ବିରୋଧୀ ଦଳର ବହିଷ୍କାର ସତ୍ତ୍ବେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ସଂସଦ ଭବନର ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତ ଯେ, ପ୍ରଧାନମନ୍ତ୍ରୀ ସଂସଦ ଗୃହର ଉଦଘାଟନୀ ଉତ୍ସବକୁ ରାଜ୍ୟାଭିଷେକ ଭାବୁଛନ୍ତି । ମୋଦୀ ସରକାରଙ୍କ ପ୍ରଖର ସମାଲୋଚକ କଂଗ୍ରେସ ନେତାମାନେ ସଂସଦକୁ “ଲୋକଙ୍କ ସ୍ୱର” ବୋଲି କହିଛନ୍ତି । ପାରମ୍ପାରିକ ପୋଷାକ ପିନ୍ଧି ପିଏମ ମୋଦୀ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ସହ ନୂତନ ସଂସଦ ଭବନର ଉଦଘାଟନ ପୂର୍ବରୁ ପୂଜା କରିଥିଲେ ।
ନୂତନ ସଂସଦ ଗୃହର ଉଦଘାଟନ କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ କରିବାକୁ ଦାବି କରି ପ୍ରାୟ ୨୦ ବିରୋଧୀ ଦଳ ଉଦ୍ଘାଟନୀ ସମାରୋହରେ ଅଂଶଗ୍ରହଣ କରିନଥିଲେ । ବିରୋଧୀ ଦଳମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦଘାଟନକୁ ଗଣତନ୍ତ୍ର ଉପରେ ସିଧାସଳଖ ଆକ୍ରମଣ ବୋଲି କହିଛନ୍ତି। କଂଗ୍ରେସର ସାଧାରଣ ସଂପାଦକ ଜୟରାମ ରମେଶ ଏକ ଟୁଇଟର ପୋଷ୍ଟରେ ପିଏମ ମୋଦୀଙ୍କୁ ‘ସଂସଦୀୟ ପ୍ରକ୍ରିୟାକୁ ଘୃଣା କରୁଥିବା ଆତ୍ମମୁଗ୍ଧ ଏକଛତ୍ରବାଦୀ’ କହିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନୂତନ ସଂସଦର ଉଦଘାଟନ କରିବାକୁ ନିମନ୍ତ୍ରଣ ଦିଆଯାଇନଥିବାରୁ ବିଜେପି ଉପରେ ଆକ୍ରମଣ କରିଛନ୍ତି ।