ରଥ ନିର୍ମାଣ କାର୍ଯ୍ୟ ଚୁଡାନ୍ତ ପର୍ଯ୍ୟାୟରେ

ଶେଷ ପର୍ଯ୍ୟାୟରେ ଏବେ ରଥ ନିର୍ମାଣ । ଆଉ ମଝିରେ ଗୋଟିଏ ଦିନ। ମଙ୍ଗଳବାର ଟଣାହେବ ରଥ। ତେଣୁ ସେବାୟତମାନେ ରଥର ପ୍ରତ୍ୟେକ ଅଂଶକୁ ତନ ତନ କରି ନିରୀକ୍ଷଣ କରି ତ୍ରୁଟି ସୁଧାରୁଛନ୍ତି। ଏଥିସହ ମହାରଣା ସେବକ ଏବଂ ଭୋଇ ସେବକମାନେ ରଥ ସମ୍ମୁଖ ଭାଗକୁ ଛାଡି ରଥ ତିନି ପାର୍ଶ୍ୱରେ ଲାଗିଥିବା ତିନୋଟି ଲେଖାଁଏ ୯ ଟି ଜଳଯନ୍ତ୍ରରେ ପାର୍ଶ୍ୱ ଦେବା- ଦେବୀ ଙ୍କୁ ଜଳଯନ୍ତ୍ର ଖାପରେ ସଂଯୋଗ କରି ସେଥିରେ କଣ୍ଟା ବାଡେଇ ଶିଖର ଡମ୍ବରୁ ସଂଯୋଗ କରିଛନ୍ତି। ଏତତ୍ ବ୍ୟତୀତ ତିନିରଥର ଠେକେରା ବାଡ଼ ଦାଢ଼ ଅଂଶରେ ହଂସ ପଟା ବାଡ଼ିଆ ଶେଷ ହୋଇଛି। ନିୟମ ଆନୁଯାୟୀ ଆଜି ତିନିରଥ ଉପରେ ଠେକେରା ବାଡ଼ ବୁଲବା କାର୍ଯ୍ୟ ଶେଷ ହେବ।
ସେପଟେ ଦରଜି ସେବକମାନେ ତିନିରଥର କନା ଯୋଡ଼ା କାର୍ଯ୍ୟ ଶେଷ କରି କୋଠ ସୁଆଁସିଆ ସେବକ ମାନଙ୍କୁ ଯୋଗାଇଛନ୍ତି। କୋଠ ସୁଆଁସିଆ ସେବକମାନେ ରଥରେ କନା ପକା କାର୍ଯ୍ୟ ଆରମ୍ଭ କରିଛନ୍ତି। ପ୍ରଥମେ ତାଳଧ୍ୱଜ ରଥର ଚାରି ପାର୍ଶ୍ୱ ଦୁଆର ବେଢ଼ାରେ କନା ପଡିବା ପରେ ରଥର ବତା ଏବଂ ପୋଟଳ ଆଦିରେ କନା ପଡିବ। ତିନିରଥର ଦୁଇଟି ଲେଖାଁଏ ବ୍ରେକ ପୁଲି ଲାଗିବା ସହ ବ୍ରେକ ଗୁଡିକର ତଳ ପାର୍ଶ୍ୱରେ ଆବଶ୍ୟକ ମରାମତି ପରେ ରବର ମ୍ୟାଟ ବାଡ଼ିଆ କାର୍ଯ୍ୟ ଶେଷ ହେବାକୁ ରହିଛି। ତିନିରଥର ଘୋଡା ଗୁଡିକର ଯଏଣ୍ଟ ସ୍ଥାନ ମାନଙ୍କରେ ଘୋଡ଼ା ବାଗିଆ କଣ୍ଟା ବସି ରଙ୍ଗ କାର୍ଯ୍ୟ ଶେଷ ହୋଇଛି। ସେହିପରି ତିନିରଥର ତିନି ସାରଥୀଙ୍କ ଜଙ୍ଘ, ହାତ ସଂଯୋଗ ସ୍ଥାନରେ ସାରଥୀ ବାଗିଆ କଣ୍ଟା ବସି ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ରଥ ସିଂହ ଦ୍ୱାରରେ ଲାଗିବା ପରେ ତିନି ସାରଥୀ ରଥ ଉପରକୁ ଉଠିବେ। ଅନ୍ୟପଟରେ ଚିତ୍ରକାର ସେବକମାନେ ତିନିରଥ ପ୍ରଭାରେ ରଙ୍ଗ କାର୍ଯ୍ୟର ଶେଷ ସ୍ପର୍ଶ ଦେବାରେ ନିମଗ୍ନ। ଦୋଳବେଦୀ କମାର ଶାଳରେ ଓଝା ସେବକ ମାନେ ତିନି ରଥର ବ୍ରେକ ଜାମିନି କଣ୍ଟା,୨୦ ଟି ଲେଖାଁଏ ସାରଥୀ ବାଗିଆ କଣ୍ଟା, ଘୋଡା ବାଗିଆ କଣ୍ଟା ଯୋଗାଇଛନ୍ତି। ପାହି ମହାରଣା ମାନେ ଘାଟୁଆରୀ ସେବକଙ୍କ ପାଇଁ ବନକ ପେଡି, ଚାଙ୍ଗଡ଼ା ବାକ୍ସ, ଅଳଙ୍କାର ବାକ୍ସ ନିର୍ମାଣ ଶେଷ କରି ଯୋଗାଇଛନ୍ତି। ସବୁ କାମକୁ ନିର୍ଦ୍ଧାରିତ ସମୟ ଭିତରେ ଶେଷ କରି ଆଉ ମାତ୍ର କେଇ ଘଂଟା ପରେ ସିଂହଦ୍ୱାରେ ପହଞ୍ଚିବ ତିନିରଥ।

Leave a Reply

Your email address will not be published. Required fields are marked *