ଦୁର୍ଘଟଣାର ମୂଳ କାରଣ ଜଣାପଡିଛି: ରେଳ ମନ୍ତ୍ରୀ

ବାଲେଶ୍ୱର ବାହାନଗା ବଜାର ଷ୍ଟେସନ ନିକଟରେ ହୋଇଥିବା ଟ୍ରେନ ଦୁର୍ଘଟଣା ପାଇଁ ଦେଶ ବ୍ୟାପୀ ରେଳମନ୍ତ୍ରୀଙ୍କ ବିରୋଧରେ ତେଜୁଛି ଅସନ୍ତୋଷ। କାରଣ ଖୋଜି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ସହ ରେଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଉଛି। ଏହାରି ଭିତରେ ଦୁର୍ଘଟଣାର ମୂଳ କାରଣ ଜଣାପଡ଼ିଛି ବୋଲି ରବିବାର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି। ମନ୍ତ୍ରୀ କହିଛନ୍ତି କି, ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମରେ ପରିବର୍ତ୍ତନ ଯୋଗୁ ଏହି ଦୁର୍ଘଟଣା ଘଟିଛି। ଆଉ ଏଥିପାଇଁ ଦାୟୀ ବ୍ୟକ୍ତିର ଚିହ୍ନଟିକରଣ ସରିଛି।
ରେଳ ମନ୍ତ୍ରୀ ଆହୁରି କହିଛନ୍ତି କି, ଏହି ଦୁର୍ଘଟଣାର ତଦନ୍ତ ଶେଷ ହୋଇଯାଇଛି। ରେଳ ସେଫ୍ଟି କମିଶନର ତଦନ୍ତ କରିଛନ୍ତି। ତେବେ ବର୍ତ୍ତମାନ ପରିସ୍ଥିତିରେ କିଛି କହିବା ଠିକ ହେବ ନାହିଁ। ଆମେ ସମସ୍ତେ ତଦନ୍ତ ରିପୋର୍ଟକୁ ଅପେକ୍ଷା କରିବା। ତେବେ ଦୁର୍ଘଟଣାର କାରଣ ଜଣାପଡ଼ିଛି। ଏହି ଘଟଣା ପାଇଁ ଦାୟୀ ଥିବା ଲୋକଙ୍କ ଚିହ୍ନଟ କରାଯାଇଛି।

କବଚର ଏହି ଦୁର୍ଘଟଣା ସହିତ କିଛି ସଂପର୍କ ନାହିଁ। ଏହି ଘଟଣା ପୂରା ଅଲଗା। ଏଥିରେ ପଏଣ୍ଟ ମେସିନର କଥା ଆସୁଛି। ଇଲେକ୍ଟ୍ରୋନିକ ଇଣ୍ଟରଲକିଂର କଥା ଆସୁଛି। ଇଲେକ୍ଟ୍ରୋନିକ ଇଣ୍ଟରଲକିଂରେ ପରିବର୍ତ୍ତନ ଯୋଗୁ ଏହି ଦୁର୍ଘଟଣା ଘଟିଛି। ଯେଉଁମାନେ ଏଥିପାଇଁ ଦାୟୀ ତାହା ତଦନ୍ତ ରିପୋର୍ଟ ଆସିବା ପରେ ଜଣାପଡ଼ିବ।

ସେହିପରି ମନ୍ତ୍ରୀ କହୁଛନ୍ତି କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ତାଙ୍କ ନିର୍ଦ୍ଦେଶ ମୁତାବକ ମରାମତି କାମ ଜୋରସୋରରେ ଚାଲିଛି। ଗୋଟିଏ ଟ୍ରାକର ମରାମତି କାମ ପ୍ରାୟ ଶେଷ ହୋଇଯାଇଛି। ବିଦ୍ୟୁତୀକରଣ କାମ ମଧ୍ୟ ଜୋରସୋରରେ ଚାଲିଛି। ଆଜି ଗୋଟିଏ ଟ୍ରାକକୁ ସ୍ୱାଭାବିକ କରିବାକୁ ପ୍ରୟାସ କରାଯାଉଛି।


ଦୁର୍ଘଟଣାଗ୍ରସ୍ତ ଟ୍ରେନଗୁଡ଼ିକର ବଗିଗୁଡ଼ିକୁ ରେଳ ଧାରଣାରୁ ହଟାଇ ଦିଆଯାଇଛି। ସମସ୍ତ ମୃତଦେହର ଉଦ୍ଧାର କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ଅପରେସନ ତ୍ୱରିତ ବେଗରେ ଚାଲିଛି। ବୁଧବାର ସକାଳ ସୁଦ୍ଧା ପୁନରୁଦ୍ଧାର କାର୍ଯ୍ୟ ଶେଷ କରି ଏହି ରୁଟ୍‌ରେ ଟ୍ରେନ ଚଳାଚଳ ସ୍ୱାଭାବିକ କରିବାକୁ ଚେଷ୍ଟା ଜାରି ରହିଛି।

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୁର୍ଘଟଣାସ୍ଥଳରେ କ୍ୟାମ୍ପ କରି ଅଛନ୍ତି ଓ ପୁନରୁଦ୍ଧାର କାର୍ଯ୍ୟକୁ ନିଜେ ତଦାରଖ କରୁଛନ୍ତି।

Leave a Reply

Your email address will not be published. Required fields are marked *