ପୁଣି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବଦଳାଇଲେ ମୁଖ୍ୟ ଶାସନ ସଚିବ

ବାହାନଗା ଟ୍ରେନ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟାକୁ ନେଇ ଆଜି ପୁଣି ନୂଆ ରିପୋର୍ଟ ଉପସ୍ଥାପନ କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ମୁଖ୍ୟ ଶାସନ ସଚିବ ଟ୍ରେନ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୨୮୮ ବୋଲି ସୂଚନା ଦେଇଛନ୍ତି। ବାଲେଶ୍ୱର ଜିଲ୍ଲାପାଳଙ୍କ ଚୂଡ଼ାନ୍ତ ରିପୋର୍ଟକୁ ଆଧାର କରି ମୁଖ୍ୟ ଶାସନ ସଚିବ ମୃତ୍ୟୁ ସଂଖ୍ୟାକୁ ନେଇ ନୂଆ ସୂଚନା ଦେଇଛନ୍ତି।

ମୁଖ୍ୟ ଶାସନ ସଚିବ କହିଛନ୍ତି କି, ସମସ୍ତ ପ୍ରକାର ଯାଞ୍ଚ ପରେ ଚୂଡ଼ାନ୍ତ ମୃତ୍ୟୁ ସଂଖ୍ୟା ୨୮୮ ଥିବା ରିପୋର୍ଟ ହୋଇଛି। ଭୁବନେଶ୍ୱରକୁ ମୋଟ ୧୯୩ଟି ମୃତଦେହ ଆସିଥିବା ବେଳେ ବାଲେଶ୍ୱରରେ ୯୪ଟି ମୃତଦେହ ସଂପୃକ୍ତ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ସେହିପରି ଭଦ୍ରକ ଡାକ୍ତରଖାନାରେ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହି ମୃତଦେହକୁ ପରିବାର ଲୋକଙ୍କୁ ମଧ୍ୟ ହସ୍ତାନ୍ତର କରାଯାଇଛି।

ଭୁବନେଶ୍ୱର ଆସିଥିବା ୧୯୩ଟି ମୃତଦେହରୁ ୧୧୦ଟି ଚିହ୍ନଟ କରାଯାଇ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ମୋଟ ୨୮୮ଟି ମୃତଦେହରୁ ୨୦୫ଟିକୁ ଚିହ୍ନଟ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାସରିଛି। ୮୩ ମୃତଦେହ ଚିହ୍ନଟ ନ ହୋଇ ରହିଥିବା ବେଳେ ସେସବୁର ଡିଏନ୍‌ଏ ସାମ୍ପଲ ରଖାଯାଇଛି। ଦାବିଦାର ଆସିଲେ ଡିଏନ୍‌ଏ ମ୍ୟାଚ୍ କରି ମୃତଦେହ ହସ୍ତାନ୍ତର କରାଯିବ।

ତେବେ ଏହା ପୂର୍ବରୁ ରବିବାର ପୂର୍ବାହ୍ନରୁ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା କି, ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଛି। କିନ୍ତୁ ମୁଖ୍ୟ ଶାସନ ସଚିବ ସେହିଦିନ ଏହାକୁ ଖଣ୍ଡନ କରି କହିଥିଲେ ଯେ ମୋଟ ମୃତ୍ୟୁ ସଂଖ୍ୟା ୨୭୫ । ତା’ପୂର୍ବଦିନ ରେଳବାଇ ପକ୍ଷରୁ ମୃତ୍ୟୁ ସଂଖ୍ୟା ୨୮୮ ବୋଲି କୁହାଯାଇଥିଲା। ଗତକାଲି ରେଳମନ୍ତ୍ରଣାଳୟ ମୃତ୍ୟୁ ସଂଖ୍ୟା ୨୭୮ ଥିବା ସୂଚନା ଦେଇଥିଲା।

କିନ୍ତୁ ଏସବୁ ସଂଖ୍ୟାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଖଣ୍ଡନ କରି ଚାଲିଛନ୍ତି। ଦୁର୍ଘଟଣା ପରେ ତାଙ୍କ ରାଜ୍ୟର ୩୧ ଜଣ ଯାତ୍ରୀ ନିଖୋଜ ଥିବା ସେ କହିଛନ୍ତି। ଏଥିସହ, ଦୁର୍ଘଟଣାସ୍ଥଳରେ ଥିବା ବହୁ ପ୍ରତ୍ୟକ୍ଷଦର୍ଶୀ କୁହନ୍ତି ମୃତ୍ୟୁ ସଂଖ୍ୟା ୫୦୦ରୁ ଅଧିକ ହେବ। ସରକାର ଏହାକୁ ଲୁଚାଉଛି। ସେପଟେ ଦୁର୍ଘଟଣାଗ୍ରସ୍ତ ଟ୍ରେନରେ ଥିବା ଯାତ୍ରୀଙ୍କ ମଧ୍ୟରେ ଥିବା ୧୫ ବର୍ଷରୁ କମ ବୟସର ପିଲାଙ୍କ ସମ୍ବନ୍ଧରେ କୌଣସି ତଥ୍ୟ ନ ଥିବାକୁ ନେଇ ଚାଇଲ୍ଡ ଲାଇନର ନିର୍ଦ୍ଦେଶକ ବେଣୁଧର ସେନାପତି ପ୍ରଶ୍ନ କରିଛନ୍ତି।
ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ମଧ୍ୟରେ ହାତ ଗଣତି କିଛି ପିଲାଙ୍କୁ ଦେଖିବାକୁ ମିଳିଥିବା ବେଳେ ଅନ୍ୟମାନେ କେଉଁଠି ଓ କେମିତି ଅଛନ୍ତି ସେ ନେଇ ତ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟିକରଣ ଦିଆଯାଇ ନାହିଁ। ଯେଉଁଠି ବୟସ୍କଙ୍କର ଶରୀର ଟ୍ରେନ ଦୁର୍ଘଟଣାରେ ଖଣ୍ଡ ବିଖଣ୍ଡ ହୋଇଛି, ସେଠି ପୂର୍ଣ୍ଣ ଶାରୀରିକ ବିକାଶ ଲାଭକରିନଥିବା ପିଲା ଯେ କିପରି ସୁରକ୍ଷିତ ଥିବେ ବୋଲି ପ୍ରଶ୍ନ କରିବା ସହ ଦୁର୍ଘଟଣାରେ ଅନେକ ଶିଶୁ ଅନାଥ ହୋଇଥିବା ସନ୍ଦେହ କରି ସେମାନଙ୍କ ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସେନାପତି।

Leave a Reply

Your email address will not be published. Required fields are marked *