
ବୌଦ୍ଧ ଜିଲ୍ଲାର ଦୁର୍ଗମ ତଥା ଘାଟି ପାହାଡିଆ ଉପାନ୍ତ ଅଂଚଳ ଭାବେ ଜଣାଶୁଣା ଆଡ଼େଣିଗଡ଼ ଗ୍ରାମପଂଚାୟତରେ ଆଶାର ସଂଚାର । କାରଣ ପଞ୍ଚାୟତର କଣ୍ଡରା, କାଚପାଜୁ ଗ୍ରାମକୁ ପରିଦର୍ଶନ କରିଛନ୍ତି ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ। ସମୁଦ୍ର ପତନ ଠାରୁ ବହୁ ଉଚରେ ଥିବା ଏହି ଆଦିମ ଜାତି ଜନଜାତି ସାମ୍ପ୍ରଦାୟର ଲୋକେ ବସବାସ କରୁଥିବା ଅଂଚଳରେ ଜିଲ୍ଲା ପ୍ରଶାସନ ପହଂଚିଥିବାରୁ ଗ୍ରାମବାସୀ ବେଶ ଖୁସି ବ୍ୟକ୍ତ କରିଛନ୍ତି।
ଆଜେଣିଗଡ ପଞ୍ଚାୟତର କଣ୍ଡରା, କାଚପାଜୁ ଗ୍ରାମ ବୌଦ୍ଧ ଜିଲ୍ଲାର ଦୁଇଟି ଦୁର୍ଗମ ଗ୍ରାମ। ପାହାଡ ଉପରେ ସ୍ଥାପିତ ଏହି ଗାଁରେ ରହିଛି ବହୁ ସମସ୍ୟା। ଗାଁକୁ ନାଁ ଅଛି ରାସ୍ତା ନାହିଁ ଅଛି ହାଟ ବଜାର। ତେଣୁ ଦୈନନ୍ଦିନ ଜୀବନରେ ଆବଶ୍ୟକ ହେଉଥିବା ସବୁ ସୁବିଧା ସୁଯୋଗ ପାଇଁ ଲୋକଙ୍କୁ ପାଖ ହାଟ ବଜାର ଉପରେ ନିର୍ଭର କରିବାକୁ ହୋଇଥାଏ। ଏହି ସବୁ ସମମ୍ୟା ଭିତରେ ଛନ୍ଦି ହୋଇପଡିଥିବା ଲୋକଙ୍କ ପାଇଁ ଆଶାର ସଞ୍ଚାର କରିଛନ୍ତି ଜିଲ୍ଲାପାଳ। ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ ଏହି ଅଞ୍ଚଳକୁ ଗସ୍ତ କରିଛନ୍ତି। ଅଧିକାରୀଙ୍କ ଉପସ୍ଥିତିରେ ଅଞ୍ଚଳରେ ରହିଥିବା ବିଭିନ୍ନ ସମସ୍ୟା ବାବଦରେ ପ୍ରଶାସନକୁ ଅବଗତ କରାଯାଇଛି।

ଏହା ସହିତ ଉପରେ ଥିବା ପ୍ରାୟ ୫ ଖଣ୍ଡ ଗ୍ରାମକୁ ଯାତାୟାତ କରିବା ପାଇଁ କିମ୍ବା ପଞ୍ଚାୟତ ସଦର ମହକୁମାକୁ ସଂଯୋଗ କରିବା ପାଇଁ ନିତିଦିନିଆ ରାସ୍ତା ନ ଥିବାରୁ ଅଂଚଳର ବିକାଶରେ ବାଧକ ସାଜିଥିବା କହିଛନ୍ତି ଜିଲ୍ଲାପାଳ। କିଭଳି ମନରେଗା ଯୋଜନାରେ ଅଞ୍ଚଳକୁ ରାସ୍ତା କରାଯିବ ସେ ସମ୍ପର୍କରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
ସବୁଠାରୁ ବଡ଼ କଥା ହେଲା, ବିଭିନ୍ନ ସମୟରେ ଜିଲ୍ଲା ଦାୟିତ୍ୱରେ ଥିବା ଜିଲ୍ଲାପାଳମାନେ ଦୁର୍ଗମ ଅଂଚଳକୁ ରାସ୍ତା ନିର୍ମାଣ ପାଇଁ କହି ଆସୁଥିଲେ ମଧ୍ୟ ତାହା ଏଯାବତ ସମାଧାନ ହୋଇପାରିନାହିଁ। ତେଣୁ ଜିଲ୍ଲାପାଳ ଦେଇଥିବା ପ୍ରତିଶ୍ରୁତି ପାଳନ କରିବେ ନା ଯଥା ପୂର୍ବଂ ତଥା ପରଂ ସ୍ଥିତିରେ ରହିବ, ତାହା ସମୟ କହିବ ବୋଲି ମତଦିଅନ୍ତି ଗ୍ରାମବାସୀ।