
ଟେଣ୍ଡର ଫିକ୍ସିଂ ମାମଲାରେ ସିବିଆଇ ସହ ଲୁଚକାଳି ଖେଳୁଥିବା ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୋହନ ସରକାର । ଆଜି ତାଙ୍କୁ ୩ଟି ଯାକ ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବ ପଦରୁ ହଟାଇ ଦେଇଛନ୍ତି । ତାଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡି(ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି) ଭାବେ ପନିସମେଂଟରେ ପଠାଇ ଦିଆଯାଇଛି । ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନ୍ ଜିଜିଏମ୍ଙ୍କୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଆଜି ଦିନ ୧୨ଟା ସୁଦ୍ଧା ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ଚିଠି କରିଛି। ଏହି ମାମଲାରେ ଆଇଏଏସ୍ ବିଷ୍ଣୁପଦ ସେଠୀ ସିବିଆଇ ଜେରାର ସମ୍ମୁଖୀନ ହେବା ଆପାତତଃ ନିଶ୍ଚିତ ବୋଲି କୁହାଯାଉଛି।
ଉଲ୍ଲେଖଯୋଗ୍ୟ, ଲାଂଚ କାରବାର ଓ ଟେଣ୍ଡର ଫିକ୍ସିଂ ମାମଲାରେ ସିବିଆଇ ଗତ ୧୦ତାରିଖରୁ ବିଷ୍ଣୁପଦ ସେଠୀଙ୍କୁ ହାଜର ପାଇଁ ନୋଟିସ୍ ଦେଇଥିଲେ ମଧ୍ୟ ସେ ତାହାକୁ ଏଡ଼ାଇ ଚାଲିଛନ୍ତି । ସିବିଆଇ ସହ ବିଷ୍ଣୁପଦ ଲୁଚକାଳି ଖେଳୁଥିବାବେଳେ ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଗଣମାଧ୍ୟମରେ ଚର୍ଚ୍ଚା ପରେ ସରକାର ବିଷ୍ଣୁପଦଙ୍କ ଉପରେ ଆକ୍ସନ ନେଇଛନ୍ତି । ଗତକାଲି ରାଜ୍ୟ ସରକାର ବିଷ୍ଣୁପଦ ସେଠୀଙ୍କୁ ତିନିଟି ଯାକ ବିଭାଗରୁ ହଟାଇ ଦେଇଥିବାରୁ ସିବିଆଇ ତାଙ୍କୁ ଜେରା କରିବ। ଏହି କାରବାରରେ ଆଇଏଏସ୍ ବିଷ୍ଣୁପଦଙ୍କ କି ପ୍ରକାର ସମ୍ପୃକ୍ତି ରହିଛି, ସେନେଇ ସିବିଆଇ ପଚାରିଥିଲା। ସେହିଭଳି ୪ ତାରିଖରେ ଜିଏମ୍ ଭୂପେନ୍ଦ୍ର ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ଏକ ହାତଲେଖା ଚିଠି ଲେଖିଥିବା ପ୍ରସଙ୍ଗରେ ମଧ୍ୟ ସିବିଆଇ ଖୋଳତାଡ଼ କରୁଛି।