ମୁଖ୍ୟମନ୍ତ୍ରୀ କଲେ ସମ୍ଭାବ୍ୟ ବାତ୍ୟାର ସମୀକ୍ଷା

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଭିତରେ ଆସନ୍ତା ୬-୭ ଦିନରେ ବାତ୍ୟା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ଦକ୍ଷିଣ ବଙ୍ଗୋପସାଗରରେ ୬ ତାରିଖ ସୁଦ୍ଧା ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ପ୍ରକାଶ ପାଇଛି। ଏହାର ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ଆକଳନ କରାଯାଉଛି। ଏହି ଆକଳନ ପରେ ରାଜ୍ୟ ସରକାର  ମୁକାବିଲା ପାଇଁ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି।  ଏନେଇ ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ତେବେ ଓଡ଼ିଶା ଉପରେ ଲଘୁଚାପର ପ୍ରଭାବ ରହିବ କି ନା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।

ଗ୍ରୀଷ୍ମ କାଳୀନ ବାତ୍ୟାର ଆକଳନ କରିବା କଷ୍ଟକର। ୨୦୧୯ର ଫନି ବାତ୍ୟା ଏହି ଶ୍ରେଣୀରେ ଯାଉଛି, ଯେଉଁଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ତେଣୁ ମୁଖ୍ୟମନ୍ତ୍ରୀ ବୈଠକରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ  ଏନ୍‌ଡିଆରଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ସେବା ଆଦିକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।  ଏଥିସହ ଉପକୂଳ ଓ ତଳୁଆ ଅଞ୍ଚଳରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରି ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।  ଅତ୍ୟାବଶ୍ୟକ ମେସିନ୍‌ ଓ ଯନ୍ତ୍ରପାତିକୁ ପ୍ରସ୍ତୁତ ରଖି ଆବଶ୍ୟକ ସ୍ଥଳେ ପୁନରୁଦ୍ଧାର ଓ ଥଇଥାନ କାର୍ଯ୍ୟକ୍ରମ ପାଇଁ ଆଗୁଆ ଯୋଜନା ପ୍ରସ୍ତୁତ କରିବାକୁ ମିଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ସେପଟେ ଏସଆରସି ସତ୍ୟବ୍ରତ ସାହୁ ମଧ୍ୟ ସମ୍ଭାବ୍ୟ ବାତ୍ୟାକୁ ନେଇ କହିଛନ୍ତି କି, ୬ ତାରିଖ ସୁଦ୍ଧା କେବଳ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି ସମ୍ଭାବନା ରହିଛି। ମେ ମାସରେ ବାତ୍ୟାର ନଜିର ରହିଥିବାରୁ  ୧୧ଟି ବିଭାଗ ଓ ସବୁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ଏନେଇ ଆସନ୍ତା କାଲିଠାରୁ ଜିଲ୍ଲାଗୁଡ଼ିକରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯିବ। ଉଦ୍ଧାର କାର୍ଯ୍ୟ ନିମନ୍ତେ ଏନ୍‌ଡିଆରଏଫ୍, ଓଡ୍ରାଫ୍ ପ୍ରସ୍ତୁତ ରହିଛନ୍ତି।  ଆମେ ମୁକାବିଲା କରିପାରିବୁ ବୋଲି ଶ୍ରୀ ସାହୁ କହିଛନ୍ତି।

Leave a Reply

Your email address will not be published. Required fields are marked *