
ପାନୀୟ ଜଳ ସଙ୍କଟ ଦେଇ ଗତି କରୁଛନ୍ତି ପାରାଦ୍ୱୀପ ଅଞ୍ଚଳ ବାସିନ୍ଦା । ଦିନଥିଲା ଯେଉଁ ଅଞ୍ଚଳରେ ଶହେଫୁଟ ତଳେ ମଧୁର ଜଳ ମିଳୁଥିଲା ଆଜି ହଜାର ହଜାର ଫୁଟ ଖୋଲିଲେ ମଧ୍ୟ ସ୍ୱଚ୍ଛ ପାନୀୟ ଜଳ ମୁନ୍ଦାଏ ମିଳିବା କଷ୍ଟକର ହୋଇପଡୁଛି । ଯାହାର ପ୍ରମୁଖ କାରଣ ପାଲଟିଛି ବେଆଇନ ଭାବରେ ଭୁତଳ ଜଳର ବ୍ୟବସାୟୀକରଣ । କିଛି ଶିଳ୍ପସଂସ୍ଥା ସେମାନଙ୍କ ପ୍ରକଳ୍ପ କାର୍ଯ୍ୟ ପାଇଁ ସରକାରୀ ଭାବରେ ପାଣି ନେଇନଥିବା ବେଳେ ପାଣିର ଆବଶ୍ୟକତା ପୂରଣ ପାଇଁ କିଛି ସଂସ୍ଥା ବା ବ୍ୟବସାୟୀଙ୍କୁ ଦାୟିତ୍ୱ ଦିଆଯାଇଛି । ଯାହାଦ୍ୱାରା ଏହି ସଂସ୍ଥା ବା ବ୍ୟବସାୟୀ ମାନେ ପାଇପ ଯୋଗେ ବୋରିଂ କରି ମୋଟର ଦ୍ୱାରା ପାଣି ଉଠାଇ ପ୍ରତ୍ୟକ ଦିନ ଶହ ଶହ ଟ୍ରିପ ପାଣି ସପ୍ଲାଇ କରି ଭଲ ରକମର ଲାଭ କରୁଥିବା ବେଳେ ସାଧାରଣ ଲୋକ ଏହାର ପରିଣାମ ଭୋଗୁଛନ୍ତି ।
ପାନୀୟ ଜଳର ଅଭାବକୁ ନେଇ ପାରାଦ୍ୱୀପର ବସ୍ତି ବାସିନ୍ଦା ବିଭିନ୍ନ ସମୟରେ ଅଭିଯୋଗ କରିଆସୁଛନ୍ତି । ପୂର୍ବରୁ ପ୍ରାୟତଃ ନଳକୂପ ଯୋଗେ ଭଲ ପିଇବା ପାଣି ମିଳୁଥିବାରୁ ପାନୀୟ ଜଳର ଆବଶ୍ୟକତା ପୂରଣ ହୋଇଯାଉଥିଲା । ପାରାଦ୍ୱୀପର କିଛି ଶିଳ୍ପସଂସ୍ଥା ଓ କିଛି ଲାଭଖୋର ବ୍ୟବସାୟୀ ଦିନରାତି ଭୁତଳ ଜଳକୁ ବ୍ୟବସାୟ ନିମନ୍ତେ ଉତ୍ତୋଳନ କରି ନିଜର ବ୍ୟବସାୟ ଓ ନିଜ ମୁନାଫା କରିଚାଲିଛନ୍ତି । ଯାହାଫଳରେ ଭୁତଳ ଜଳ ହ୍ରାସ ପାଇବା ସହିତ ନଳକୂପରେ ଆଇରନ ଓ ଲବଣ ଯୁକ୍ତ ପାଣି ବାହାରୁଛି । ପାରାଦ୍ୱୀପ ବନ୍ଦର ପକ୍ଷରୁ ବସ୍ତି ଅଞ୍ଚଳକୁ ଦିନକୁ ସ୍ୱଳ୍ପ ସମୟ ପାଇପ ଯୋଗେ ଆସୁଥିବା ପାଣି ସମୁଦ୍ରକୁ ଶଙ୍ଖେ ହୋଇଥିବା ବେଳେ ଷଣ୍ଢକୁଦ ବସ୍ତିରେ ରହିଥିବା ପାଇପ ନିକଟରେ ପାଣି ପାଇଁ ପ୍ରତିଯୋଗିତା ଲାଗୁଛି ।
ଶିଳ୍ପସଂସ୍ଥାରୁ ନିର୍ଗତ ରାସାୟନିକ ବର୍ଜ୍ୟଜଳ ମାଟି ଭିତରକୁ ପ୍ରବେଶ କରି ଭୁତଳ ଜଳ ପ୍ରଦୂଷିତ କରୁଛି । ଭୁତଳ ଜଳ ପ୍ରଦୂଷିତ ହେବା ଫଳରେ ଏହା ବ୍ୟବହାର ପାଇଁ ଅନୁପଯୁକ୍ତ ହେଉଛି । ସମୁଦ୍ରକୂଳ ଅଞ୍ଚଳ ଷଣ୍ଢକୁଦ ବସ୍ତିରେ ଯେଉଁ କିଛି ସ୍ଥାନରେ ମଧୁର ଜଳ ମିଳୁଥିଲା ତାହା ଆଜି ପ୍ରଭାବିତ ହୋଇଛି ଭୁତଳ ଜଳର ବ୍ୟବସାୟୀ କରଣକୁ ନେଇ । ଅସାଧୁ ଉପାୟରେ ଭୁତଳ ଜଳ ବ୍ୟବସାୟ କରାଯାଉଥିବା ନେଇ ଅଭିଯୋଗ ପାଇବା ପରେ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ଉଭୟ ପୌରାଧ୍ୟକ୍ଷ ଓ ବିଧାୟକ ।
ପାନୀୟ ଜଳର ଉତ୍କଟ ସମସ୍ୟା ନେଇ ପାରାଦ୍ୱୀପ ଜନସାଧାରଣ ହନ୍ତସନ୍ତ ହେଉଥିବା ବେଳେ ଲାଭଖୋର ବ୍ୟବସାୟୀଙ୍କ ଭୁତଳ ଜଳ ବ୍ୟବସାୟୀ କରଣ ପାରାଦ୍ୱୀପ ଜନସାଧାରଣ ଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏନେଇ ପାରାଦ୍ୱୀପ ବିଧାୟକ ଓ ପୌରାଧ୍ୟକ୍ଷ ଅବଗତ ହେବାପରେ ସମ୍ପୃକ୍ତ ବ୍ୟକ୍ତି ବିଶେଷ ଓ ସଂସ୍ଥା ଉପରେ କେବେ ସରକାରୀ ସ୍ତରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଲା ।