ମୃତଦେହ ଚିହ୍ନଟରେ ସମସ୍ୟା,ହେବ ଡିଏନଏ ଟେଷ୍ଟ

ବାହାନଗା ଟ୍ରେନ୍ ଟ୍ରାଜେଡିକୁ ବିତିଛି ୩ ଦିନ। ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ, ରେଳ ଚଳାଚଳ ମଧ୍ୟ ସ୍ୱାଭାବିକ ହେବାରେ ଲାଗିଛି। କିନ୍ତୁ ମୃତଦେହ ଚିହ୍ନଟିକରଣ ଓ ହସ୍ତାନ୍ତରରେ ଦେଖାଦେଇଛି ସମସ୍ୟା। ଏବେ ମଧ୍ୟ ଅନେକ ମୃତଦେହ ପଡିରହିଛି, ଯାହାକୁ ଚିହ୍ନଟ କରାଯାଇନାହିଁ। ଏହା ବର୍ତ୍ତମାନ ସ୍ଥିତିରେ ସବୁଠାରୁ ବଡ ସମସ୍ୟା ହୋଇ ଠିଆ ହୋଇଛି।
ସେପଟେ ମୃତଦେହ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି। ଭୁବନେଶ୍ୱ ଏମସ ସହ ଅନ୍ୟାନ୍ୟ ହସ୍ପିଟାଲରେ ସମ୍ପର୍କୀୟମାନେ ମୃତଦେହ ନେବାକୁ ଅପେକ୍ଷା କରିଛନ୍ତି। ପ୍ରଶାସନ ପକ୍ଷରୁ ସେମାନଙ୍କୁ ସମସ୍ତ ସହଯୋଗ ଯୋଗାଇ ଦିଆଯାଉଛି। ତଥାପି ମଧ୍ୟ ଗୋଟିଏ ମୃତଦେହ ପାଇଁ ଏକାଧିକ ଦାବିଦାର ରହୁଛନ୍ତି, ଯାହା ପ୍ରଶାସନ ପାଇଁ ଚ୍ୟାଲେଂଜ ପାଲଟିଛି। ଗୋଟିଏ ମୃତଦେହ ପାଇଁ ଏକାଧିକ ଦାବିଦାର ଥିବାରୁ ମୃତଦେହ ଚିହ୍ନଟ ପାଇଁ ଡିଏନଏ ଟେଷ୍ଟ କରିବାକୁ ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ବିଏମସି କମିଶନର ଅମୃତ କୁଲାଙ୍ଗେ କହିଛନ୍ତି।

କୁଲାଙ୍ଗେଙ୍କ କହିବା ଅନୁଯାୟୀ, ଭୁବନେଶ୍ୱରକୁ ୧୭୦ଟି ମୃତଦେହ ଆସିଥିଲା। ସେଥିମଧ୍ୟରୁ ୫୦ରୁ ଅଧିକ ମୃତଦେହ ଚିହ୍ନଟୀକରଣ ହୋଇସାରିଛି। ଏହି ମୃତଦେହ ଗୁଡ଼ିକ ପଠାଇବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। କିନ୍ତୁ ସବୁଠାରୁ ବଡ ସମସ୍ୟା ହେଉଛି କି, ଦୁର୍ଘଟଣାର ତିନି ଦିନ ବିତିଯାଇଥିଲେ ମଧ୍ୟ ଅନେକ ମୃତଦେହକୁ ଚିହ୍ନଟ କରାଯାଇ ପାରିନି। କାରଣ ସେସବୁ ମୃତଦେହ ଏମିତି ସ୍ଥିତିରେ ରହିଛି କି, ତାହାକୁ ଚିହ୍ନଟ କରିବା ସମ୍ଭବ ହେଉନାହିଁ। ତେଣୁ ଚିହ୍ନଟ କରିବାରେ ସମସ୍ୟା ଦେଖାଦେଇଛି।

ଦୁର୍ଘଟଣାକୁ ୩ ଦିନ ବିତିଗଲାଣି। ତେଣୁ ମୃତଦେହ ପଚିବାର ଆଶଙ୍କା ସୃଷ୍ଟି ହେଲାଣି। ଏଥିପାଇଁ ଦିଲ୍ଲୀରୁ ଆସିଥିବା ସ୍ୱତନ୍ତ୍ର ଡାକ୍ତରୀଦଳ ମୃତଦେହରେ ବିଭିନ୍ନ କେମିକାଲ ଦେଇ ସଂରକ୍ଷିତ ରଖିଛନ୍ତି। ଏହାସହ ଆହତମାନଙ୍କ ଚିକିତ୍ସା ଯୁଦ୍ଧକାଳୀନ ଭତ୍ତିରେ କରାଯାଉଛି।

Leave a Reply

Your email address will not be published. Required fields are marked *