Category: ବିଶେଷ

  • ମହିଳା ଙ୍କ ସ୍ୱାସ୍ଥ୍ୟ ନେଇ ସୁପ୍ରିମକୋର୍ଟ ଙ୍କ ଐତିହାସିକ ରାୟ, ଋତୁସ୍ରାବ ସ୍ୱଚ୍ଛତା ମୌଳିକ ଅଧିକାର

    ମହିଳା ଙ୍କ ସ୍ୱାସ୍ଥ୍ୟ ନେଇ ସୁପ୍ରିମକୋର୍ଟ ଙ୍କ ଐତିହାସିକ ରାୟ, ଋତୁସ୍ରାବ ସ୍ୱଚ୍ଛତା ମୌଳିକ ଅଧିକାର

    ମହିଳାଙ୍କ ସ୍ୱାସ୍ଥ୍ୟ ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ । ଋତୁସ୍ରାବ ସ୍ୱଚ୍ଛତା ଏବେ ମୌଳିକ ଅଧିକାର । ମହିଳାଙ୍କ ସ୍ୱାସ୍ଥ୍ୟ ଓ ମର୍ଯ୍ୟାଦାକୁ ନେଇ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ, ଋତୁସ୍ରାବ ସମୟରେ ସ୍ୱଚ୍ଛତା ଅଧିକାର ଭାରତୀୟ ସଂବିଧାନର ଧାରା ୨୧ ଅନୁଯାୟୀ ଜୀବନ ଅଧିକାର ଓ ଗୋପନୀୟତା ଅଧିକାରର ଅବିଛେଦ୍ୟ ଅଂଶ । କୋର୍ଟ କହିଛନ୍ତି, ଋତୁସ୍ରାବ ମହିଳାଙ୍କ ଶାରୀରିକ ପ୍ରକ୍ରିୟାର ଏକ ସ୍ୱାଭାବିକ ଅଂଶ ଏବଂ ଏହା ସମୟରେ ସ୍ୱଚ୍ଛତାର ଅଭାବ ମହିଳାଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଓ ମର୍ଯ୍ୟାଦାକୁ ଗୁରୁତର ଭାବେ ପ୍ରଭାବିତ କରେ ।

    ତେଣୁ ମହିଳାମାନଙ୍କ ପାଇଁ ସମ୍ମାନ, ସ୍ୱାସ୍ଥ୍ୟ ଓ ସମାନତା ସୁନିଶ୍ଚିନ୍ତ କରିବା ରାଜ୍ୟର ସଂବିଧାନିକ ଦାୟିତ୍ୱ ବୋଲି ସୁପ୍ରିମକୋର୍ଟ ମତ ପ୍ରକାଶ କରିଛନ୍ତି । ଏହି ରାୟ ସହିତ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ, ସେହିପରି ସମସ୍ତ ସରକାରୀ ଓ ବେସରକାରି ବିଦ୍ୟାଳୟଗୁଡ଼ିକୁ କୋର୍ଟ ଏକାଧିକ ବାଧ୍ୟତାମୂଳକ ନିର୍ଦ୍ଦେଶ ଜାରି କରିଛନ୍ତି । ଏହି ରାୟକୁ ମହିଳା ଅଧିକାର ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ଭାବେ ଦେଖାଯାଉଛି । ଏହା ମହିଳାଙ୍କ ପ୍ରତି ଥିବା ସାମାଜିକ ଭେଦଭାବ ଓ ଲଜ୍ଜାଭାବକୁ ଭାଙ୍ଗି, ସମାନ ଓ ମର୍ଯ୍ୟାଦାପୂର୍ଣ୍ଣ ଜୀବନର ପଥକୁ ସୁଗମ କରିବ ବୋଲି ଆଶା କରାଯାଉଛି ।

  • ବ୍ୟାନ ହେବନି ପାନ ମସଲା, ସ୍ପଟିକରଣ ଦେଲା ସ୍ୱାସ୍ଥ୍ୟ ବିଭାଗ

    ବ୍ୟାନ ହେବନି ପାନ ମସଲା, ସ୍ପଟିକରଣ ଦେଲା ସ୍ୱାସ୍ଥ୍ୟ ବିଭାଗ

    ବ୍ୟାନ ହେବନି ପାନ ମସଲା । ଏହି ସ୍ପଷ୍ଟୀକରଣ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଆଜ୍ଞା ହଁ ଏଥିରେ ଟବାକୋ,ନିକୋଟିନ ନଥିବାରୁ ଏହା ବ୍ୟାନ ହେବ ନାହିଁ ବୋଲି ସ୍ଵାସ୍ତ୍ୟ ବିଭାଗ ପକ୍ଷରୁ ସୂଚନା ଆସିଛି । ସ୍ବାସ୍ଥ୍ୟ ବିଭାଗ ସଚିବ ଏମ ଅସ୍ଵସ୍ଥି ଏନେଇ ଅର୍ଥ ବିଭାଗକୁ ଚିଠି ଲେଖି ଅବଗତ କରିଛନ୍ତି । ତମାକୁ ବ୍ୟାନ ନେଇ ୨୦୧୩ ପୁରୁଣା ଆଇନରେ ସଂଶୋଧନ କରି ଗତ ଜାନୁଆରୀ ୨୧ରେ ନୂଆ ଆଇନ ଲାଗୁ କରିଛନ୍ତି ସରକାର । ନୁଆ ଆଇନରେ ପାନମସାଲା, ଜର୍ଦା, ପ୍ରସ୍ତୁତି, ବିକ୍ରୀ ଓ ଗଚ୍ଛିତ ରଖିବା ଉପରେ ରୋକ ଲଗାଯାଇଛି । ତମାଖୁ, ଜର୍ଦା, ଖଇନି, ପାନ ମସାଲାର ସେବନ ଦ୍ୱାରା ଓରାଲ ହେଲ୍ଥ ଉପରେ ବ୍ୟାପକ ପ୍ରଭାବ ପଡି ଥାଏ |ମୁହଁ କ୍ୟାନ୍ସର ସହ ଷ୍ଟୋମକ, ପାନକ୍ରିୟାଜ, ଥ୍ରୋଟ ଏବଂ ରେନାଲ କ୍ୟାନ୍ସର ହବାର ସମ୍ଭାବନା ଥାଏ । ସେଥିପାରୁ ତମାଖୁ ବ୍ୟାନ ଆଇନକୁ କଡାକଡି ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ବିଭିନ୍ନ ସ୍ଥାନରେ ପୁଲିସ, ପ୍ରଶାସନ ପକ୍ଷରୁ ରେଡ କରି ଗୁଟଖା, ତମାଖୁ ଜବତ କରାଯାଉଛି ।

  • ହେଲମେଟ ସଚେତନତାର ନିଆରା ପ୍ରୟାସ: ଦାନଗଦୀରେ ୩୭ତମ ସଡ଼କ ସୁରକ୍ଷା ଓ ଜୀବନ ରକ୍ଷା ଅଭିଯାନ

    ଯାଜପୁର ଜିଲ୍ଲା ଦାନଗଦୀ ଅଞ୍ଚଳ ଅନ୍ତର୍ଗତ ସୀଙ୍ଗାଡ଼ିଆ ଛକ ନିକଟରେ ୟୁନିକୋ ଏଣ୍ଟ୍ରପ୍ରାଇଜେସ (ନୀଳାଞ୍ଚଳ କମ୍ପାନୀ) ତରଫରୁ ଦାନଗଦୀ ପୋଲିସର ସହଯୋଗରେ ୩୭ତମ ସଡ଼କ ସୁରକ୍ଷା ଓ ଜୀବନ ରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୋଟରସାଇକେଲ ଆରୋହୀମାନେ କିପରି ହେଲମେଟ ପିନ୍ଧି ନିଜ ଜୀବନ ସୁରକ୍ଷା କରିପାରିବେ, ସେନେଇ ସଚେତନ କରାଯାଇଥିଲା। ଡବଲ ହେଲମେଟ ପିନ୍ଧି ଗାଡ଼ି ଚଳାଉଥିବା ବ୍ୟକ୍ତିମାନଙ୍କୁ ଗୋଲାପ ଫୁଲ ଓ ଚକୋଲେଟ୍ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା।

    ରାତ୍ରି ସମୟରେ ସଡ଼କ ଦୁର୍ଘଟଣା ରୋକିବା ଉଦ୍ଦେଶ୍ୟରେ ବୁଲା ଗାଈ, ଗୋରୁ ଓ ଷଣ୍ଢମାନଙ୍କ ବେକରେ ରେଡିଅମ୍ ବେଲ୍ଟ ପିନ୍ଧାଯାଉଥିବାର ଦୃଶ୍ୟ ଲୋକଙ୍କ ଆକର୍ଷଣ କେନ୍ଦ୍ର ବନିଥିଲା। ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା, ଯାହାକୁ ୟୁନିକୋ ଏଣ୍ଟ୍ରପ୍ରାଇଜେସର ଏକ ନିଆରା ପ୍ରୟାସ ଭାବେ ଦେଖାଯାଉଛି। ଏହି ଅବସରରେ ଦାନଗଦୀ ଫାଣ୍ଡି ଅଧିକାରୀ ଅମୂଲ୍ୟ କୁମାର ମିଶ୍ର ଯୋଗଦେଇ କହିଥିଲେ, “ସମସ୍ତ ଜନସାଧାରଣ ଗାଡ଼ି ଚଳାଇବା ବେଳେ ସର୍ବଦା ହେଲମେଟ ବ୍ୟବହାର କଲେ ନିଜ ସୁରକ୍ଷା ସହ ପରିବାର ମଧ୍ୟ ସୁରକ୍ଷିତ ରହିପାରିବ।”

    ଏହି ସଚେତନତା ଅଭିଯାନରେ ନୀଳାଞ୍ଚଳ ଇସ୍ପାତ ନିଗମର RMHS & Logistic Operation ବିଭାଗର ରାକେଶ ମହାନ୍ତି, ଶୁଭେନ୍ଦୁ ଚନ୍ଦା ଓ କୁନାଲ ବିଶ୍ୱାସ ସାମିଲ ହୋଇଥିଲେ।

  • ବଡ଼ବିଲରେ ଆନନ୍ଦ ଓ ଉତ୍ସାହର ଝଲକ, ଉଦଘାଟିତ ହେଲା ୨୬ତମ ବଡ଼ବିଲ ମହୋତ୍ସବ

    ବଡ଼ବିଲରେ ଆନନ୍ଦ ଓ ଉତ୍ସାହର ଝଲକ, ଉଦଘାଟିତ ହେଲା ୨୬ତମ ବଡ଼ବିଲ ମହୋତ୍ସବ

    ବଡ଼ବିଲ: ଆନନ୍ଦ ଓ ଉଦ୍ଦୀପନାର ପରିବେଶ ମଧ୍ୟରେ ଗୁରୁବାର ସନ୍ଧ୍ୟାରେ ୨୬ତମ ବଡ଼ବିଲ ମହୋତ୍ସବର ଭବ୍ୟ ଉଦଘାଟନ ହୋଇଯାଇଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବର ଶୁଭ ଉଦ୍ଘାଟନ କରିଥିଲେ।ପରମ୍ପରା ଅନୁଯାୟୀ ଅପରାହ୍ନରେ ବଡ଼ବିଲ ହରିହର ମନ୍ଦିରରେ ପୂଜାର୍ଚ୍ଚନା ପରେ ଶୁଭ ଦୀପକୁ କେନ୍ଦ୍ର କରି ଢୋଲ–ତାମସାର ତାଳେ ତାଳେ ଏକ ଶୋଭାଯାତ୍ରା ଉତ୍ସବ ପଡ଼ିଆ ପର୍ଯ୍ୟନ୍ତ ଆଗୁଆଡ଼ିଥିଲା। ଏଥିରେ ବହୁ ସଂଖ୍ୟାରେ ସହରବାସୀ ସାମିଲ ହୋଇଥିଲେ।

    ସନ୍ଧ୍ୟାରେ ଆୟୋଜିତ ଉଦଘାଟନୀ ସଭାରେ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଆନୁଷ୍ଠାନିକ ଭାବେ ୨୬ତମ ବଡ଼ବିଲ ମହୋତ୍ସବକୁ ଉଦଘାଟନ କରିଥିଲେ। ପ୍ରବଳ ଶୀତ ସତ୍ୱେ ମଧ୍ୟ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଚରମ ସୀମାରେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା। ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚସ୍ଥ ହୋଇଥିଲା। କରଞ୍ଜିଆର ମଲଖାମ୍ ଓ ସମ୍ବଲପୁରର ଡାଲଖାଇ ନୃତ୍ୟ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା। ବିଳମ୍ବିତ ସନ୍ଧ୍ୟାରେ ଓଡ଼ିଶାର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ବର୍ଣ୍ଣାଳି ହୋତାଙ୍କ ମେଲୋଡି କାର୍ଯ୍ୟକ୍ରମରେ ମଞ୍ଚ ସହ ଦର୍ଶକଦୀର୍ଘା ଝୁମିଉଠିଥିଲା।

    ଚାରି ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ବିଭିନ୍ନ ନୃତ୍ୟ ପ୍ରଦର୍ଶନୀ, ଡଗ୍ ସୋ’, ଲିଟିଲ୍ ମିସ୍ କଣ୍ଟେଷ୍ଟ ସହ ଅନେକ ପ୍ରତିଯୋଗିତା ଆୟୋଜିତ ହୋଇଛି। ଆଗାମୀ ଦିନରେ ଓଲିଉଡ୍ ଓ ବଲିଉଡର ବହୁ ଖ୍ୟାତନାମା କଳାକାର ମହୋତ୍ସବରେ ଯୋଗଦେବେ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି।

  • ପଶ୍ଚିମବଙ୍ଗକୁ ଚାଲାଣ ହେଉଛି ଓଡ଼ିଶା ଧାନ

    ପଶ୍ଚିମବଙ୍ଗକୁ ଚାଲାଣ ହେଉଛି ଓଡ଼ିଶା ଧାନ

    ପଶ୍ଚିମବଙ୍ଗକୁ ଚାଲାଣ ହେଉଛି ଓଡ଼ିଶା ଧାନ । ଯୋଗାଣ ବିଭାଗର ଚଢ଼ାଉରେ ୯ ଶହ କୁଇଣ୍ଟାଲ ଧାନ ଜବତ । ପଶ୍ଚିମବଙ୍ଗକୁ ଓଡ଼ିଶାରୁ ଚୋରା ଧାନ ଚାଲାଣ ହେଉଥିବା ନେଇ ଅଭିଯୋଗ ପରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପଡୋଶୀ ପଶ୍ଚିମବଙ୍ଗରୁ ଓଡିଶା ଭିତରକୁ ଧାନ ଚୋରା ଚାଲାଣ ହେଉଥିଲା ବେଳେ ଖବର ପାଇ ମାଡି ବସିଛି ଜିଲ୍ଲା ଯୋଗାଣ ବିଭାଗ । ସୂଚନା ଅନୁସାରେ, ଧାନ ଚୋରା ଚାଲାଣ ହେଉଥିବା ଖବର ପାଇ ଯୋଗାଣ ବିଭାଗର ଟିମ୍ ଲକ୍ଷ୍ମଣନାଥ ଟୋଲ ଗେଟ ନିକଟରେ ନଜର ରଖିଥିଲେ। ସନ୍ଦେହଜନକ ଟ୍ରକକୁ ଅଟକାଇ ତଲାଶି ନେବା ପରେ ଆନୁମାନିକ ୯ ଶହ କୁଇଣ୍ଟାଲରୁ ଅଧିକ ଧାନ ଜବତ କରାଯାଇଛି । ଧାନ ଚାଲାଣ ସମ୍ପର୍କରେ କୌଣସି ବୈଧ କାଗଜପତ୍ର ଦେଖାଇ ପାରିନଥିବାରୁ ଟ୍ରକ ସହ ସମସ୍ତ ଧାନକୁ ଜବତ କରାଯାଇଛି। ଏହି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଥିବା ସହ ଚୋରା ଚାଲାଣ ପଛରେ ଥିବା ଚକ୍ରକୁ ଧରିବାକୁ ପ୍ରୟାସ ଜାରି ରହିଛି।

  • କ୍ରୀଡ଼ାରେ ରାଜନୀତି ? ବାଂଲାଦେଶ ସରକାରର ଦୋମୁହାଁ ମୁଖା ଖୋଲା

    କ୍ରୀଡ଼ାରେ ରାଜନୀତି ? ବାଂଲାଦେଶ ସରକାରର ଦୋମୁହାଁ ମୁଖା ଖୋଲା

    କ୍ରିକେଟକୁ ନେଇ ଆସିଲା ବାଂଲାଦେଶ ସରକାରଙ୍କ ଦୋମୁହାଁ ନୀତି ଏବେ ସର୍ବସାଧାରଣଙ୍କ ସାମ୍ନାରେ ଖୋଲିଯାଇଛି | ଯାହାକି ଟ୍ୱେଣ୍ଟି-୨୦ ବିଶ୍ୱକପ ପାଇଁ ଭାରତ ଆସିବା ଖେଳାଳିଙ୍କୁ ନେଇ ବାଂଲାଦେଶର ସରକାର ଦେଇଥିଲେ ଏକ ବଡ଼ ବୟାନ | ଭାରତରେ ବାଙ୍ଗଲାଦେଶୀୟ ଖେଳାଳିଙ୍କ ସୁରକ୍ଷା ପ୍ରତି ବିପଦ ଅଛି ବୋଲି ମହମ୍ମଦ ୟୁନୁସଙ୍କ କାମଚଳା ସରକାର କହିଛନ୍ତି | ସବୁଠୁ ବଡ ଆଶର୍ଯ୍ୟର କଥା ଖେଳାଳିଙ୍କ ସୁରକ୍ଷା ପ୍ରତି ବିପଦ ଅଛି ଏହି କଥା ଏବେ ମିଛ ବୋଲି ପ୍ରମାଣିତ ହୋଇଛି | କାରଣ ବାଂଲାଦେଶ ସରକାର ଭାରତ ଆସି ଏସୀୟ ସୁଟିଂ ଚାମ୍ପିଅନ୍‌ସିପ୍‌ ଖେଳିବା ପାଇଁ ନିଜ ଦେଶର ସୁଟିଂ ଦଳକୁ ତୁରନ୍ତ ମଞ୍ଜୁରି ଦେଇଛନ୍ତି |
    ନୂଆଦିଲ୍ଲୀର କର୍ଣ୍ଣି ସିଂହ ସୁଟିଂ ରେଞ୍ଜରେ ଫେବ୍ରୁଆରି ୨ରୁ ୧୪ ପର୍ଯ୍ୟନ୍ତ ହେବାକୁ ଥିବା ଏସୀୟ ସୁଟିଂ ଚାମ୍ପିଅନ୍‌ସିପ୍‌ରେ
    ବାଂଲାଦେଶର ଦୁଇ ଜଣ ସୁଟର୍ ଟଁଜିଲେ ଯିଏ କି ୨୧ ବର୍ଷୀୟା ଆରିଫିନ ସରିଆ ଓ ୨୬ ବର୍ଷୀୟ ଅଲିମ୍ପିଆନ୍‌ ମହମ୍ମଦ ରବିବୁଲ ଇସଲାମ୍ ସାମିଲ ହୋଇଛନ୍ତି | ଏହି ମଞ୍ଜୁରି ପାଇଁ ବାଂଲାଦେଶ ସରକାର ଯେ କାରଣ ଦେଖାଇଛି, ସେଥିରେ ସୁଟିଂ ପ୍ରତିଯୋଗିତା ବନ୍ଦ କବାଟ ଭିତରେ ଏବଂ ଗୋଟିଏ ସ୍ଥାନରେ ହେଉଥିବାରୁ ସୁରକ୍ଷା ବିପଦ ନାହିଁ |

    ତେବେ ପ୍ରଶ୍ନ ଉଠୁଛି ଯଦି ଭାରତ ସୁରକ୍ଷିତ ନୁହେଁ, ତେବେ ସୁଟର୍‌ମାନେ କିପରି ସୁରକ୍ଷିତ? କ୍ରିକେଟ୍‌ରେ ଭୟ, ସୁଟିଂରେ ସାହସ ଏହା କ’ଣ ରାଜନୈତିକ ଲାଭ ପାଇଁ ଖେଳାଯାଉଥିବା ଖେଳ ନୁହେଁ? କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଏହି ନିଷ୍ପତ୍ତିକୁ ନେଇ ଭାରି ଅସନ୍ତୋଷ ଦେଖାଯାଇଛି | ବାଂଲାଦେଶ ସରକାରର ଦୋମୁହାଁ ନୀତି ଏବେ ସମ୍ପୂର୍ଣ୍ଣ ପଦାରେ ପଡିଛି |

  • ଖଣ୍ଡଗିରି କୁମ୍ଭମେଳା ୨୦୨୬ ପ୍ଲାଷ୍ଟିକମୁକ୍ତ ଅଭିଯାନ ଆରମ୍ଭ

    ଖଣ୍ଡଗିରି କୁମ୍ଭମେଳା ୨୦୨୬ ପ୍ଲାଷ୍ଟିକମୁକ୍ତ ଅଭିଯାନ ଆରମ୍ଭ

    ଭୁବନେଶ୍ୱର ଖଣ୍ଡଗିରି କୁମ୍ଭମେଳା ୨୦୨୬କୁ ପ୍ଲାଷ୍ଟିକମୁକ୍ତ କରିବା ଲକ୍ଷ୍ୟରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଆନୁକୂଲ୍ୟରେ ହିନ୍ଦୁସ୍ତାନ କୋକାକୋଲା ଏବଂ ଓଡ଼ିଶା ଡେଭଲପ୍ମେଣ୍ଟ ମ୍ୟାନେଜମେଣ୍ଟ ପ୍ରୋଗ୍ରାମ (ଓଡ଼ିଏମପି)ର ମିଳିତ ଉଦ୍ୟମରେ “ବ୍ୟବହୃତ ପ୍ଲାଷ୍ଟିକ ବୋତଲମୁକ୍ତ ଖଣ୍ଡଗିରି ମେଳା” ଅଭିଯାନ କାର୍ଯ୍ୟକାରୀ କରାଯାଇଛି।

    ଏହି ଅଭିଯାନ ଅନ୍ତର୍ଗତ ୨୫ ଜାନୁଆରୀ ୨୦୨୬ ଠାରୁ ୭ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଖଣ୍ଡଗିରି କୁମ୍ଭମେଳା ପରିସରରେ ବ୍ୟବହୃତ ପ୍ଲାଷ୍ଟିକ ବୋତଲ ସଂଗ୍ରହ ପାଇଁ ୮୦ ଜଣ ସଫେଇ ସାଥିଙ୍କୁ ନିୟୋଜିତ କରାଯାଇଛି। ମେଳା ପରିସରକୁ ସ୍ୱଚ୍ଛ ଏବଂ ପରିବେଶ-ମୁ ହାଁ ରଖିବା ସହ ପ୍ଲାଷ୍ଟିକ ଦୂଷଣ କମେଇବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ।

    ଏହି ଅଭିଯାନର ଉଦ୍ଘାଟନ କରି ଭୁବନେଶ୍ୱର ମହାନଗର ନିଗମ କମିଶନର ଶ୍ରୀଯୁକ୍ତ ଚଞ୍ଚଳ ରଣା କହିଥିଲେ ଯେ, ମେଳାରୁ ସଂଗ୍ରହ କରାଯାଉଥିବା ବ୍ୟବହୃତ ପ୍ଲାଷ୍ଟିକ ବୋତଲକୁ ସଠିକ ଭାବେ ପୃଥକ କରି ପୁନଃଚକ୍ରଣ (ରିସାଇକ୍ଲିଂ) କରାଯିବା ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ସାଧାରଣ ଲୋକଙ୍କ ସହଯୋଗ ଓ ସଚେତନତା ଥିଲେ ଏପରି ବୃହତ୍ ଆୟୋଜନକୁ ପ୍ଲାଷ୍ଟିକମୁକ୍ତ କରିବା ସମ୍ଭବ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ କମିଶନର ଶ୍ରୀ ମିଶ୍ରି ରତ୍ନାକର ସାହୁ ଓ କେ.ସି. ଦାସ, ଜୋନାଲ କମିଶନର ଶ୍ରୀ ରାକେଶ ପତ୍ର, ହିନ୍ଦୁସ୍ତାନ କୋକାକୋଲା ପକ୍ଷରୁ ଶ୍ରୀଯୁକ୍ତ ମିଳନ ଲେଙ୍କା ଏବଂ ଓଡ଼ିଏମପିର ଆବାହକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ତ୍ରିପାଠୀ ଅତିଥି ଭାବେ ଯୋଗଦେଇ ସଫେଇ ସାଥି ଓ ସ୍ୱେଚ୍ଛାସେବୀଙ୍କୁ ଉତ୍ସାହିତ କରିଥିଲେ। ଏହି ସମଗ୍ର କାର୍ଯ୍ୟକ୍ରମକୁ ଓଡ଼ିଏମପିର ସଂଯୋଜକ ଶ୍ରୀ ଶିବାଶିଷ ମହାପାତ୍ରଙ୍କ ନେତୃତ୍ୱରେ ବିଷ୍ଣୁପ୍ରସାଦ ମିଶ୍ର, ନରେଶ କୁମାର ଦାସ, ଗଜଲ ରେୟାନ, ସରୋଜ ବେହେରା ଓ ରମାକାନ୍ତ ଚିନରା ପ୍ରମୁଖ ସଫଳ ଭାବେ ପରିଚାଳନା କରିଥିଲେ। ପ୍ଲାଷ୍ଟିକମୁକ୍ତ ଖଣ୍ଡଗିରି କୁମ୍ଭମେଳା ଅଭିଯାନ ମାଧ୍ୟମରେ ପରିବେଶ ସୁରକ୍ଷା ସହ ସ୍ୱଚ୍ଛ ଓ ସୁସ୍ଥ ମେଳା ଆୟୋଜନ ପାଇଁ ଏକ ସକାରାତ୍ମକ ସନ୍ଦେଶ ଯାଇଥିବା ନେଇ ସାଧାରଣ ମହଳରେ ପ୍ରଶଂସା ହେଉଛି।

  • ଏପ୍ରିଲରୁ ଓଡ଼ିଶାରେ ଜନଗଣନାର ପ୍ରଥମ ପର୍ଯ୍ୟାୟ

    ଏପ୍ରିଲରୁ ଓଡ଼ିଶାରେ ଜନଗଣନାର ପ୍ରଥମ ପର୍ଯ୍ୟାୟ

    ଦୀର୍ଘ ଦିନର ଅପେକ୍ଷା ପରେ ଓଡ଼ିଶାରେ ଜନଗଣନା କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି | ଆସନ୍ତା ଏପ୍ରିଲ୍ ମାସରୁ ରାଜ୍ୟରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି | ଏହି ଜନଗଣନା କାର୍ଯ୍ୟ ଦୁଇଟି ପର୍ଯ୍ୟାୟରେ ସମ୍ପନ୍ନ କରାଯିବ |

    ପ୍ରଥମ ପର୍ଯ୍ୟାୟରେ ୧୬ ଏପ୍ରିଲ୍ ରୁ ୧୫ ମେ’ ୨୦୨୬ ପର୍ଯ୍ୟନ୍ତ ୩୦ ଦିନ ମଧ୍ୟରେ ଘର ତାଲିକାକରଣ (House Listing) ଓ ଗୃହ ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯିବ | ଏହା ପୂର୍ବରୁ ୧ ଏପ୍ରିଲ୍ ରୁ ୧୫ ଏପ୍ରିଲ୍ ୨୦୨୬ ପର୍ଯ୍ୟନ୍ତ ୧୫ ଦିନର ଆତ୍ମଗଣନା (Self Enumeration) ବିକଳ୍ପ ରହିବ | ଦ୍ୱିତୀୟ ପର୍ଯ୍ୟାୟରେ ଫେବ୍ରୁଆରି ରୁ ମାର୍ଚ୍ଚ ୨୦୨୭ ମଧ୍ୟରେ ଜନସଂଖ୍ୟାଗତ ବିବରଣୀ ସହିତ ମୂଳ ଜନଗଣନା କରାଯିବ | ଏହି ପର୍ଯ୍ୟାୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜନାଙ୍କ, ସାମାଜିକ ଓ ଆର୍ଥିକ ଅବସ୍ଥା ସଂଗ୍ରହ କରାଯିବ|

    ଖବର ଅନୁଯାୟୀ , ୧ ଏପ୍ରିଲ୍ ରୁ ୩୦ ସେପ୍ଟେମ୍ବର ମଧ୍ୟରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗୃହ ତାଲିକାଭୁକ୍ତ କାର୍ଯ୍ୟ ସମ୍ପନ୍ନ କରାଯିବ। ଏହାର ୧୫ ଦିନ ପୂର୍ବରୁ ଆତ୍ମଗଣନା ପାଇଁ ବିକଳ୍ପ ମଧ୍ୟ ଦିଆଯିବ | ଏହି କାର୍ଯ୍ୟ ସଫଳ କରିବା ପାଇଁ ଓଡ଼ିଶାରେ ପ୍ରାୟ ଏକ ଲକ୍ଷ ଜନଗଣନା ଗଣନାକାରୀ ନିଯୁକ୍ତ ହେବେ | ଜଣେ ଗଣନାକାରୀଙ୍କୁ ପ୍ରାୟ ୨୦୦ ପରିବାର ଗଣନାର ଦାୟିତ୍ୱ ଦିଆଯିବ | ଛଅ ଜଣ ଗଣନାକାରୀଙ୍କ କାର୍ଯ୍ୟ ଉପରେ ଜଣେ ପର୍ଯ୍ୟବେକ୍ଷକ ନଜର ରଖିବେ | ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଗଣନାକାରୀଙ୍କୁ ସେମାନଙ୍କ ସେବା ପାଇଁ ୨୫ ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ଦେବାକୁ ନିଷ୍ପତ୍ତି ନିଆଯାଇଛି | ଜନଗଣନା ତଥ୍ୟ ଆଧାରରେ ରାଜ୍ୟ ଓ କେନ୍ଦ୍ର ସରକାର ଭବିଷ୍ୟତ ଯୋଜନା, ଉନ୍ନୟନ କାର୍ଯ୍ୟ ଓ ନୀତି ନିର୍ଣ୍ଣୟ କରିବାରେ ସହଜତା ପାଇବେ ବୋଲି ଆଶା କରାଯାଉଛି |

  • ଗଣତନ୍ତ୍ର ଦିବସରେ ଆମିଷ ବିକ୍ରି ବନ୍ଦ, ଜିଲାପ୍ରଶାସନ ପକ୍ଷରୁ କଟକଣା ଜାରି

    ଗଣତନ୍ତ୍ର ଦିବସରେ ଆମିଷ ବିକ୍ରି ବନ୍ଦ, ଜିଲାପ୍ରଶାସନ ପକ୍ଷରୁ କଟକଣା ଜାରି

    ସାଧାରଣତନ୍ତ୍ର ଦିବସ ପାଳନକୁ ଶାନ୍ତି, ଶୃଙ୍ଖଳା ଓ ମର୍ଯ୍ୟାଦାପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରାଯାଇଛି। ଆସନ୍ତା ଜାନୁଆରୀ ୨୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ୭୭ତମ ଗଣତନ୍ତ୍ର ଦିବସ ଅବସରରେ କୋରାପୁଟ ଜିଲ୍ଲାରେ ଆମିଷ ବିକ୍ରି ଉପରେ ଜିଲାପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି ।

    ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗଣତନ୍ତ୍ର ଦିବସ ଦିନ ସକାଳରୁ ରାତି ପର୍ଯ୍ୟନ୍ତ କୌଣସି ଆମିଷ ଦୋକାନ, ହୋଟେଲ, ରେଷ୍ଟୁରାଣ୍ଟ କିମ୍ବା ରାସ୍ତାକଡ଼ ଷ୍ଟଲରେ ଆମିଷ ବିକ୍ରି କରାଯିବ ନାହିଁ। ନିର୍ଦ୍ଦେଶ ଅମାନ୍ୟ କଲେ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି କଟକଣାକୁ ସଫଳ କରିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ କଡା ନଜର ରଖାଯିବ।

  • ଭାରତ ତିଆରି କରିବ ନିଜର ସ୍ପେସ୍ ଷ୍ଟେସନ୍, ୨୦୩୫ ସୁଦ୍ଧା ସମ୍ପୂର୍ଣ୍ଣ ହେବ ମହାକାଶ ପ୍ରକଳ୍ପ |

    ଭାରତ ତିଆରି କରିବ ନିଜର ସ୍ପେସ୍ ଷ୍ଟେସନ୍, ୨୦୩୫ ସୁଦ୍ଧା ସମ୍ପୂର୍ଣ୍ଣ ହେବ ମହାକାଶ ପ୍ରକଳ୍ପ |

    ଭାରତ ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଉ ଏକ ଐତିହାସିକ ଲମ୍ଫ ମାରିବାକୁ ପ୍ରସ୍ତୁତ ହେଉଛି | ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଓ ଭାରତୀୟ ମହାକାଶ ଷ୍ଟେସନ୍ (Indian Space Station) ତିଆରି ପାଇଁ ଆଗେଇ ଆସିଛି | ଏହା ISROର ସବୁଠାରୁ ଗୁରୁତ୍ୱପୂର୍ଣ ପ୍ରକଳ୍ପ ମଧ୍ୟରୁ ଗୋଟିଏ ବୋଲି ଜଣାଯାଉଛି |

    ଏହି ପ୍ରକଳ୍ପରେ ଭାରତୀୟ ଶିଳ୍ପ କ୍ଷେତ୍ରକୁ ସାମିଲ କରିବାକୁ ISRO ପକ୍ଷରୁ ପ୍ରସ୍ତାବ ଦିଆଯାଇଛି | ବିକ୍ରମ ସାରାଭାଇ ମହାକାଶ କେନ୍ଦ୍ର (VSSC) ଦ୍ୱାରା ଘରୋଇ କମ୍ପାନିମାନଙ୍କ ପାଇଁ ‘ଏକ୍ସପ୍ରେସନ୍ ଅଫ୍ ଇଣ୍ଟ୍ରେଷ୍ଟ’ (EOI) ଜାରି କରାଯାଇଛି | ଏହା ମାଧ୍ୟମରେ ମହାକାଶ ଷ୍ଟେସନର ପ୍ରଥମ ମଡ୍ୟୁଲ୍ BAS-01 ନିର୍ମାଣ ପାଇଁ ଯୋଗ୍ୟ କମ୍ପାନିମାନଙ୍କୁ ବଛାଯାଇଛି |

    ISRO ସ୍ପଷ୍ଟ କରିଛି ଯେ, ଏହି ମଡ୍ୟୁଲ୍‌ଗୁଡ଼ିକ ମଣିଷଙ୍କ ପାଇଁ ବାସଯୋଗ୍ୟ ହେବାରୁ ନିର୍ମାଣ କ୍ଷେତ୍ରରେ କଠୋର ମାନଦଣ୍ଡ ଲାଗୁ କରାଯାଇଛି | ପ୍ରତ୍ୟେକ ମଡ୍ୟୁଲ୍‌ର ବ୍ୟାସ ୩.୮ ମିଟର ଏବଂ ଉଚ୍ଚତା ୮ ମିଟର ହେବ | ଏହା ଉଚ୍ଚ-ଶକ୍ତି ଆଲୁମିନିୟମ୍ ମିଶ୍ରଧାତୁ AA-2219 ରେ ତିଆରି ହେବ | ତିଆରି କରିବା ସମୟରେ ୦.୫ ମିଲିମିଟର ଯଦି କିଛି ତ୍ରୁଟି ରହିଯାଏ ତେବେ ତାକୁ ଗ୍ରହଣ କରାଯିବ ନାହିଁ | ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ୨୦୨୮ରେ ଆରମ୍ଭ ହେବ ଏବଂ ସେହି ବର୍ଷ ମହାକାଶ ଷ୍ଟେସନର ପ୍ରଥମ ମଡ୍ୟୁଲ୍ BAS-01 ଲଞ୍ଚ କରାଯିବ | ସମ୍ପୂର୍ଣ୍ଣ ପ୍ରକଳ୍ପ ୨୦୩୫ ସୁଦ୍ଧା ଶେଷ କରାଯିବ | ଷ୍ଟେସନର ସମସ୍ତ ପାଞ୍ଚଟି ମଡ୍ୟୁଲ୍ ତିଆରି କରାଯାଇ ଏହାକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବ |

    ଭାରତୀୟ ମହାକାଶ ଷ୍ଟେସନକୁ ପୃଥିବୀରୁ ପ୍ରାୟ ୪୦୦ରୁ ୪୫୦ କିଲୋମିଟର ଉଚ୍ଚତାରେ ନିମ୍ନ ପୃଥିବୀ କକ୍ଷପଥରେ ଅବସ୍ଥାପିତ କରାଯିବ | ପ୍ରାଥମିକ ପର୍ଯ୍ୟାୟରେ ଏଠାରେ ୩ରୁ ୪ ଜଣ ମହାକାଶଚାରୀ ରହି ବିଭିନ୍ନ ବୈଜ୍ଞାନିକ ଗବେଷଣା ଓ ପରୀକ୍ଷଣ କରିପାରିବେ | ଏହି ପ୍ରକଳ୍ପ ଯଦି ସଠିକ ଭାବେ କାର୍ଯ୍ୟକରି ହୁଏ,ତେବେ ଭାରତ ନିଜସ୍ୱ ମହାକାଶ ଷ୍ଟେସନ ଥିବା କିଛି ବଛା ଦେଶମାନଙ୍କ ମଧ୍ୟରେ ସାମିଲ ହେବ ଏବଂ ମହାକାଶ ଶକ୍ତି ରୂପେ ଭାରତର ସ୍ଥାନ ଆହୁରି ମଜବୁତ ହୋଇଯିବ |