କୁସ୍ତିଯୋଦ୍ଧାଙ୍କୁ ସମର୍ଥ କରିବା ପାଇଁ ଜନ୍ତରମନ୍ତରରେ ଭିଡ ଜମାଇ ପାରନ୍ତି ଅସଂଖ୍ଯ ଲୋକ, ତେଣୁ ଦିଲ୍ଲୀ ପୋଲିସକୁ ସକର୍ତ ରହିବାକୁ ସୂଚନା

ରାଜଧାନୀ ଦିଲ୍ଲୀର ସମସ୍ତ ଜିଲ୍ଲାରେ ପୋଲିସକୁ ଆଲର୍ଟ କରାଯାଇଛି । ସମସ୍ତ ଜିଲ୍ଲାର ଡିସିପି ମାନଙ୍କୁ ସୀମାବର୍ତ୍ତୀ ଅଞ୍ଚଳରେ ବିଶେଷ ନଜର ରଖିବା ସହ ପିକେଟିଂ କରି ଦିଲ୍ଲୀକୁ ସଂଯୋଗ କରୁଥିବା ସମସ୍ତ ରୁଟକୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜନ୍ତର ମନ୍ତରରେ ଚାଲିଥିବା କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ସମର୍ଥନ କରିବାକୁ ବହୁ ସଂଖ୍ୟାରେ ଲୋକ ସେଠାରେ ପହଞ୍ଚିବାର ଇନପୁଟ ଦିଲ୍ଲୀ ପୋଲିସକୁ ମିଳିବା ପରେ ଏହା ସତର୍କତା ଜାରି କରାଯାଇଛି ।

ଗତକାଲି ମଧ୍ୟରାତ୍ରିରେ କୁସ୍ତି ଯୋଦ୍ଧାଙ୍କ ସହିତ ପ୍ରବଳ ଯୁକ୍ତିତର୍କ ଏବଂ ଗାଳିଗୁଳଜ ହେବା ପରେ ପୋଲିସକୁ ସତର୍କ ରହିବାକି କୁହାଯାଇଛି । ଜନ୍ତର ମନ୍ତର ଠାରେ ଆଜକୁ ୧୨ ଦିନ ଧରି ଖେଳାଳୀ ମାନେ ଧାରଣାରେ ବସିଛନ୍ତି । ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଶୋଷଣ ଭଳି ସଙ୍ଗୀନ ଅଭିଯୋଗ ଆଣି ବିରୋଧ କରୁଥିବା କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଘଟଣା କ୍ରମ ଦ୍ରୁତ ଗତିରେ ବଦଳୁଛି । ମଙ୍ଗଳବାର ଅପରାହ୍ନରେ କୁସ୍ତି ଯୋଦ୍ଧାଙ୍କୁ ଭେଟିବାକୁ ଆସିଥିବା ପିଟି ଉଷାଙ୍କୁ ଆନ୍ଦୋଳନକାରୀ ମାନେ ଖରାପ ବ୍ୟବହାର ଦେଖାଇଥିବାରୁ ଏପରି ସ୍ଥିତି ଆରମ୍ଭ ହୋଇଥିବା କୁହାଯାଉଛି । ଏହାପରେ ଦିଲ୍ଲୀ ପୋଲିସ ଜନ୍ତର ମନ୍ତରରେ ଧାରା ୧୪୪ ଲାଗୁ କରିଥିଲା । ଜନ୍ତର ମନ୍ତର ଏବଂ ଏହାର ଆଖପାଖ ଅଞ୍ଚଳରେ ଧାରା ୧୪୪ ଲାଗୁ ହେବା ପରେ ଦିଲ୍ଲୀ ପୋଲିସ ଓ ରେସଲରଙ୍କ ସହ ଯୁକ୍ତିତର୍କ ହୋଇଥିଲା । ଏହି ମାମଲାର ଅଭିଯୋଗ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିକଟରେ ପହଞ୍ଚିଯାଇଛି ।

ଏହାପରେ ପ୍ରମୁଖ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଲୋକଙ୍କ ଦୃଷ୍ଟି ଆକର୍ଷିଣ କରି କହିଥିଲେ ଯେ, ଆଜି କୁସ୍ତି ଯୋଦ୍ଧାଙ୍କୁ ଦେଶର କୋଣଅନୁକୋଣରୁ ଲୋକଙ୍କ ଆବଶ୍ୟକତା ପଡୁଛି । ଆପଣ ଯେଉଁଠାରେ ଥାଆନ୍ତୁ ନା କହିଁକି ଏଠାକୁ ଆସି ଆମକୁ ସମର୍ଥନ କରନ୍ତୁ । କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରିବା ପରିବର୍ତ୍ତେ ଦିଲ୍ଲୀ ପୋଲିସ ଯୌନ ଶୋଷଣ ଅଭିଯୋଗର ଶିକାର ହୋଇଥିବା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କୁ ସମର୍ଥନ କରୁଛି । ଏପର୍ଯ୍ୟନ୍ତ କୈଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ପୁନିଆଙ୍କ ଆବେଦନ ପରେ ଘଟଣାକ୍ରମ ଦ୍ରୁତ ଗତିରେ ବଦଳିବା ଆରମ୍ଭ କରିଛି । ତେଣୁ ଆଜି ବହୁ ସଂଖ୍ୟାରେ ଲୋକ ଜନ୍ତର ମନ୍ତରରେ ଆସି ପହଞ୍ଚିବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *