ଓଡିଶାକୁ ଆସିବ ସିବିଆଇ। ରାଜ୍ୟର ଏକାଧିକ ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡର ଖୋଲିବ ଗୁମର। ବିଭିନ୍ନ ମହାପାପରେ ଜଡିତ ଜଣ ଜଣ କରି ସମସ୍ତଙ୍କୁ ବାନ୍ଧିବ ମୋହନ ସରକାର। ରାଜ୍ୟରେ ବିଜେପି ସରକାର ଆସିବା ପରେ ରାଜ୍ୟବାସୀ ଏବେ ବଡ ଆଶା ନେଇ ଚାହିଁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଆଡକୁ।
ରାଜ୍ୟରେ ୨୪ ବର୍ଷର ବିଜେଡି ସରକାରରେ ନବୀନ ପଟ୍ଟନାୟକ ନିଜର ସ୍ବଚ୍ଛ ନିର୍ମଳ ଭାବମୂର୍ତ୍ତି ସ୍ଥାପନ କରିଥିବା ବେଳେ ତାଙ୍କ ମନ୍ତ୍ରୀ ମଣ୍ଡଳର ଏକାଧିକ ମନ୍ତ୍ରୀଙ୍କ ନାଁରେ ରହିଛି ହତ୍ୟା ପରି ସାଂଘାତିକ ଅଭିଯୋଗ। ତେବେ ଘଟଣା ନବୀନଙ୍କ ସ୍ବଚ୍ଛ ସରକାରରେ ହୋଇଥିବାରୁ ତତ୍କାଳୀନ ମନ୍ତ୍ରୀମାନଙ୍କର ସମ୍ପୃକ୍ତି ଥିବା ନେଇ ମାଳ ମାଳ ଅଭିଯୋଗ ସତ୍ତ୍ବେ ସେମାନଙ୍କ ବିରୋଧରେ ନିଆଯାଇନି କାର୍ଯ୍ୟାନୁଷ୍ଠାନ। ଏମିତି କି ସରକାରରେ ସ୍ବାସ୍ଥ୍ଯ ମନ୍ତ୍ରୀଙ୍କୁ ଦିନ ଦ୍ବିପ୍ରହରରେ ଜଣେ ପୋଲିସ ଅଧିକାରୀ ସର୍ବ ସମ୍ମୁଖରେ ହତ୍ୟା କଲେ, ହେଲେ ଘଟଣା ପଛର ଗୁମର ଖୋଲିଲା ନାହିଁ। ଅଭିଯୁକ୍ତ ପୋଲିସ, ଗୋପାଳ ଦାସ ଏବେ ଜେଲରେ। ଜଣେ ମନ୍ତ୍ରୀଙ୍କୁ ସାଧାରଣ ଜଣେ ଏଏସଆଇ ହତ୍ୟା କରିବାକୁ ରାଜ୍ୟବାସୀ ଗ୍ରହଣ କରି ପାରି ନ ଥିବା ବେଳେ କିନ୍ତୁ ଘଟଣାର ସଠିକ ତଦନ୍ତ କରାଗଲା ନି, କି ଏହି ହତ୍ୟାରେ ଗୋପାଳଙ୍କ ହାତରେ ପିସ୍ତଲ ଧରାଇଥିବା ବ୍ୟକ୍ତିକୁ ନେଇ ତଦନ୍ତ ହେଲାନି। ଆଇପିଏସ ଅରୁଣ ବୋଥ୍ରା ଉଦ୍ଭଟ ତଥ୍ୟ ଉପସ୍ଥାପନ କରି ଲୋକଙ୍କୁ ଅଧିକ ଭ୍ରମିତ କରିଦେଲେ। ତେଣୁ ଆଜି ମଧ୍ୟ ଓଡିଶାବାସୀଙ୍କ ମଧ୍ୟରେ ଅନେକ ସନ୍ଦେହ।
ଆଉ ସେହିପରି ବଲାଙ୍ଗୀର ମହାଲିଙ୍ଗ କଲେଜର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ସେତେବେଳର ଶକ୍ତି ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ମମତିଙ୍କ ପରିବାର ଚିତ୍କାର କରିଥିଲେ। କିନ୍ତୁ ପୋଲିସ ଓ ନବୀନଙ୍କ କାନରେ ବାଜିଲାନି ସେହି ଆର୍ତ୍ତନାଦ। ସ୍କୁଲର ପ୍ରତିଷ୍ଠାତା ଗୋବିନ୍ଦ ସାହୁଙ୍କୁ ଗିରଫ କରି ଜେଲ ପଠାଇଦିଆଗଲା। ଆଉ ଜେଲରେ ଗୋବିନ୍ଦ ସାହୁ ନିଜ ଜୀବନ ନେଇଗଲେ। ଏହା ପରେ ମମିତା ମେହେର ଫାଇଲରେ ପଡିଲା ଛକି। ଯାହାକୁ ନେଇ ମମିତାଙ୍କ ବାପା ନବନିର୍ବାଚିତ ବିଧାୟକ ଲକ୍ଷ୍ମଣ ବାଗଙ୍କ ନିକଟରେ ସିବିଇ ତଦନ୍ତ ପାଇଁ ଦାବି କରିଛନ୍ତି ଓ ସେ ସିବିଆଇ ତଦନ୍ତ ପାଇଁ କହିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଆଉ ଏକ ଘଟଣା ଥିଲା ନୟାଗଡର ପରୀ ହତ୍ୟା। ୨୦୨୦ ଜୁଲାଇରେ ନୟାଗଡ ଜଦୁପୁରର ପରୀ ହତ୍ୟା ହୋଇଥିଲା। ବିଜେଡି ସରକାରର ବିଶ୍ବସ୍ତ ଆଇପିଏସ ଅରୁଣ ବୋଥ୍ରା ମାମଲାର ତଦନ୍ତ କଲେ। ଅଙ୍ଗ ଚାଲାଣ ଅଭିଯୋଗକୁ ପକେଟରେ ପୂରାଇ ବୋଥ୍ରା ଜାମୁକୋଳି କାହାଣୀ ଶୁଣାଇଦେଲେ। ଅବଶ୍ୟ ପୋଲିସ ଓ କ୍ରାଇମବ୍ରାଞ୍ଚର ତଦନ୍ତ ରିପୋର୍ଟ ଆଧାରରେ ଜଣେ ନାବାଳକକୁ ୨୦ ବର୍ଷ ଜେଲ ଦଣ୍ଡ ମିଳିଛି। ହେଲେ ପରୀର ବାପା ମାଆ ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଉଚ୍ଚସ୍ତରୀୟ ତଦନ୍ତ ପାଇଁ। ସେହିପରି ମାହାଙ୍ଗାର କୁଳମଣି ବରାଳ, ଦିବ୍ୟସିଂହ ବରାଳଙ୍କ ହତ୍ୟା ମଧ୍ୟ ଜାତୀୟସ୍ତରରେ ଆଲୋଡନ ସୃଷ୍ଟି କରିଥିଲା। ଏହିସବୁ ଘଟଣାକୁ ନେଇ ବେଶ ଚତୁରତା ସହ ନବୀନ ସରକାର ଚପାଇ ଦେବାରେ ସଫଳ ହୋଇଥିଲା। ପ୍ରତିଟି ମାମଲାକୁ ନେଇ ସରକାରକୁ ଘେରିବା ସହ ସିବିଆଇ ତଦନ୍ତ ପାଇଁ ଦାବି ଜଣାଇଥିଲା ବିଜେପି।
ସମୟ ବଦଳିଛି। ଲୋକେ ବିଜେଡିର ସ୍ବେଚ୍ଛାଚାରୀ ଶାସନରେ ଅତିଷ୍ଠ ହୋଇ ୨୪ ବର୍ଷର ଚେରକୁ ଓପାଡି ଫୋପାଡି ଦେଲେ। ଏବେ ଏହି ସବୁ ହାଇପ୍ରୋଫାଇଲ ମାମଲାର ତଦନ୍ତ ସିବିଆଇ ଦ୍ବାରା କରାଇବା ସହ ଅସଲ ଅଭିଯୁକ୍ତକୁ ମୋହନ ସରକାର ଲୋକଲୋଚନକୁ ଆଣିବ ବୋଲି ରାଜ୍ୟବାସୀ ଆଶାବାନ୍ଧି ବସିଛନ୍ତି। ଆଉ ସେପଟେ ନବ ଦାସ ହତ୍ୟାକୁ ନେଇ ସୁପ୍ରିମ କୋର୍ଟରେ ଦାୟର ଏକ ପିଟିସନ ଉପରେ ଆସନ୍ତା ମାସ ୨୯ ତାରିଖରେ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିବା ରାଜ୍ୟକୁ ସିବିଆଇ ଆଗମନ ପାଇଁ ବାଟ ଫିଟାଇବ ବୋଲି ଚର୍ଚା। ଏହା ପରେ ଦେଖିବାକୁ ରହିଲା ବିଜେପି ଲୋକଙ୍କ ଭରସାର ମାନ ରଖିବାରେ ସକ୍ଷମ ହେଉଛି ନା କୌଣସି ଅଦୃଶ ଚାପରେ ଚେପା ହୋଇଯାଉଛି।