ଉଗ୍ର ହେଉଛି ବିଜେପିର ଗୋଷ୍ଠୀ କନ୍ଦଳ, ଆଶାୟୀଙ୍କ ଉପରେ ପରାସ୍ତ ପ୍ରାର୍ଥୀଙ୍କ ଆକ୍ରମଣ ଅଭିଯୋଗ

ଯାଜପୁର ବିଜେପିରେ ଉଗ୍ର ହେବାରେ ଲାଗିଛି ଗୋଷ୍ଠୀ କନ୍ଦଳ। ଯେଉଁ ବିଦ୍ରୋହ ଭିତରେ ଭିତରେ କୁହୁଳୁଥିଲା, ଏବେ ତାହା ଆଗ୍ନେୟ ଉଦଗୀରଣର ରୂପ ନେଇଛି। ବିଧାୟକ ପ୍ରାର୍ଥୀ ଏବଂ ଦଳୀୟ ଟିକେଟ ଆଶାୟୀଙ୍କ ମଧ୍ୟରେ ଏବେ ସମ୍ମୁଖ ଯୁଦ୍ଧର ବିଗୁଲ ବାଜିଲାଣି। ଟିକେଟ ଆଶାୟୀ ସଂଗ୍ରାମ ପାତ୍ରଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ। ଆକ୍ରମଣରେ ସଂଗ୍ରାମଙ୍କ ଗାଡି ଭାଙ୍ଗି ଚୁରମାର ହୋଇଯାଇଛି। ଏହି ଆକ୍ରମଣ ବିଧାୟକ ପ୍ରାର୍ଥୀଙ୍କ ନିର୍ଦ୍ଦେଶରେ ହୋଇଥିବା ଅଭିଯୋଗ ହେଉଛି। ଯାହା ଜିଲ୍ଲା ବିଜେପିରେ ସବୁକିଛି ଠିକ ନ ଥିବା ସ୍ପଷ୍ଟ କରିଛି। ଯାଜପୁର ବ୍ଲକ ଭୁବନେଶ୍ବରପୁର ପଞ୍ଚାୟତରେ ରବିବାର ସଂଧ୍ୟାରେ ଶ୍ୟାମା ଚରଣ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳନ ହେଉଥିଲା। ଏହି କାର୍ଯ୍ୟକ୍ରମକୁ ସଂଗ୍ରାମ ପାତ୍ର ନିମନ୍ତ୍ରଣ କ୍ରମେ ଯାଇଥିଲେ। ସଂଗ୍ରାମ ସେହି କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ତାଙ୍କ ଗାଡିକୁ କିଛି ଲୋକ ଅଟକାଇ, ଗୌତମ ଭାଇ ଆସୁଛନ୍ତି କହିଥିଲେ। ସଂଗ୍ରାମ ସେଠାରେ ଗୌତମଙ୍କ ପାଇଁ ଅପେକ୍ଷା କରୁଥିବା ବେଳେ ଗୌତମ ତାଙ୍କ କିଛି ନିକଟତମ ସମର୍ଥକଙ୍କ ସହ ଠେଙ୍ଗା, ବାଡି ମାରଣାସ୍ତ୍ର ସହ ପହଞ୍ଚିଥିଲେ ଓ ସମର୍ଥକମାନେ ସଂଗ୍ରାମଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ଆଣିଛନ୍ତି ସଂଗ୍ରାମ ଓ ତାଙ୍କ ସହ ଥିବା ସମର୍ଥକମାନେ। ଗୌତମଙ୍କ ପରାଜୟ ପଥରେ ସଂଗ୍ରାମଙ୍କ ହାତଥିବା ସନ୍ଦେହରେ ଏହି ଆକ୍ରମଣ ହୋଇଛି ବୋଲି କହିଛନ୍ତି ନିଜେ ସଂଗ୍ରାମ। ଆକ୍ରମଣରେ ସଂଗ୍ରାମଙ୍କ ହାତ ଭାଙ୍ଗିଛି, ସେ ଯାଇଥିବା ଗାଡି ଭାଙ୍ଗି ଯାଇଛି ଓ ଗାଡିର ଡ୍ରାଇଭର ଆହତ ହୋଇଛନ୍ତି।

ଏଠାରେ କହି ରଖୁଛୁ କି, ନିର୍ବାଚନ ପୂର୍ବରୁ ଟିକେଟ ଆଖେଇଥିବା ସଂଗ୍ରାମଙ୍କୁ ପଛରେ ପକେଇ ଜିଲ୍ଲା ବିଜେପି ସଭାପତି ଗୌତମ ରାୟ ଟିକେଟ ହାତେଇ ନେଇଥିଲେ। ଯାହାକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ବିବାଦ ବଢିଥିଲା। ନିର୍ବାଚନରେ ଗୌତମଙ୍କ ପରାଜୟ ପରେ ଏଥିପାଇଁ ସଂଗ୍ରାମଙ୍କୁ ଦାୟୀ କରୁଛନ୍ତି ଗୌତମ ଓ ତାଙ୍କ ସମର୍ଥକମାନେ। ଯାହାକୁ ନେଇ ବିଜେପିର ଦୁଇ ଆଗଧାଡିର ନେତା ପରସ୍ପର ବିରୋଧୀ ହୋଇଛନ୍ତି। ଏପରି ସ୍ଥିତି ଯାଜପୁର ବିଜେପି ପାଇଁ ଆଗାମୀ ଦିନରେ କାଳ ହେବାକୁ ଯାଉଥିବା ପରି ମନେ ହେଉଛି। 

Leave a Reply

Your email address will not be published. Required fields are marked *