ଦିଗପହଣ୍ଡି: ବସ୍ ଦୁର୍ଘଟଣାରେ ୧୨ ମୃତ, ପରିବାରକୁ ମିଳିବ ୩ ଲକ୍ଷ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଖେମୁଣ୍ଡି କଲେଜ ନିକଟରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟିଛି । ଏଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ଗୁରୁତର ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଏହି ମର୍ମନ୍ତୁକ ଦୁର୍ଘଟଣା ଘଟିଥିଲା । OSRTC ବସ୍ ଓ ଘରୋଇ ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା । ବ୍ରହ୍ମପୁରରୁ ବିବାହ ଭୋଜି ସାରି ଏକ ବସ୍‌ରେ ଖଣ୍ଡଦେଉଳି ଫେରୁଥିଲେ ବନ୍ଧୁବାନ୍ଧବ । ଠିକ୍ ଏତିକିବେଳେ ଏକ OSRTC ବସ୍‌ ଗୁଡ଼ାରୀରୁ ଭୁବନେଶ୍ୱର ଅଭିମୁଖେ ଫେରୁଥିଲା । ହେଲେ ଦୁର୍ଭାଗ୍ୟବଶତଃ ଖେମୁଣ୍ଡି କଲେଜ ନିକଟରେ ଦୁଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୨ ଜଣଙ୍କ ଜୀବନ ଚାଲିଗଲା । ମୃତକଙ୍କ ମଧ୍ୟରେ ୬ ଜଣ ପୁରୁଷ ଥିବାବେଳେ ୪ ଜଣ ମହିଳା ଓ ୨ ଜଣ ଶିଶୁ ଅଛନ୍ତି ।

ଦୁର୍ଘଟଣାରେ ୮ ଜଣ ଯାତ୍ରୀ ଗୁରୁତର ହୋଇଥିଲେ । ଆମ୍ବୁଲାନ୍ସ ଓ ଦମକଳ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ । ସଙ୍ଗେସଙ୍ଗେ ସେମାନଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା । ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଘରୋଇ ବସ୍‌ରେ ୨୫ ଜଣ ଯାତ୍ରୀ ଥିବା ବେଳେ ଦୁର୍ଘଟଣାରେ ଦୁଇଟି ବସ୍ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ଦୁର୍ଘଟଣାସ୍ଥଳକୁ ବ୍ରହ୍ମପୁର ଏସପି ଓ ତହସିଲଦାର ଯାଇ ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିଲେ । ଆହତମାନଙ୍କ ଚିକିତ୍ସା ଜିଲ୍ଲା ପ୍ରଶାସନ ତତ୍ତ୍ବାବଧାନରେ ଚାଲିଥିବା ଏଆରସିଙ୍କ ପକ୍ଷରୁ କହାଯାଇଛି । ଏମକେସିଜି ମେଡିକାଲରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା,ବ୍ରହ୍ମପୁର ଏସପି, ବ୍ରହ୍ମପୁର ଉପଜିଲ୍ଲାପାଳ ପହଞ୍ଚି ଘଟଣାର ତଦାରଖ କରିଛନ୍ତି ।

ସେପଟେ, ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ଏବଂ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ଦୁର୍ଘଟଣାରେ ଆହତମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *