ଜୁଲାଇ ପହିଲାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଭିଯୋଗ ଶୁଣାଣି

ଲୋକଙ୍କ ଭାବାବେଗକୁ ସମ୍ମାନ ଦେଇ ନୂଆ ମୁଖ୍ଯମନ୍ତ୍ରୀ ଖୁବ ଶୀଘ୍ର ଆରମ୍ଭ କରିବାକୁ ଯାଉଛନ୍ତି ଅଭିଯୋଗ ଶୁଣାଣି। ଆଉ ମଝିରେ ଗୋଟିଏ ଦିନ। ଜୁଲାଇ ପହିଲାରୁ ଜନତାଙ୍କ ଅଭିଯୋଗ ଶୁଣିବେ ମୁଖ୍ଯମନ୍ତ୍ରୀ। ୟୁନିଟ ୫ ସ୍ଥିତ ମୁଖ୍ଯମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଅଭିଯୋଗ ଶୁଣିବେ ମୋହନ ମାଝୀ। ପୂର୍ବାହ୍ନ ୯ଟାରୁ ମଧ୍ଯାହ୍ନ ୧୨ଟା ମଧ୍ୟରେ ଅଭିଯୋଗକାରୀଙ୍କ ହେବ ପଞ୍ଜୀକରଣ। ମୁଖ୍ୟମନ୍ତ୍ରୀ ଦିନ ୧୧ଟାରୁ ଲୋକଙ୍କ ଅଭିଯୋଗ ଶୁଣିବେ। ଏ ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଦିଆଯାଇଛି ସୂଚନା।

ଏହି ଅଭିଯୋଗ ଶୁଣାଣି ପାଇଁ ଆକ୍ଟିଭ ହୋଇଯାଇଛି ଜିଏ ଡିପାର୍ଟମେଣ୍ଟ। ଅଭିଯୋଗ ପ୍ରକୋଷ୍ଠର କରିଛି ମାଇନା। ୧୦ ହଜାର ବର୍ଗ ଫୁଟ ଅଞ୍ଚଳରେ ଯେମିତି ୧୨ ଶହ ଲୋକ ବସିପାରିବେ, ସେଥିପାଇଁ ହେଉଛି ବ୍ୟବସ୍ଥା। ୨୪ ବର୍ଷର ସରକାରରେ ଦୁର୍ନୀତିରେ ଅତିଷ୍ଠ ହୋଇଯାଇଥିବା ରାଜ୍ୟବାସୀ ଚଳିତ ନିର୍ବାଚନରେ ନିଜ ମତଦାନ ଅଧିକାର ବଳରେ ସରକାର ବଦଳାଇ ଦେଇଛନ୍ତି। ଲୋକେ ଚାତକ ପରି ଚାହିଁ ରହିଛନ୍ତି, ବିଗତ ଦିନରେ ହୋଇଥିବା ଦୁର୍ନୀତି ଉପରେ ନୂଆ ସରକାର କି ପଦକ୍ଷେପ ନେଉଛନ୍ତି ଦେଖିବାକୁ। ଲୋକଙ୍କ ପାଖରେ ରହିଛି ମାଳ ମାଳ ଅଭିଯୋଗ। ସେପଟେ, ପୂର୍ବ ସରକାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣାଣି କରିବାକୁ ବହୁ ବର୍ଷରୁ ଆସୁ ନ ଥିଲେ। ଲୋକେ ଯେଉଁ ଅଭିଯୋଗ କରୁଥିଲେ, ପ୍ରଶାସନିକ ଅଧିକାରୀ ତାକୁ ନାଲି ଫିତା ତଳେ ବାନ୍ଧି ରଖୁଥିଲେ। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଅସନ୍ତୋଷ ଦେଖାଦେଇଥିଲା।

Leave a Reply

Your email address will not be published. Required fields are marked *