ଟ୍ରେନ ଦୁର୍ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିଶ

ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ ଟ୍ରାଜେଡିର ସିବିଆଇ ତଦନ୍ତ ପାଇଁ ସୁପାରିସ। ରେଲୱେ ବୋର୍ଡ ପକ୍ଷରୁ ଏହି ସିବିଆଇ ତଦନ୍ତ ସୁପାରିସ କରାଯାଇଛି। କେଉଁ ପରିସ୍ଥିତିରେ ଘଟଣା ଘଟିଲା, କେଉଁମାନେ ଏଥିପାଇଁ ଦାୟୀ ତାହାର ତଦନ୍ତ ହେବ। ଆଜି ସିବିଆଇ ତଦନ୍ତ ସୁପାରିସ ସମ୍ପର୍କରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ରେଳମନ୍ତ୍ରୀ କହିଛନ୍ତି, ଯେଉଁ ପରିସ୍ଥିତିରେ ଘଟଣା ଘଟିଲା ତାହାର ବିଭାଗୀୟ ତଥ୍ୟ ମିଳିବା ପରେ ରେଲୱେ ବୋର୍ଡ ଏହାର ସିବିଆଇ ତଦନ୍ତ ସୁପାରିସ୍ କରିଛି। ତେଣୁ ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦିଆଯିବ।
ସୂଚନା ଥାଉକି, ବାହାନାଗା ରେଳଷ୍ଟେଶନ ନିକଟରେ ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଓ ବେଙ୍ଗାଲୁରୁ-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଥିଲା। ଏହି ଦୁର୍ଘଟଣାକୁ ଦୁଇଦିନ ବିତିଥିଲେ ହେଁ ଏପର୍ଯ୍ୟନ୍ତ କାହାର ଭୁଲ ଏଥିପାଇଁ ଦାୟୀ ସ୍ପଷ୍ଟ କରାଗଲାନି କିମ୍ବା ଦୃଢ଼ କାର୍ଯ୍ୟାନୁଷ୍ଠାନ ହୋଇନି। ଯେତେବେଳେ କି ପ୍ରଧାନମନ୍ତ୍ରୀ ଘଟଣାସ୍ଥଳ ଯାଞ୍ଚ କରିବା ପରେ ଭୁଲ କରିଥିବା ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ। ଅନ୍ୟପଟେ ଘଟଣାର ତଦନ୍ତ କରୁଥିଲା ରେଲୱେ ସୁରକ୍ଷା ବୋର୍ଡ। ବୋର୍ଡ ଚାହିଁଥିଲେ ବିଭାଗୀୟ ଯାଞ୍ଚ ରିପୋର୍ଟରୁ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିଥାଆନ୍ତା। ହେଲେ ଏପରି ନ କରି ଘଟଣାକୁ ସିବିଆଇ ତଦନ୍ତ ନିମନ୍ତେ ଦିଆଯିବା ଆଲୋଚନାର ବିଷୟ ହୋଇଛି।

ରେଳ ମନ୍ତ୍ରୀ ଏହା ପୂର୍ବରୁ କହିଥିଲେ କି ଦୁର୍ଘଟଣାର ମୂଳ କାରଣ ଜଣାପଡ଼ିଛି ବୋଲି ରବିବାର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି। ମନ୍ତ୍ରୀ କହିଛନ୍ତି କି, ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମରେ ପରିବର୍ତ୍ତନ ଯୋଗୁ ଏହି ଦୁର୍ଘଟଣା ଘଟିଛି। ଆଉ ଏଥିପାଇଁ ଦାୟୀ ବ୍ୟକ୍ତିର ଚିହ୍ନଟିକରଣ ସରିଛି।
ରେଳ ମନ୍ତ୍ରୀ ଆହୁରି କହିଛନ୍ତି କି, ଏହି ଦୁର୍ଘଟଣାର ତଦନ୍ତ ଶେଷ ହୋଇଯାଇଛି। ରେଳ ସେଫ୍ଟି କମିଶନର ତଦନ୍ତ କରିଛନ୍ତି। ତେବେ ବର୍ତ୍ତମାନ ପରିସ୍ଥିତିରେ କିଛି କହିବା ଠିକ ହେବ ନାହିଁ। ଆମେ ସମସ୍ତେ ତଦନ୍ତ ରିପୋର୍ଟକୁ ଅପେକ୍ଷା କରିବା। ତେବେ ଦୁର୍ଘଟଣାର କାରଣ ଜଣାପଡ଼ିଛି। ଏହି ଘଟଣା ପାଇଁ ଦାୟୀ ଥିବା ଲୋକଙ୍କ ଚିହ୍ନଟ କରାଯାଇଛି।

କବଚର ଏହି ଦୁର୍ଘଟଣା ସହିତ କିଛି ସଂପର୍କ ନାହିଁ। ଏହି ଘଟଣା ପୂରା ଅଲଗା। ଏଥିରେ ପଏଣ୍ଟ ମେସିନର କଥା ଆସୁଛି। ଇଲେକ୍ଟ୍ରୋନିକ ଇଣ୍ଟରଲକିଂର କଥା ଆସୁଛି। ଇଲେକ୍ଟ୍ରୋନିକ ଇଣ୍ଟରଲକିଂରେ ପରିବର୍ତ୍ତନ ଯୋଗୁ ଏହି ଦୁର୍ଘଟଣା ଘଟିଛି। ଯେଉଁମାନେ ଏଥିପାଇଁ ଦାୟୀ ତାହା ତଦନ୍ତ ରିପୋର୍ଟ ଆସିବା ପରେ ଜଣାପଡ଼ିବ।

Leave a Reply

Your email address will not be published. Required fields are marked *