କୋକା କୋଲା ପିଇଲେ ହୋଇପାରେ କ୍ୟାନ୍ସର୍ – ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

ଆଜିକାଲିର ପ୍ରଥମ ପସନ୍ଦ ଥଣ୍ଡା ଜାତୀୟ ପଦାର୍ଥ । ଖରା ହେଉ ଅବା ଶୀତ ସମସ୍ତେ କୋଲ୍ଡଡ୍ରିଙ୍କସ୍ ପିଇବାକୁ ପସନ୍ଦ କରିଥାନ୍ତି । ଆଉ ଏହାର ଚାହିଦା ଦେଖି ବଜାରରେ ବିଭିନ୍ନ ଭେରାଇଟର କୋଲ୍ଡଡ୍ରିଙ୍କସ୍ ବିକ୍ରି ହେଉଛି । କିନ୍ତୁ ଏହି କୋଲ୍ଡଡ୍ରିକ୍ସ ଆପଣଙ୍କ ପାଇଁ ହୋଇପାରେ ଘାତକ । ଯଦି ଆପଣ କୋକା କୋଲା ପିଉଛନ୍ତି, ତା’ହେଲେ ସାବଧାନ ହୋଇଯାଆନ୍ତୁ। କାରଣ ଏହାକୁ ପିଇବା ଦ୍ୱାରା କ୍ୟାନସର ଭଳି ମାରାତ୍ମକ ରୋଗ ହୋଇପାରେ। ଡାଏଟ କୋକୋ ଠାରୁ ଆରମ୍ଭ କରି ବିଭିନ୍ନ ଖାଦ୍ୟ ପଦାର୍ଥରେ ବ୍ୟବହାର ହେଉଥିବା କୃତ୍ରିମ ମିଠା ବା ଆସପାର୍ଟେମ୍‌ ଶରୀର ପାଇଁ ଘାତକ ଅଟେ । ଏହି ମିଠା ଦ୍ୱାରା କ୍ୟାନସର ହେବାର ଆଶଙ୍କା ଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଶଙ୍କା କରିଛି। ଏଥିପାଇଁ ସଂଗଠନର କ୍ୟାନସର ରିସର୍ଚ୍ଚ ସଂସ୍ଥା ଆସପାର୍ଟେମ୍‌କୁ ବିପଦଜନକ ତାଲିକାରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛି। ଖୁବଶୀଘ୍ର ସଂଗଠନ ପକ୍ଷରୁ ଏହାର ବିଧିବଦ୍ଧ ଘୋଷଣା କରାଯିବ। ୱାଶିଂଟନ୍ ପୋଷ୍ଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆସପାର୍ଟେମର ବ୍ୟବହାର ଦୀର୍ଘ ଦଶନ୍ଧି ହେଲା କୋକ ଉତ୍ପାଦରେ ବ୍ୟବହୃତ ହୋଇ ଆସୁଛି। କୋକା କୋଲା ସମେତ ଅନ୍ୟ କିଛି କୋଲ୍ଡ ଡ୍ରିଙ୍କ୍ସ ଓ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରିବା ବେଳେ ମଧ୍ୟ କୃତ୍ରିମ ମିଠା ଆସପାର୍ଟେମର ବ୍ୟବହାର କରାଯାଉଛି। ଚିନିର ବିକଳ୍ପ ଭାବେ ଆସପାର୍ଟେମ୍‌କୁ ବ୍ୟବହାର କରାଯାଏ। ଏଥିରେ କୋଲେଷ୍ଟର କିମ୍ବା ଫ୍ୟାଟ ନଥାଏ ବୋଲି କୁହାଯାଏ। କେବଳ ସେତିକି ନୁହେଁ, କିଛି କଫ ସିରପ ଓ ଟୁଥପେଷ୍ଟରେ ମଧ୍ୟ ଆସପାର୍ଟେମ ରହିଛି। ଅନେକ ଦେଶ ଏହାକୁ ବହୁଳ ଭାବେ ବ୍ୟବହାର ମଧ୍ୟ କରୁଛନ୍ତି। ହେଲେ ନୂଆ ଗବେଷଣାରୁ ଜଣାପଡ଼ିଛି ଯେ ଆସପାର୍ଟେମ୍‌ ଦ୍ୱାରା କ୍ୟାନସର ହେବାର ଆଶଙ୍କା ରହିଛି। ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ବିପଦଜନକ ତାଲିକାରେ ସାମିଲ କରିବାକୁ ଯାଉଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି।

Leave a Reply

Your email address will not be published. Required fields are marked *