ଶୌଚ ହେବାକୁ ଯାଇ କୁମ୍ଭୀର ମୁହଁରେ ପଡିଲେ ବୃଦ୍ଧ। ମାତ୍ର ୧୫ ଦିନ ଅନ୍ତରରେ ତୃତୀୟ କୁମ୍ଭୀର ଆକ୍ରମଣ ଘଟଣାରେ ହତବାକ ଜିଲ୍ଲାବାସୀ। କେତେବେଳେ କେଉଁଠି କୁମ୍ଭୀର ଟାଣିନେବ ସେ ଭୟରେ ନଦୀକୂଳରେ ବସବାସ କରୁଥିବା ଓ ନଦୀ ଉପରେ ନିର୍ଭର କରି ଜୀବନଯାପନ କରୁଥିବା ଲୋକେ। ଆଜି ଭୋର ସାଢ଼େ ଚାରିଟା ସମୟରେ କେନ୍ଦ୍ରାପଡା ନିକିରାଇ ଥାନା ଅଧୀନ ଘାଗରାଡିଆ ଗାଁର ୫୬ ବର୍ଷୀୟ ଗଙ୍ଗାଧର ତରାଇ ନିକଟସ୍ଥ ବ୍ରାହ୍ମଣୀ ନଦୀ କୂଳକୁ ଶୌଚ ହେବାକୁ ଯାଇଥିଲେ। ଶୌଚ ସାରି ଗାଧୋଇବା ସମୟରେ ଏକ କୁମ୍ଭୀର ତାଙ୍କୁ ଝାମ୍ପ ପକାଇ ନଦୀକୁ ଟାଣି ନେଇଥିଲା। ଗଙ୍ଗାଧର ଚିତ୍କାର କରି ଡାକ ପକାଇଥିଲେ। ତାଙ୍କ ଚିତ୍କାର ଶୁଣି ଶୌଚ ହେଉଥିବା ଦୁଇଜଣ ଲୋକ ଦୌଡ଼ି ଆସିଥିଲେ। କିନ୍ତୁ କୁମ୍ଭୀରକୁ ଦେଖି ଭୟଭୀତ ହୋଇଯାଇଥିଲେ। ପାଟି କରି ଗାଁ ଲୋକଙ୍କୁ ଡାକଛାଡିଥିଲେ। ଗାଁ ଲୋକେ ତୁରନ୍ତ ବିଭାଗୀୟ ଅଧିକାରୀଙ୍କୁ ସୂଚିତ କରିବା ସହ ଡଙ୍ଗା ସହାୟତାରେ ଗଙ୍ଗାଧରଙ୍କୁ ଖୋଜାଖୋଜି କରିଥିଲେ। ଉଦ୍ଧାର କାର୍ଯ୍ୟ ରେ ଅଗ୍ନିଶମ ବାହିନୀ, ବନବିଭାଗ ମଧ୍ୟ ସାମିଲ ହୋଇଥିଲା। କିନ୍ତୁ ଗଙ୍ଗାଧର ମିଳିନଥିଲେ, ମିଳିଥିଲା ତାଙ୍କ ମୃତଦେହ।
ଅଭିଯୋଗ ପାଇ ପଟ୍ଟାମୁଣ୍ଡାଇ ତହସିଲଦାର ଘଟଣାସ୍ଥଳରେ ପହଞ୍ଚିଥିଲେ। | ସେହିପରି ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଘଟଣାସ୍ଥଳରେ ପହଞ୍ଚି ବନବିଭାଗର ଉଦାସୀନତା ପାଇଁ ମାତ୍ର ୧୫ ଦିନ ଅନ୍ତରରେ ତିନୋଟି ମୂଲ୍ୟବାନ ଜୀବନ ଯାଇଥିବା ଅଭିଯୋଗ କରିଛନ୍ତି। ଏଥିପାଇଁ ବନବିଭାଗ ଉତ୍ତରଦାୟୀ ବୋଲି ଅଭିଯୋଗ କରିଛନ୍ତି।ରାଜ୍ୟ ସରକାର ଏହି ଆକ୍ରମଣ ଯୋଗୁଁ ବନବିଭାଗ କର୍ତ୍ତୃପକ୍ଷଙ୍କୁ ଜବାବତଲବ କରିବା ସହ ନଦୀକୂଳ ଘାଟ ମାନଙ୍କରେ ବ୍ୟାରିକେଡ ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି। ସେପଟେ ପଟ୍ଟାମୁଣ୍ଡାଇ ତହସିଲଦାର ବନବିଭାଗକୁ ପୁର୍ବରୁ ସୂଚନା ଦିଆଯାଇଥିଲେ ସୁଦ୍ଧା ଏହାର ପ୍ରତିକାର ବ୍ୟବସ୍ଥା ନକରିବା କାରଣରୁ ଜୀବନ ହାନି ହେଉଥିବା ସ୍ୱୀକାର କରିଛନ୍ତି। ପୁଣିଥରେ ବନବିଭାଗକୁ ନଦୀକୂଳ ଗାଁ ମାନଙ୍କରେ ମାଇକ ଜରିଆରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରାବା ଓ ବ୍ୟାରିକେଡ ବ୍ୟବସ୍ଥା ଖୁବଶୀଘ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ତହସିଲଦାର ଦିଲ୍ଲୀପ ସେଠୀ।
ଏଠାରେ ସୂଚନାଯୋଗ୍ୟ, ରଜର ପ୍ରଥମ ଦିନରେ ଜଣେ ନାବାଳକକୁ ବ୍ରାହ୍ମଣୀ ନଦୀରେ ମାରିଥିଲା କୁମ୍ଭୀର। ସେହିପରି ୨୧ ତାରିଖରେ ମଧ୍ୟ ରାଜନଗର ଚାନ୍ଦି ବାଉଁଶମୂଳ ହାତିଆଗଡ଼ି ଗାଁରେ ଜଣେ ମହିଳା କୁମ୍ଭୀର ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଥିଲେ। ଆଜି ପୁଣି ସମାନ ଘଟଣା ନଦୀକୂଳିଆ ଲୋକଙ୍କ ଭିତରେ ପୂରାଇଛି ଛନକା ।