ଦୁର୍ଗ-ପୁରୀ ଏକ୍ସପ୍ରେସରେ ନିଆଁ

ରେଳବାଇକୁ ପଡିଛି ଶନିଦଶା। ପୁଣି ଟ୍ରେନରେ ଘଟିଛି ଅଘଟଣ। ଗତ ରାତିରେ ଦୁର୍ଗ-ପୁରୀ ଏକ୍ସପ୍ରେସରେ ଲାଗିଯାଇଛି ନିଆଁ। ତେବେ ସେହି ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ଏଥିରେ କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ଟ୍ରେନଟି ଏହି ଅଘଟଣ ପରେ ଏକ ଘଣ୍ଟା ବିଳମ୍ବରେ ପୁଣି ଯାତ୍ରା ଆରମ୍ଭ କରିଥିଲା।

ଗତ କାଲି ଦୁର୍ଗ-ପୁରୀ ଏକ୍ସପ୍ରେସ ଛତିଶଗଡ ଦୁର୍ଗରୁ ପୁରୀ ଅଭିମୁଖେ ଯାତ୍ରା କରୁଥିଲା। କୋମାଖାନା ନିକଟରେ ଟ୍ରେନ ପହଞ୍ଚିବା ବେଳକୁ ଯାତ୍ରୀ ଟ୍ରେନରେ ନିଆଁ ଲାଗିଥିବା ଦେଖିଥିଲେ ଓ ଯାତ୍ରୀଙ୍କ ଭିତରେ ଭୟର ସଞ୍ଚାର ହୋଇଥିଲା। ଏସମ୍ପର୍କରେ ତୁରନ୍ତ ରେଳ କର୍ତ୍ତୃପକ୍ଷଙ୍କୁ ସୂଚିତ କରାଯାଇଥିଲା।ସୂଚନା ପାଇବା ପରେ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ନୂଆପଡା ଖରିଆର ରୋଡରେ ଟ୍ରେନକୁ ଅଟକାଯାଇଥିଲା। ସେଠାରେ ଅଗ୍ନିଶମ ବାହିନୀ ପୂର୍ବରୁ ଉପସ୍ଥିତ ଥିଲେ ଓ ନିଆଁକୁ ଆୟତ୍ତ କରିଥିଲେ। ଏହି ଦୁର୍ଘଟଣାରେ କାହାରି କିଛି କ୍ଷୟକ୍ଷତି ହୋଇନଥିବା ବେଳେ ଟ୍ରେନ ପ୍ରାୟ ଏକ ଘଣ୍ଟା ପରେ ସେଠାରୁ ଯାତ୍ରା ଆରମ୍ଭ କରିଛି। ନିଆଁ ଲାଗିବା ସମ୍ପର୍କରେ କୁହାଯାଇଛି କି, ଟ୍ରେନର ବ୍ରେକ ବାଇଣ୍ଡିଂରେ ସ୍ପର୍କିଂ ହେବାରୁ ଏହି ନିଆଁ ଲାଗିଥିଲା।

ତେବେ ଗତ କିଛି ଦିନ ହେବ ଗୋଟିଏ ପରେ ଗୋଟିଏ ଅଘଟଣ ଘଟିଚାଲିଛି ରେଳ ବିଭାଗରେ। ବାହାନଗା ଟ୍ରେନ ଦୁର୍ଘଟଣା ଘଟି ୨୮୮ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ସମଗ୍ର ବିଶ୍ୱକୁ ସ୍ତମ୍ଭିଭୂତ କରିଦେଇଥଲା। ଏହାର କିଛି ଦିନ ପରେ ରାୟଗଡାରେ ଓଲଟିଲା ମାଲବାହୀ ଟ୍ରେନ। ତା ପରେ ମଙ୍ଗଳବାର ସିକନ୍ଦରାବାଦ-ଅଗରତାଲା ଏକ୍ସପ୍ରେସରେ ଲାଗିଥିଲା ନିଆଁ। ନିଆଁ ଲାଗିବା ପରେ ଏକ୍ସପ୍ରେସର ବି-୫ ବଗି ଧୂଆଁରେ ଭରିଯାଇଥିଲା। ବୁଧବାର ଯାଜପୁର ରୋଡ ନିକଟ ରେଳ ଧାରଣାରେ କଟି ୬ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

ସେଦିନ ସଂଧ୍ୟାରେ ଆସିଥିବା କାଳବୈଶାଖୀ କାଳରେ ସେଠାରେ ଠିଆହୋଇଥିବା ଏକ ଅବ୍ୟବହୃତ ରେଳ ଇଞ୍ଜିନ ତଳେ କାମ କରୁଥିବା ଶ୍ରମିକମାନେ ଆଶ୍ରୟ ନେଇଥିଲେ। କିନ୍ତୁ ଏମିତି ଝଡ ତୋଫାନ ଆସିଥିଲା କି ଇଞ୍ଜିନ ଆପଣା ଛାଁ ଚାଲିବା ଆରମ୍ଭ କରିଥିଲା। ଫଳରେ ତା ତଳେ ଥିବା ଶ୍ରମିକଙ୍କ ଉପରେ ମାଡି ଯାଇଥିଲା। ଏହି ଅଘଟଣ ପୁଣି ରେଳବାଇ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଗତକାଲି ଟ୍ରେନରେ ଲାଗିଛି ନିଆଁ।

ଏପରି ବାରମ୍ବାର ଅଘଟଣ, ଦୁର୍ଘଟଣା ପରେ ଲୋକେ ରେଳ ଯାତ୍ରାକୁ କେତେ ସୁରକ୍ଷିତ ମଣିବେ ଓ ଯାତ୍ରା କରିବେ, ତାକୁ ନେଇ ଠିଆ ହୋଇଛି ପ୍ରଶ୍ନ।

Leave a Reply

Your email address will not be published. Required fields are marked *