
ଠିକାଦାର କାମ କରିବାକୁ ଟଙ୍କା ଲେଣଦେଣ ହେବାର ପାଞ୍ଚ ବର୍ଷ ପରେ ମଧ୍ୟ ଟଙ୍କା ସୁଝି ନ ପାରିବାରୁ ହେଲା ବଚସା । ଆଉ ବଚସା ବଢ଼ି ବନ୍ଧୁକ ଦେଖାଇ ଧମକ ଦେବାପର୍ଯ୍ୟନ୍ତ କଥାଗଲା । କିନ୍ତୁ ଘଟଣା ଏତିକିରେ ଶେଷ ହେଲାନାହିଁ, ନ୍ୟାୟ ପାଇଁ ଉଭୟ ପକ୍ଷ ପାଟକୁରା ଥାନାର ଦ୍ୱାରସ୍ତ ହେଲେ । ଘଟଣାଟି ଘଟିଛି ପାଟକୁରା ଥାନା ଅନ୍ତର୍ଗତ ତଳସଙ୍ଗା ଅଞ୍ଚଳରେ।
ତଳସଙ୍ଗାର ରଂଜିତ ନାୟକ ଓ ଜଣେ ସରକାରି ଶିକ୍ଷକ ସୁସାନ୍ତ ପଲେଈ ଗରାପୁର ଅଞ୍ଚଳର ତୁଷାରକାନ୍ତ ପରିଡାଙ୍କଠାରୁ ଠିକାଦାରି କାମ ପାଇଁ ପାଖାପାଖି ୧୨ ଲକ୍ଷ ଟଙ୍କା ଉଧାର ନେଇଥିଲେ । ଉଧାର ଟଙ୍କାରେ ଠିକାଦାରି କାମ ଶେଷ ହୋଇଥିଲା; କିନ୍ତୁ ଟଙ୍କା ଧାର ଦେଇଥିବା ତୁଷାରକାନ୍ତ ପରିଡା ତାଙ୍କ ୧୨ ଲକ୍ଷ୍ ଟଙ୍କା ଫେରସ୍ତ ପାଇନଥିଲେ । ଏହା ଭିତରେ ଟଙ୍କା ଉଧାର ଆଣିବା ଘଟଣାକୁ ୫ ବର୍ଷ ବିତି ଯାଇଥିଲା । ସରକାରୀ ଶିକ୍ଷକ ସୁଶାନ୍ତ ଟଙ୍କା ଫେରେଇଦେବେ ବୋଲି ରଂଜିତ କହିଥିଲେ । କିନ୍ତୁ, ଟଙ୍କା ଫେରସ୍ତ କରିବା ତ ଦୂରର କଥା,ତୁଷାରକାନ୍ତଙ୍କୁ ରଂଜିତ ନାୟକ ଓ ତାଙ୍କ ସହଯୋଗୀ ତାଳସଙ୍ଗାକୁ ଡାକି ବନ୍ଧୁକ ଦେଖାଇ ଧମକ ଦେଇଥିଲେ ।
ଯାହାଫଳରେ, ତୁଷାର ରଂଜିତଙ୍କ ବିରୁଦ୍ଧରେ ମାନ୍ୟବର କୋର୍ଟଙ୍କ ଦ୍ୱାରସ୍ତ ହେବାସହ ପାଟକୁରା ଥାନାରେ ଠକେଇ ଅଭିଯୋଗ କରିଥିଲେ । ଅନ୍ୟପଟେ, ରଂଜିତଙ୍କ ସହଯୋଗୀ ସୁଶାନ୍ତ ପଲେଇ କହିଛନ୍ତି ତାଙ୍କ ସାନଭାଇ କଣ୍ଟ୍ରାକ୍ଟର ହୋଇଥିବାରୁ ଠିକାଦାରୀ କାମ ପାଇଁ ସେ ତୁଷାରକାନ୍ତଙ୍କଠାରୁ ଟଙ୍କା ଆଣିଥିଲେ ଏବଂ ଉକ୍ତ ଟଙ୍କାକୁ ସେ ତୁଷାରଙ୍କୁ ଫେରାଇ ଦେଇଛନ୍ତି । ଏହାସହ, ସୁଶାନ୍ତ ପାଲଟା ଅଭିଯୋଗ କରିଛନ୍ତି ଯେ ଟଙ୍କା ଫେରି ପାଇବାପରେ ତୁଷାର ସେମାନଙ୍କୁ ବ୍ଲାକ ମେଲିଙ୍ଗ କରୁଛନ୍ତି । ତେବେ, ଏ ନେଇ ପାଟକୁରା ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।