ଥାନା ଆଗରେ ଦଳିତ ମହିଳାଙ୍କୁ ଅର୍ଦ୍ଧ ନଗ୍ନ କରି ନିସ୍ତୁକ ପିଟିଲା ଚାନ୍ଦବାଲି ପୋଲିସ, ଭିଡିଓ ଭାଇରାଲ

ପୋଲିସର କାମ ସୁରକ୍ଷା ଦେବା। ମହିଳାଙ୍କ ଇଜ୍ଜତ ରକ୍ଷା କରିବା। ହେଲେ ଯେତେବେଳେ ଏହି ପୋଲିସ ମହିଳାଙ୍କ ଇଜ୍ଜତ ଲୁଟିବାକୁ ପଛେଇବ ନାହିଁ, ସେ କରିବ କଣ? କାହାକୁ କରିବ ଗୁହାରୀ? ଏମିତି ପ୍ରଶ୍ନ ଏବେ ଭଦ୍ରକ ଜିଲ୍ଲାର ସମସ୍ତଙ୍କ ମନରେ ଉଙ୍କି ମାରିଛି। ସ୍ବାମୀକୁ ପୋଲିସ ଗିରଫ କରିଥିବାରୁ ଦଳିତ ଗରିବ ମହିଳାଟି ଧାଇଁଯାଇଥିଲା ଥାନାକୁ। କିନ୍ତୁ ସେଠାରେ ପୁରୁଷ ପୋଲିସ କର୍ମଚାରୀ ତାର ଚିର ହରଣ କରିବାକୁ ଚେଷ୍ଟା କରିଥିଲେ। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ସୂଚନା ମୁତାବକ ଚାନ୍ଦବାଲି ଏନ ଏ ସି ଅଞ୍ଚଳର ମିତା ସେଠୀଙ୍କ ସ୍ୱାମୀକୁ କୌଣସି ଘଟଣାରେ ପୋଲିସ ଥାନାକୁ ଡକାଇ ଥିଲା । ମିତା ଏହା ଜାଣି ସ୍ୱାମୀକୁ ଦେଖାକରିବା ପାଇଁ ଥାନାକୁ ଯାଇଥିଲେ। କେଇ ମାସର ଛୋଟ ଛୁଆକୁ କାଖେଇ, ନଣନ୍ଦ ସହ ଥାନା ବାରେଣ୍ଡାରେ ବସିଥିଲେ। ଛୁଆଟି ମା କୋଳରୁ ଯାଇ ସେଠି ପଡିଥିବା ଚପଲ ଖୋଳରେ ଖେଳିବାରୁ ଖୋଳକୁ ମିତା ବାହାରକୁ ପକାଇ ଦେଇଥିଲେ। ଏହାକୁ ନେଇ ସେଠାରେ ଉପସ୍ଥିତ କନେଷ୍ଟବଳ ରବୀନ୍ଦ୍ର ସେଠୀଙ୍କ ସହ କଥା କଟାକଟି ହୋଇଥିଲା ମିତାଙ୍କର। ଜଣେ ସାଧାରଣ ମହିଳା ପୋଲିସକୁ ଉତ୍ତର ଦେବା ହଜମ କରି ପାରି ନ ଥିଲେ ରବୀନ୍ଦ୍ର। ସେ ରାଗିଯାଇ ମହିଳାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ମିତା ଚିତ୍କାର କରୁଥାନ୍ତି। ହେଲେ ତାଙ୍କୁ ବଞ୍ଚାଇବାକୁ ଅନ୍ୟ କର୍ମଚାରୀ ଆସିନଥିଲେ। ଏହା ଦେଖି ମିତା ସେଠାରେ ପଡିଥିବା ଏକ ଗୋଡି ପକେଇ ଦେଲେ ରବୀନ୍ଦ୍ରଙ୍କ ଉପରକୁ। ତା ପରେ ପୋଲିସ ଦେଖାଇଦେଲା ତାର ପ୍ରକୃତ ରୂପ । ଏ ଏସ ଆଇ ନେପାଳ ସାହା ଓ ଅନ୍ୟ ଜଣେ କର୍ମଚାରୀ ମହିଳାଙ୍କୁ ଘେରିଯାଇ ଗୋଇଠି, ବିଧା ନାଦି ଦେଇଥିଲେ। ତା ସହ ତାଙ୍କ ଲୁଗାପଟା ଖୋଲି ଅର୍ଦ୍ଧନଗ୍ନ କରିଦେଇଥିଲେ ବୋଲି ମିତା ଅଭିଯୋଗ କରିଛନ୍ତି ଓ ସେହି ଭିଜୁଆଲ୍ ମଧ୍ୟ କୌଣସି ବ୍ୟକ୍ତିଙ୍କ ମୋବାଇଲେ କଏଦ ହୋଇଛି।

ସେପଟେ ଏହି ଘଟଣାକୁ ନେଇ ଏସଡିପିଓଙ୍କୁ ପଚାରିବାରୁ ସେ କହିଛନ୍ତି, ମହିଳା ଜଣକ ଗାଳି-ଗୁଲଜ କରିବାରୁ ସେମାନେ ଟାଣି ଟାଣି ଆଣିଥିଲେ। ଘଟଣାକୁ ନେଇ ତଦନ୍ତ ହେବ

ଶୁଣିଲେ ଏସଡିପିଓ ମହାଶୟଙ୍କ କଥା। ହେଲେ କେଉଁ ଆଇନରେ ଲେଖାହୋଇଛି, ମହିଳା କର୍ମଚାରୀ ପାରିବେ ନାହିଁ ବୋଲି ପୁରୁଷ ପୋଲିସ ଜଣେ ମହିଳାଙ୍କ ଦେହରେ ହାତ ଲଗାଇବେ? ଟଣା-ଘୋଷରାରେ ହାତ, ଗୋଡ ନ ଧରି ଶାଢୀ ଖୋଲିବାର କି ଆବଶ୍ୟକତା ରହିଛି? ଯଦିବି ମହିଳା କୁଭାଷା ପ୍ରୟୋଗ କରୁଥିଲେ, ତାଙ୍କ ସହ ପୋଲିସ ଏପରି କରିବା କେତେଦୂର ଯଥାର୍ଥ? ଅନ୍ୟପଟେ, ଜଣେ ମହିଳା ଓ ତା’ର ଛୋଟ ଛୁଆକୁ ପୋଲିସ ହାଜତରେ ରାତିରେ ରଖିବା ପୋଲିସର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଭଦ୍ରକ ଚାନ୍ଦବାଲିରୁ ଦେବକାନ୍ତ ମହାନ୍ତିଙ୍କ ରିପୋର୍ଟ, Suchanatv24x7

Leave a Reply

Your email address will not be published. Required fields are marked *