Dog Attack : ୬ ଘଣ୍ଟାରେ ୨୬ ଜଣଙ୍କୁ କାମୁଡ଼ିଲା ବୁଲା କୁକୁର! ବଜାରରେ ଆତଙ୍କ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

ମଧ୍ୟପ୍ରଦେଶ : ମାତ୍ର ୬ ଘଣ୍ଟାରେ ୨୬ ଜଣଙ୍କୁ କାମୁଡ଼ିଲା ଗୋଟିଏ ବୁଲା କୁକୁର। କାହାର ଗୋଡ଼କୁ କାମୁଡ଼ିଲା ତ ଆଉ କାହାକୁ ଗୋଡ଼ାଇ ଗୋଡ଼ାଇ କଲା ଆକ୍ରମଣ। ଏପରିକି ବାଇକ୍‌ରେ ଯାଉଥିବା ଲୋକଙ୍କୁ ମଧ୍ୟ ଛାଡ଼ିଲାନି। କୁକୁର ଆତଙ୍କରେ ଥରହର ହେଲେ ସାଧାରଣ ଲୋକେ। ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲା ଖିଲଚିପୁର ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ଏକ ଚାଞ୍ଚଲ୍ୟକର ଘଟଣା।

ସୂଚନା ଅନୁଯାୟୀ, ଶୁକ୍ରବାର ଅର୍ଥାତ୍ ନଭେମ୍ବର ୬ ତାରିଖ ମଧ୍ୟାହ୍ନ ୧୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗୋଟିଏ ବୁଲା କୁକୁର ଖିଲଚିପୁର ବଜାରରେ ଆତଙ୍କ ଖେଳାଇଥିଲା। ବଜାରକୁ କିଣାକିଣି ପାଇଁ ଆସୁଥିବା ଲୋକଙ୍କ ଉପରକୁ ହଠାତ୍ ଝାମ୍ପି ପଡ଼ୁଥିଲା। ରାସ୍ତାରେ ଯାଉଥିବା ବାଇକ୍ ଓ ସ୍କୁଟି ଚାଳକଙ୍କୁ ଗୋଡ଼ାଇ କାମୁଡ଼ୁଥିଲା। ଫଳରେ ବଜାରରେ ଦେଖାଦେଇଥିଲା ଭୟ ଓ ଆତଙ୍କର ପରିବେଶ।

କୁକୁର ଆକ୍ରମଣରେ ୨୬ ଜଣ ଆହତ ହୋଇଥିବା ବେଳେ ଅଧିକାଂଶଙ୍କ ଗୋଡ଼ରେ କ୍ଷତ ସୃଷ୍ଟି ହୋଇଛି। କେତେଜଣଙ୍କ ଗୋଡ଼ରେ ଗଭୀର କ୍ଷତ ହେବା ସହ ରକ୍ତସ୍ରାବ ମଧ୍ୟ ହୋଇଛି। ସମସ୍ତ ଆହତଙ୍କୁ ଖିଲଚିପୁର ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସା ସହ ରାବିଜ୍ ପ୍ରତିଷେଧକ ଟିକା ଦିଆଯାଇଛି।

ବ୍ଲକ୍ ମେଡିକାଲ ଅଫିସର ଡାକ୍ତର କମଲ ଦାଙ୍ଗୀଙ୍କ ସୂଚନା ଅନୁଯାୟୀ, କୁକୁର କାମୁଡ଼ାରେ ଆହତ ସମସ୍ତ ବ୍ୟକ୍ତିଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯାଇଛି।

ଅନ୍ୟପଟେ ଏହି ଘଟଣାକୁ ନେଇ ପ୍ରଶାସନ ବିରୋଧରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ। ଅଭିଯୋଗ ପରେ ମଧ୍ୟ କୁକୁରକୁ ଧରିବା ପାଇଁ ଠୋସ୍ ପଦକ୍ଷେପ ନିଆଯାଇ ନଥିବା ସେମାନେ କହିଛନ୍ତି। ଏନେଇ ସ୍ଥାନୀୟ ପ୍ରଶାସନ ସହ ମୁଖ୍ୟମନ୍ତ୍ରୀ ହେଲ୍ପଲାଇନ୍‌ରେ ମଧ୍ୟ ଅଭିଯୋଗ କରାଯାଇଛି।

ପାର୍ବଣ ସମୟରେ ବଜାରରେ ଭିଡ଼ ବଢ଼ୁଥିବାରୁ ଶିଶୁ, ବୟସ୍କ ଓ ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ତେବେ ଗୋଟିଏ କୁକୁର ୬ ଘଣ୍ଟା ଧରି ଲୋକଙ୍କୁ ଆକ୍ରମଣ କରୁଥିବା ବେଳେ ତାକୁ କାବୁ କରିବାରେ ବିଳମ୍ବ କାହିଁକି ହେଲା, ତାହା ଏବେ ବଡ଼ ପ୍ରଶ୍ନ।