
ବାହାନଗା ରେଳ ଦୁର୍ଘଟଣାରେ CBI ପକ୍ଷରୁ ତଦନ୍ତ ଆରମ୍ଭ ହୋଇସାରିଲାଣି । ଏ ନେଇ ସୂଚନା ଦେଇଛନ୍ତି ରେଳବାଇ ମୁଖ୍ୟ ଲୋକ ସଂପର୍କ ଅଧିକାରୀ । ବାହାନଗାରେ ଟ୍ରେନ୍ ଦୁର୍ଘଟଣାସ୍ଥଳରେ ଅନୁଧ୍ୟାନ କରୁଛନ୍ତି ତଦନ୍ତକାରୀ ଟିମ୍ । CBIର ସ୍ବତନ୍ତ୍ର ଟିମ୍ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛନ୍ତି । କେମିତି ଓ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା,ଏହା ପଛରେ ଅପରାଧିକ ଷଡ଼ଯନ୍ତ୍ର ଅଛି କି ? ସେସବୁର ତଦନ୍ତ କରୁଛି CBI ଟିମ୍ ।

ଗୃହ ମନ୍ତ୍ରାଳୟର ଏକ ଟିମ୍ ମଧ୍ୟ ଘଟଣାସ୍ଥଳ ବୁଲି ଦେଖିଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ CBI ତଦନ୍ତ ଅନୁମୋଦନ ଦେବାପରେ CBI ଟିମ୍ ତଦନ୍ତ ଜାରି ରଖିଥିବା କହିଛନ୍ତି ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ । ଗତକାଲି ଘଟଣାସ୍ଥଳ ଯାଇ ରେଲଓ୍ବେ ସେଫ୍ଟି କମିଶନର ପ୍ରାଥମିକ ତଦନ୍ତ କରିଥିଲେ । ଲୋକୋ ପାଇଲଟ ଓ ଆସିଷ୍ଟାଣ୍ଟ ଲୋକୋ ପାଇଲଟଙ୍କ ବୟାନ୍ ରେକର୍ଡ ହୋଇଛି । ବାହାନଗା ଟ୍ରେନ ଦୁର୍ଘଟଣାସ୍ଥଳରେ ରେଲଓ୍ବେ ସେଫ୍ଟି କମିଶନର ଶୈଳେଶ ପାଠକ ମଧ୍ୟ ଅନୁଧ୍ୟାନ କରିଥିଲେ ।

ରେଳବାଇ ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀଙ୍କ ସୂଚନା ଅନୁସାରେ ବାହାନଗାରେ ଉଭୟ ଅପ୍ ଏବଂ ଡାଉନ୍ ଲାଇନରେ ଟ୍ରେନ୍ ଚଳାଚଳ କଲାଣି । ସ୍ପେଶାଲ ଟ୍ରେନ୍ ମଧ୍ୟ ଚଳାଚଳ କଲାଣି । ରେଗୁଲାର ଟ୍ରେନ୍ ଓ ବନ୍ଦେ ଭାରତ ମଧ୍ୟ ସେହି ରୁଟରେ ଗଲାଣି । ଠିକ୍ ଭାବରେ ଟ୍ରେନ୍ ଚଳାଚଳ କରୁଥିବାରୁ ଖୁବଶୀଘ୍ର ଅନ୍ୟ ଟ୍ରେନ୍ ମଧ୍ୟ ଚଳାଚଳ କରିବାର ଆଶା ରହିଛି । ଏବେ ସବୁଠୁ ବଡ଼ କଥା ମୃତକଙ୍କ ପରିବାରକୁ ସୁବିଧାସୁଯୋଗ ଯୋଗାଇବା । ସେପଟେ, ସବୁ ହସ୍ପିଟାଲ ପାଇଁ ସ୍ୱତନ୍ତ୍ର ଟିମ୍ ଗଠିତ ହୋଇଛି ।
