
ପୁଣି ବିବାଦରେ ଛନ୍ଦି ହୋଇ ପଡିଛନ୍ତି ଜିଲ୍ଲା ସୁରକ୍ଷା ଅଧିକାରିଣୀ। ବାଃ ବାଃ ନେବାପାଇଁ ବାହାଘର ପୂର୍ବରୁ ସାବାଳିକା ଝିଅକୁ ନାବାଳିକା ଭାବି ଘରୁ ଉଠଇ ଆଣିଲେ ଅଧିକାରିଣୀ। ଘର ଲୋକଙ୍କ ଠାରୁ ନେଇ ଗାଁ ଲୋକ ବାହାଘରକୁ ନେଇ ସମସ୍ତେ ଖୁସି ଥିବାବେଳେ ହଠାଥ୍ ସେଥିରେ ଭଟ୍ଟା ପଡିଥିଲା । ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଖୁଡି ପଞ୍ଚାୟତ ବଡ଼ମାର୍ଲା ଗାଁରେ।

ସୂଚନାନୁସାରେ, କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଖୁଡି ପଞ୍ଚାୟତ ବଡ଼ମାର୍ଲା ଗାଁରେ ଜଣେ ନାବାଳିକା ଝିଅର ବାହାଘର ହେଉଥିବାର ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ ଖବର ପାଇଥିଲେ । ଏହି ବାହାଘର ବନ୍ଦ କରିବା ପାଇଁ ସେ ନିର୍ଦେଶ ଦେଇଥିଲେ । ଘରେ ଜଗବନ୍ଧୁ ମାଝୀ ଓ ତାଙ୍କ ପତ୍ନୀ ନଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ବିନା କୌଣସି ଯାଞ୍ଚରେ ତାଙ୍କ ଝିଅ ସାବିତ୍ରୀ ମାଝୀଙ୍କୁ ଜଣେ ସୁପରଭାଇଜର ଉଠାଇ ନେଇଥିଲେ । ପରେ ଖବର ପାଇ ବାପା ଜଗବନ୍ଧୁ ଶିଶୁ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ କୋରାପୁଟ ଯାଇଥିଲେ । ସେପଟେ ରାତି ପାହିଲେ ଝିଅର ବାହାଘର, ଘର ଓ ଗାଁ ଖୁସିରେ ଫାଟି ପଡୁଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କ ଖାମଖିଆଲ ଯୋଗୁ ଖୁସିରେ ଭଟ୍ଟା ପଡିଥିଲା । ସାବିତ୍ରୀଙ୍କ ଜନ୍ମ ଓ ସ୍କୁଲ ସାର୍ଟିଫିକେଟ ଯାଞ୍ଚ ପରେ ସେ ସାବାଳିକା ଥିବା ଜଣା ପଡିଥିଲା । ଏଠାରେ ପ୍ରଶ୍ନ ଉଠୁଛି ଅଧିକାରୀ ମାନେ କାହିଁକି ଘଟଣାସ୍ଥଳରେ ସମସ୍ତ ଦସ୍ତାବିଜ ଯାଞ୍ଚ ନକରି ପରିବାରକୁ ଶାରିରୀକ ତଥା ମାନସିକ ଯନ୍ତ୍ରଣା ଦେଇଥିଲେ । ଯାହାକୁ ନେଇ ଗଣମାଧ୍ୟମରେ କ୍ଷୋଭ ପ୍ରକାଶ କରିଛନ୍ତି ଜଗବନ୍ଧୁ ମାଝୀ ।

ଏସମ୍ପର୍କରେ ଖୁଡ଼ି ସେକ୍ଟର ସୁପରଭାଇଜର ମଞ୍ଜୁ ବାଳା ନାୟକଙ୍କୁ ପଚାରିବାରୁ ଡିସିପିଓ ମ୍ଯାଡାମ ତାଙ୍କୁ ଓ ଏନ ଜି ଓ ‘ଶୋଭା’ ର ବିମଳା ପାଙ୍ଗିଙ୍କୁ ମାଳିମାର୍ଲା ଏବଂ ବଡ଼ମାର୍ଲା ର ୨ ଝିଅଙ୍କୁ ତୁରନ୍ତ ଆଣି ସି ଡବ୍ଲୁ ସି ରେ ହାଜର କରିବାକୁ ନିର୍ଦ୍ଧେଶ ଦେଇଥିଲେ । କିନ୍ତୁ ସେ ମନାକରି ଉଭୟଙ୍କୁ ପଟ୍ଟାଙ୍ଗି ଥାନାକୁ ନେଇଥିଲେ ସେଠାରେ ମୋତେ କିଛି କହିବାକୁ ମଧ୍ୟ ସୁଯୋଗ ନ ଦେଇ ତୁରନ୍ତ ସି ଡବ୍ଲୁ ସି ଙ୍କ ନିକଟକୁ ନେବାକୁ କହିଥିଲେ । ପରେ ଝିଅ ମାନଙ୍କୁ ଛାଡ଼ିଦେଇଥିଲେ ବୋଲି କହିଥିଲେ । ଅପର ପକ୍ଷରେ ଡ଼ି ସି ପି ଓ ରାଜଶ୍ରୀ ଦାସଙ୍କୁ ପଚାରିବାରୁ ସେ ଅନ୍ୟ ଅଧିକାରୀଙ୍କ ଉପରେ ସବୁ ଦୋଷ ଲଦିବାକୁ ଚେଷ୍ଟା କରିଥିଲେ।
ଏ ବାବଦରେ କୋରାପୁଟ ସାଂସଦ ସପ୍ତଗିରି ଉଲକାଙ୍କୁ ପଚାରିବାରୁ ଏ ବାବଦରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବି ଯଦି ଦୋଷୀ ହେଲେ ତାଙ୍କ ଉପରେ ଆକ୍ସନ ନିଆଯିବ ବୋଲି କହିଥିଲେ।
ତେବେ ଏଠି ପ୍ରଶ୍ନ ଉଠୁଛି ଜଣେ ଜିଲ୍ଲା ସ୍ତରୀୟ ଅଧିକାରୀ ଠିକଭାବେ କାଗଜପତ୍ର ଯାଞ୍ଚ ନକରି କିଭଳି ଜଣେ ସାବଳିକାକୁ ଉଠାଇ ଆଣିଥିଲେ |ଏ ସମ୍ପର୍କରେ ତଦନ୍ତର ନିହାତି ଆବଶ୍ୟକତା ରହିଛି ।