ ରନ୍ଧା ଖାଦ୍ୟ ଖାଇଦେଇଥିବା ଲୋକେ ଅଭିଯୋଗ କରିଛନ୍ତି । ଏହି ହାତୀପଲରେ ୪ ଦନ୍ତା, ୯ ମାଈ ଓ ୭ଟି ଛୁଆ ହାତୀ ରହିଛନ୍ତି । ଉତ୍ପାତ ମଚେଇବା ପରେ ହାତୀପଲ ନିକଟସ୍ଥ ବିଚାକୁଣ୍ଡିକୁ ଚାଲିଯାଇ ଥିବାବେଳେ, ବନ କର୍ମଚାରୀ ସେମାନଙ୍କ ଗତିବିଧି ଉପରେ ନଜର ରଖିଛନ୍ତି ।