ସୁନାବେଶ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ସମୟ ଅନୁସାରେ ଚାଲିଛି ନୀତିକାନ୍ତି

ଆଜି ସନ୍ଧ୍ୟା ୫ଟାରେ ମହାପ୍ରଭୁଙ୍କ ସୁନା ବେଶ ଆରମ୍ଭ ହେବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଅନୁଯାୟୀ ଏହି ସମୟ ନିର୍ଦ୍ଧାରଣ କରଯାଇଛି । ରଥ ଉପରେ ବିରାଜମାନ କରିଥିବା ଶ୍ରୀଜିଉଙ୍କ ସମସ୍ତ ନୀତି ଅନୁଷ୍ଠିତ ହେଉଛି । ପରମ୍ପରା ଅନୁଯାୟୀ ରଥ ଉପରେ ଶ୍ରୀଜିଉଙ୍କୁ ଶୁଖିଲା ଭୋଗ ଅର୍ପଣ ହେଉଛି । ସକାଳୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମିଥିଲା । ରଥ ସମ୍ମୁଖରେ ଭକ୍ତମାନେ ଦୀପ ଜାଳି ନିଜର ମନ କଥା ମହାପ୍ରଭୁଙ୍କୁ ଜଣାଇଛନ୍ତି । ମହାପ୍ରଭୁଙ୍କ ଚିତାକର୍ଷକ ସୁନା ବେଶ ଦର୍ଶନ ପାଇଁ ରଥ ନିକଟରେ ଭକ୍ତଙ୍କ ଭିଡ଼ ଜମିଲାଣି ।

ଆଜିର ନୀତି ନିର୍ଘଣ୍ଟ ଅନୁଯାୟୀ ସଠିକ୍ ଭାବେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଜାରି ରହିଛି । ଅପରାହ୍ମ ୩ଟା ସୁଦ୍ଧା ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ଶେଷ ହେବ । ଏହା ପରେ ମଇଲମ, ଶାଢ଼ି, ଖଣ୍ଡୁଷ ଲାଗି, ସନ୍ଧ୍ୟା ଆଳତୀ,ଏକାଦଶୀ ସର୍ବାଙ୍ଗ ନୀତି ଶେଷ ପରେ ସନ୍ଧ୍ୟା ୫ଟାରୁ ସୁନା ବେଶ ଆରମ୍ଭ ହେବ । ରାତି ୧୨ଟାରେ ବଡ଼ ସିଂହାର ବେଶ, ବଡ଼ ସିଂହାର ଭୋଗ ଓ ରାତି ଗୋଟାଏରେ ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହେବ । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତି ପୁସ୍ତିକାରେ ସୂଚନା ଦିଆଯାଇଛି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖାଯାଇ ବିଳମ୍ୱିତ ରାତି ଯାଏ ମହାପ୍ରଭୁଙ୍କ ସୁନା ବେଶ ଅନୁଷ୍ଠିତ ହେବ ।

ସେପଟେ ଭକ୍ତଙ୍କ ସୁରକ୍ଷା ପାଇଁ ପୁରୀରେ ୯୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ସ୍ଵତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍ କାର୍ଯ୍ୟକାରୀ କରାଯାଇଛି । ଭକ୍ତମାନେ ବଡ଼ ଦାଣ୍ଡ ମାର୍କେଟ ଛକରୁ ବାରିକେଡରେ ଆସି ଶ୍ରୀମନ୍ଦିର ସିଂହ ଦ୍ଵାରରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

Leave a Reply

Your email address will not be published. Required fields are marked *