ଜୀବନ ଯୁଦ୍ଧରେ ଦମୟନ୍ତୀ…କେବେ ଛାତ୍ରୀ, କେବେ ଅଟୋବାଲି ଦିଦି

ସକାଳେ ଅଙ୍ଗନୱାଡି ଦିଦି, ଅଙ୍ଗନବାଡି ସରିଲେ ଅଟୋ ଚାଳିକା । ପୁଣି ରାତି ହେଲେ ନିଜର ପାଠପଢ଼ା । କେନ୍ଦୁଝର ସହର ବଡ଼ଡେରା ଗ୍ରାମର ଦମୟନ୍ତୀ ନାଏକଙ୍କ ସଂଘର୍ଷମୟ କାହାଣୀ ନାରୀ ସମାଜ ପାଇଁ ଜ୍ବଳନ୍ତ ଉଦାହରଣ ।

ସାହରପଡା ବ୍ଲକ କଟୁପଡ଼ା ଗାଁରେ ଜନ୍ମିତ ଦମୟନ୍ତୀଙ୍କୁ ଯେତେବେଳେ ମାତ୍ର ୧୫ ବର୍ଷ ହୋଇଥିଲା ସେତେବେଳେ ବଡ଼ଡେରା ଗାଁର ପଦ୍ମଲୋଚନ ନାଏକଙ୍କ ସହିତ ତାଙ୍କର ବିବାହ ହୋଇଥିଲ । ସ୍ବାମୀ ଜଣେ ଟେଲର ମିସ୍ତ୍ରୀ ହୋଇଥିବାରୁ ସ୍ୱାମୀଙ୍କୁ ଟେଲର କାମରେ ସହାୟତା କରୁଥିଲେ ଦମୟନ୍ତୀ । କିନ୍ତୁ ଆଜିକାଲି ଟେଲରର ଚାହିଦା କମି ଯିବାରୁ ଘର ଚଳିବା କଷ୍ଟକର ହେଲା । ତେଣୁ, ୨୦୦୯ ମସିହାରେ ଦମୟନ୍ତୀ ଗାଁ ଅଙ୍ଗନବାଡିରେ ଅଙ୍ଗନବାଡି କର୍ମୀ ଭାବେ ନିଯୁକ୍ତି ପାଇଲେ । ନିଯୁକ୍ତି ପାଇବା‌ ପ‌ରେ ଦମୟନ୍ତୀଙ୍କର ପାଠ ପଢ଼ିବାକୁ ଇଚ୍ଛା ହେଲା । ତେଣୁ ସେ ୨୦୧୧ ମସିହାରେ ମାଛଗଡ ମହାବିଦ୍ୟାଳୟରୁ ଯୁକ୍ତ ଦୁଇରେ ଉତ୍ତୀର୍ଣ୍ଣ ହେଲେ । ଏହାପରେ ପୁଣି ତାଙ୍କର ପାଠ ପଢ଼ାରେ ଡୋରୀ ଲାଗିଥିଲା । କିନ୍ତୁ, ଅଙ୍ଗନବାଡି ଦିଦି ଭାବେ ଯେତିକି ଦରମା ମିଳୁଥିଲା ସେତିକିରେ ପିଲାଙ୍କୁ ପାଠ ପଢ଼ାଇ ଘର ଚଳିବା କଷ୍ଟକର ଥିଲା । ତେଣୁ ଦମୟନ୍ତୀ ଏକ ଅଟୋ କିଣି ନିଜେ ଚଲାଇବା ପାଇଁ ନି‌ଷ୍ପତ୍ତି ନେଲେ, ଆଉ ଫାଇନାନ୍ସ କରି ଅଟୋ କିଣିଲେ । ପ୍ରଥମେ ଜଣେ ଡ୍ରାରଇଭର ରଖିଥିଲେ ହେଲେ ନିଜେ ଅଟୋ ଚଲାଇବା ଶିଖିଯିବା ପରେ ଏବେ ନିଜେ ସହର ସାରା ଅଟୋ ଚଳାଇ ରୋଜଗାର କରୁଛନ୍ତି । ଦମୟନ୍ତୀ କୁହନ୍ତି, ପାଠ ପଢ଼ିବା ବୟସରେ ବିବାହ ହୋଇ ଯାଇଥିଲା । ଏହାପରେ ପରିବାର ଚଳାଇବା ପାଇଁ ଅଙ୍ଗନବାଡି ଦିଦି ଚାକରି କରିଥିଲି। କିନ୍ତୁ ସେଥିରୁ ମିଳୁଥିବା ଦରମାରେ ଘର ଚଳିପାରୁ ନଥିଲା । ଯେଉଁଥିପାଇଁ ଅଟୋଟିଏ କିଣି ଚଲାଉଛି ।

ସକାଳ ୯ଟାରୁ ଗୋଟାଏ ପର୍ଯ୍ୟନ୍ତ ଅଙ୍ଗନବାଡି କେନ୍ଦ୍ରରେ ଛୋଟଛୋଟ ପିଲାଙ୍କ ପାଠପଢ଼ା କଥା ବୁଝିବା ପରେ ଗୋଟାଏରୁ ୨ଟା ପର୍ଯ୍ୟନ୍ତ ପ୍ରତ୍ୟେକ ଘର ବୁଲି ସରକାରଙ୍କ ବିଭିନ୍ନ ଯୋଜନାର ଦାୟିତ୍ୱ ତୁଲାଇଥାନ୍ତି । ଏହାପରେ ଘରକୁ ଫେରି ପରିବାର କଥା ବୁଝିବା ପରେ ପୁଣ ଅପରାହ୍ନ ୪ଟାରୁ ଅଟୋ ଧରି କେନ୍ଦୁଝର ସହରକୁ ବାହାରି ଆସନ୍ତି । ସହରରେ ବିଭିନ୍ନ ଛକରେ ଯେଉଁ ଗ୍ରାହକ ମିଳିଥାନ୍ତି, ତାଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାନ୍ତି । ପ୍ରତ୍ୟେକ ଦିନ ଦମୟନ୍ତୀ ଅଟୋ ଚଲାଇ ୧୦୦୦ ଟଙ୍କା ଭଳି ରୋଜଗାର କରନ୍ତି । ଅଙ୍ଗନବାଡି ଦିଦି ଭାବେ ଯେତିକି ଦରମା ପାଆନ୍ତି, ତା’ର ଚାରି ଗୁଣା ଏବେ ଅଟୋରୁ ରୋଜଗାର କରିବା ପରେ ପରିବାର ଆର୍ଥିକ ସ୍ଥିତି ବଦଳିଛି ଏବଂ ଭଲରେ ଚଳୁଛନ୍ତି ଦମୟନ୍ତୀ । ତେବେ ଆର୍ଥିକ ସ୍ଥିତି ବଦଳିବା ପରେ ଦମୟନ୍ତୀ ପୁଣି ପାଠ ପଢ଼ିବାକୁ ମନ ବଳାଇଲେ । ପୁଅ ବିଏସି ପଢ଼ୁଥିବା ବେଳେ ସେ ନିଜେ ବିଏ ପଢ଼ିବା ପାଇଁ ମନ କଲେ । ତେଣୁ ଦୁଇ ବର୍ଷ ତଳେ ସେ ପିପିଳିଆର ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟରେ ଯୁକ୍ତି ତିନି ରାଜନୀତି ବିଜ୍ଞାନ ସମ୍ମାନରେ ନାମ ଲେଖାଇଛନ୍ତି । ଚଳିତ ବର୍ଷ ଦମୟନ୍ତୀଙ୍କର ଶେଷ ବର୍ଷ ପାଠପଢ଼ା । ଏପରି ସାହସିକତା ପାଇଁ ତାଙ୍କୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା ମଧ୍ୟ ମିଳିଥାଏ ।

ପରିବାର ବୋଝ ମୁଣ୍ଡାଇବାକୁ ଯାଇ ଆଜି ଦମୟନ୍ତୀ ଯାହା କରୁଛନ୍ତି ତାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ନିଶ୍ଚୟ । ସମାଜରେ ଲୋକ କଣ କହିବେ ଭାବି ପଛରେ ରହିଯାଉଥିବା ମହିଳାଙ୍କ ପାଇଁ ଦମୟନ୍ତୀ ହେଉଛନ୍ତି ଉଦାହରଣ ।

Leave a Reply

Your email address will not be published. Required fields are marked *