Delhi Pollution : ଦୀପାବଳି ପୂର୍ବରୁ ବିଷାକ୍ତ ହେଲା ଦିଲ୍ଲୀର ପବନ !

ଦୀପାବଳି ପୂର୍ବରୁ ବିଷାକ୍ତ ହେଲା ରାଜଧାନୀ ଦିଲ୍ଲୀର ବାୟୁ। ଧୂଆଁ ଓ ଧୂଳିର ମୋଟା ଆସ୍ତରଣ ତଳେ ଢାଙ୍କି ହୋଇଯାଇଛି ଦିଲ୍ଲୀ-ଏନ୍‌ସିଆର୍‌। ସ୍ଥିତି ଏମିତି ହୋଇଛି ଯେ, ଅନେକ ଅଞ୍ଚଳରେ ନିଶ୍ୱାସ ନେବା ମଧ୍ୟ କଷ୍ଟକର ହୋଇପଡ଼ିଛି। ଦୀପାବଳି ପୂର୍ବରୁ ବାୟୁ ପ୍ରଦୂଷଣ ଚିନ୍ତାଜନକ ସ୍ତରରେ ପହଞ୍ଚିଥିବା ବେଳେ ଅନେକ ସ୍ଥାନରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ବା AQI ୪୦୦ ଅତିକ୍ରମ କରିଛି।

ଶନିବାର ସକାଳ ୮ଟା ସୁଦ୍ଧା ଦିଲ୍ଲୀର ସାମଗ୍ରିକ AQI ୩୬୪ ରେକର୍ଡ କରାଯାଇଛି। କିନ୍ତୁ ଆଇଆଇଟି ଦିଲ୍ଲୀ ଅଞ୍ଚଳରେ AQI ୪୪୩, ପଞ୍ଜାବୀ ବାଗ୍‌ରେ ୪୩୩ ଏବଂ ନରେଲାରେ ୪୦୯ ରେକର୍ଡ ହୋଇଛି। ଏହି ସବୁ ଅଞ୍ଚଳର ବାୟୁ ଗୁଣବତ୍ତା ଅତ୍ୟନ୍ତ ଗମ୍ଭୀର ଶ୍ରେଣୀରେ ପହଞ୍ଚିଛି।

ପ୍ରଦୂଷଣର ବଢ଼ୁଥିବା ସ୍ତରକୁ ଦୃଷ୍ଟିରେ ରଖି ଦିଲ୍ଲୀ-ଏନ୍‌ସିଆର୍‌ରେ ଲାଗୁ ହୋଇଛି GRAP-3 କଟକଣା। ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ବା CAQM ପକ୍ଷରୁ ନଭେମ୍ବର ୬ ତାରିଖରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ଅଧୀନରେ ଧୂଳି ସୃଷ୍ଟି କରୁଥିବା ଅଣଜରୁରୀ ନିର୍ମାଣ ଓ ଭଙ୍ଗା କାର୍ଯ୍ୟ ଉପରେ କଟକଣା ଲଗାଯାଇଛି। ସେହିପରି BS-3 ପେଟ୍ରୋଲ ଏବଂ BS-4 ଡିଜେଲ ଚାରିଚକିଆ ଗାଡ଼ି ଚଳାଚଳ ଉପରେ ମଧ୍ୟ ନିର୍ଦ୍ଦିଷ୍ଟ କଟକଣା ଲାଗୁ ହୋଇଛି।

ଅନ୍ୟପଟେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଠପଢ଼ା ପାଇଁ ହାଇବ୍ରିଡ୍ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଉଛି। ଲୋକଙ୍କୁ ଅନାବଶ୍ୟକ ଯାତାୟାତ ଏଡ଼ାଇବା ସହ ପ୍ରଦୂଷଣ ବଢ଼ାଉଥିବା କାର୍ଯ୍ୟରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।

ସବୁଠୁ ବଡ଼ ଚିନ୍ତା ହେଉଛି ଆଗକୁ ଦୀପାବଳି। ବାଣ ଫୁଟାଇବା ଏବଂ ପବନର ବେଗ କମିବା ଫଳରେ ପ୍ରଦୂଷଣ ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ନଭେମ୍ବର ୭ରୁ ୯ ତାରିଖ ପର୍ଯ୍ୟନ୍ତ ବାୟୁର ମାନ ଗମ୍ଭୀର ଶ୍ରେଣୀରେ ରହିପାରେ ବୋଲି ପୂର୍ବାନୁମାନ କରାଯାଇଛି। ତେବେ ପ୍ରଶାସନର କଟକଣା ପ୍ରଦୂଷଣକୁ କେତେ ନିୟନ୍ତ୍ରଣ କରିପାରୁଛି, ତାହା ଏବେ ବଡ଼ ପ୍ରଶ୍ନ।