Category: ଅପରାଧ

  • ୧୧ ଦିନ ପରେ ମାଟିତଳୁ ମିଳିଛି ଶବ

    ୧୧ ଦିନ ପରେ ମାଟିତଳୁ ମିଳିଛି ଶବ

    ୧୧ ଦିନ ଧରି ନିଖୋଜ ଥିବା ଜଣେ ଯୁବକଙ୍କ ଶବ ମାଟିତଳେ ପୋତା ଅବସ୍ଥାରେ ଠାବ ହେବା ପରେ ସୁବର୍ଣ୍ଣପୁର ଜିଲ୍ଲାରେ ସନସନୀ ସୃଷ୍ଟି ହୋଇଛି। ମୃତ ଯୁବକ ହେଲେ ବିନିକା ଥାନା ଅନ୍ତର୍ଗତ ଗୁଲାପଡା ଗାଁର ପ୍ରକାଶ ମହାନ୍ତି।

    ସୂଚନା ଅନୁସାରେ, ପ୍ରକାଶ ମହାନ୍ତି ୧୧ ଦିନ ପୂର୍ବରୁ କିଛି ଲୋକଙ୍କ ସହ ବାହାରକୁ ଯାଇଥିଲେ । କିନ୍ତୁ ସେ ଆଉ ଘରକୁ ଫେରିନଥିଲେ। ଏନେଇ ତାଙ୍କ ସ୍ତ୍ରୀ ବନିତା ମହାନ୍ତି ବିନିକା ଥାନାରେ ନିଖୋଜ ଥିବା ଖବର ପାଇଁ ଏତଲା ଦେଇଥିଲେ। ତାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।

    ପୁଲିସ ତଦନ୍ତ ସମୟରେ ଗୁପ୍ତ ସୂଚନା ଆଧାରରେ, ଆଜି ସକାଳେ ଏକ ସ୍ଥାନରେ ଖୋଦନ କରାଯାଇଥିଲା। ସେଠାରୁ ପ୍ରକାଶଙ୍କ ଶବ ତାଙ୍କ ଘରଠୁ କିଛି ଦୂରରେ ଥିବା ଏକ ଜୋର ନିକଟରେ ମାଟିତଳେ ପୋତା ଅବସ୍ଥାରେ ମିଳିଥିଲା। ଶବ ଉଦ୍ଧାର ପରେ ଘଟଣାସ୍ଥଳରେ ଫରେନ୍ସିକ ଟିମ୍, ସନ୍ଧାନୀ କୁକର ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

    ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ପୁଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ପ୍ରକାଶଙ୍କୁ କିଏ, କେଉଁ କାରଣରୁ ହତ୍ୟା କଲା ଓ ମାଟିତଳେ ପୋତିଲା,ସେନେଇ ପୁଲିସ ତଦନ୍ତ ଜାରି ରହିଛି।

    ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ବେଳେ, ରିପୋର୍ଟ ପରେ ମୃତ୍ୟୁର ସଠିକ୍ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି। ଘଟଣା ପରେ ଗୁଲାପଡା ଗାଁରେ ଶୋକ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।

  • ସୁରକ୍ଷାବାହିନୀର ବଡ଼ ସଫଳତା: ୧ କୋଟି ପୁରସ୍କାର ମାଓ ନେତା ସହ ୪ ମାଓବାଦୀ ନିହତ

    ସୁରକ୍ଷାବାହିନୀର ବଡ଼ ସଫଳତା: ୧ କୋଟି ପୁରସ୍କାର ମାଓ ନେତା ସହ ୪ ମାଓବାଦୀ ନିହତ

    ଓଡ଼ିଶାର କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବାହିନୀକୁ ମିଳିଛି ବଡ଼ ସଫଳତା। ଚକାପାଦ ଥାନା ଅଞ୍ଚଳରେ ଚାଲିଥିବା ଏକ ଜଏଣ୍ଟ ଅପରେସନ୍ ସମୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁର୍ଦ୍ଦାନ୍ତ ଟପ୍ ମାଓ ନେତା ଗଣେଶ ଉଇକେ ସହ ମୋଟ ୪ ଜଣ ମାଓବାଦୀ ନିହତ ହୋଇଛନ୍ତି। ନିହତ ମାଓବାଦୀଙ୍କ ମଧ୍ୟରୁ ୨ ଜଣ ମହିଳା ଥିବା ସୂଚନା ମିଳିଛି।

    ସୁରକ୍ଷା ସୂତ୍ର ଅନୁଯାୟୀ, ୬୯ ବର୍ଷୀୟ ଗଣେଶ ଉଇକେ ମାଓବାଦୀ ସଂଗଠନର ସେଣ୍ଟ୍ରାଲ କମିଟିର ଆଗ ଧାଡ଼ିର ସଦସ୍ୟ ଥିଲା। ତାଙ୍କ ନାଁରେ ୧ କୋଟି ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ହୋଇଥିଲା। ଦୀର୍ଘ ଦିନ ଧରି ସେ ସୁରକ୍ଷା ବାହିନୀ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲେ।

    ମାଓବାଦୀ ଲୁଚି ରହିଥିବା ଗୁପ୍ତ ସୂଚନା ମିଳିବା ପରେ SOG, CRPF ଓ BSF ପକ୍ଷରୁ ଚକାପାଦ ଅଞ୍ଚଳରେ ବ୍ୟାପକ କମ୍ବିଂ ଅପରେସନ୍ ଆରମ୍ଭ କରାଯାଇଥିଲା। ଏହି ଅପରେସନ୍‌ରେ SOG–CRPF–BSFର ୨୩ଟି ମିଳିତ ଟିମ୍ ସାମିଲ ଥିଲେ।

    କମ୍ବିଂ ବେଳେ ମାଓବାଦୀମାନେ ସୁରକ୍ଷାବାହିନୀ ଉପରକୁ ଅନ୍ଧାଧୁନ ଗୁଳିଚାଳନା କରିଥିଲେ। ଏହାର ପ୍ରତିଉତ୍ତରରେ ସୁରକ୍ଷାକର୍ମୀମାନେ ପାଲଟା ଗୁଳିଚାଳନା କରିଥିଲେ। ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳିଯୁଦ୍ଧରେ ମାଓବାଦୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଥିବା ସୁରକ୍ଷା ବିଭାଗ କହିଛି।

    ଏହି ସଫଳ ଅପରେସନ୍ ପରେ କନ୍ଧମାଳ ସହ ସମଗ୍ର ଦକ୍ଷିଣ ଓଡ଼ିଶାରେ ମାଓବାଦୀ କାର୍ଯ୍ୟକଳାପକୁ ଏକ ବଡ଼ ଆଘାତ ଲାଗିଛି ବୋଲି ସୁରକ୍ଷା ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଅଞ୍ଚଳରେ ଏବେ ମଧ୍ୟ ସର୍ଚ୍ଚ ଅପରେସନ୍ ଜାରି ରହିଛି।

  • କମ୍ପ୍ୟୁଟର ପ୍ରାଧ୍ୟାପକଙ୍କୁ ଗୁଳି କରି ହତ୍ୟା

    କମ୍ପ୍ୟୁଟର ପ୍ରାଧ୍ୟାପକଙ୍କୁ ଗୁଳି କରି ହତ୍ୟା

    ଉତ୍ତରପ୍ରଦେଶର ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ (AMU) ପରିସରରେ ବୁଧବାର ରାତିରେ ଘଟିଛି ଚାଞ୍ଚଳ୍ୟକର ଗୁଳିକାଣ୍ଡ। ମୌଲାନା ଆଜାଦ ଲାଇବ୍ରେରି ନିକଟରେ କମ୍ପ୍ୟୁଟର ବିଭାଗର ପ୍ରାଧ୍ୟାପକ ରାଓ ଦାନିଶ ଅଲ୍ଲୀଙ୍କୁ ଗୁଳି କରି ନିର୍ମମ ଭାବେ ହତ୍ୟା କରାଯାଇଛି।

    ବୁଧବାର ରାତି ପ୍ରାୟ ୯ଟା ସମୟରେ ମୁଖା ପିନ୍ଧିଥିବା ଦୁଇ ଜଣ ବାଇକ୍ ଆରୋହୀ ଦାନିଶଙ୍କୁ ରାସ୍ତାରେ ଅଟକାଇ ଗୁଳି ଚଳାଇଥିଲେ। ସେ ସମୟରେ ଦାନିଶ ତାଙ୍କ ଦୁଇ ଜଣ ସାଙ୍ଗଙ୍କ ସହ ଠିଆ ହୋଇଥିଲେ। ଗୁଳିମାଡ଼ ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

    ଗୁରୁତର ଆହତ ଦାନିଶଙ୍କୁ ତୁରନ୍ତ ଜେଏନ ମେଡିକାଲ କଲେଜକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

    ଘଟଣା ପରେ AMU ପରିସରରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ବିଶ୍ୱବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥାକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି। ପୁଲିସ ସିସିଟିଭି ଫୁଟେଜ ଖୋଜାଖୋଜି କରୁଥିବା ବେଳେ ଫରେନସିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

    ଏସଏସପି ନୀରଜ ଜାଦୌନ କହିଛନ୍ତି ଯେ, ଅପରାଧୀମାନଙ୍କୁ ଶୀଘ୍ର ଗିରଫ କରାଯିବ। ଏହି ଘଟଣାକୁ ନେଇ ବିରୋଧୀ ଦଳ ସରକାରଙ୍କ ଆଇନ-ଶୃଙ୍ଖଳା ନୀତି ଉପରେ କଠୋର ପ୍ରଶ୍ନ ଉଠାଇଛନ୍ତି।

  • ବନ ବିଭାଗର ଥାର ଗାଡ଼ି କିଣାକୁ ନେଇ ବଡ଼ ଦୁର୍ନୀତି ସନ୍ଦେହ

    ବନ ବିଭାଗର ଥାର ଗାଡ଼ି କିଣାକୁ ନେଇ ବଡ଼ ଦୁର୍ନୀତି ସନ୍ଦେହ

    ଜଙ୍ଗଲ ବିଭାଗରେ ଥାର ଗାଡ଼ି କିଣା ଓ ମୋଡିଫିକେସନକୁ ନେଇ ବଡ଼ ଦୁର୍ନୀତି ହୋଇଥିବା ସନ୍ଦେହ ଦିନକୁ ଦିନ ଗଭୀର ହେଉଛି। ବିଧାନସଭାରେ ଥାର ଗାଡ଼ି ମୋଡିଫିକେସନରେ ୫ କୋଟି ଟଙ୍କାରୁ ଅଧିକ ଅତିରିକ୍ତ ଖର୍ଚ୍ଚ ନେଇ ପ୍ରଶ୍ନ ଉଠିବା ପରେ ସରକାରୀ ସ୍ତରରେ ହଟଚମଟ ଆରମ୍ଭ ହୋଇଛି। ଏହି ସମ୍ପୂର୍ଣ୍ଣ ଘଟଣାର ସ୍ୱତନ୍ତ୍ର ଅଡିଟ୍‌ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

    ସୂଚନାମୁତାବକ, ଜଙ୍ଗଲ ଅଞ୍ଚଳରେ ପେଟ୍ରୋଲିଂ କରିବା ଉଦ୍ଦେଶ୍ୟରେ ବନ ବିଭାଗ ୫୧ଟି ଥାର ଗାଡ଼ି କିଣିଛି। ଏହି ୫୧ଟି ଗାଡ଼ି କିଣିବା ପାଇଁ ପ୍ରାୟ ୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ, ମୋଡିଫିକେସନ ନାଁରେ ଆଉ ୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ଜଣାପଡିଛି। ଏହାଫଳରେ ଗୋଟିଏ ଗାଡ଼ି ପାଇଁ ସର୍ବମୋଟ ୨୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଯାଇଛି।

    ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଏହି ବିଷୟରେ ଉତ୍ତର ରଖିବା ପରେ ଦୁର୍ନୀତିର ଗନ୍ଧ ବାରି ହୋଇଥିଲା। ମନ୍ତ୍ରୀ କହିଥିଲେ, ଜଙ୍ଗଲ ଅଞ୍ଚଳରେ ରାତିରେ ପେଟ୍ରୋଲିଂ ପାଇଁ ଗାଡ଼ିରେ ବଡ଼ ଲାଇଟ, ବମ୍ଫର ମୋଡିଫିକେସନ ସହ ଅନ୍ୟାନ୍ୟ ସୁବିଧା ଯୋଡାଯାଇଛି। ତେବେ ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ ହୋଇଥିଲେ ତଦନ୍ତ କରାଯିବ ଏବଂ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

    ଏହି ମଧ୍ୟରେ ବନ୍ୟପ୍ରାଣୀ ବିଭାଗ ପିସିସିଏଫ୍‌ଙ୍କ କାର୍ଯ୍ୟାଳୟରେ ଥାର ଗାଡ଼ି କିଣା ଓ ମୋଡିଫିକେସନ ସମ୍ପର୍କିତ ସମସ୍ତ ଖର୍ଚ୍ଚର ସ୍ୱତନ୍ତ୍ର ଅଡିଟ୍‌ କରିବାକୁ ଆକାଉଣ୍ଟାଣ୍ଟ ଜେନେରାଲଙ୍କୁ ଅତିରିକ୍ତ ସଚିବ ଚିଠି ଲେଖିଛନ୍ତି।

    ଅଟୋମୋବାଇଲ ବିଶେଷଜ୍ଞଙ୍କ ମତାନୁସାରେ, ଏଭଳି ପେଟ୍ରୋଲିଂ ମୋଡିଫିକେସନ କଲେ ସର୍ବାଧିକ ସାଢେ ୩ରୁ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇପାରେ। ତେଣୁ ୧୦ ଲକ୍ଷ ଟଙ୍କା ପ୍ରତି ଗାଡ଼ି ମୋଡିଫିକେସନ ଦାବି ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି।

    ଏହି ଅଡିଟ୍‌ ରିପୋର୍ଟ ପରେ ବନ ବିଭାଗର ଥାର ଗାଡ଼ି କିଣା ମାମଲାରେ ଦୁର୍ନୀତିର ସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

  • ଅନୁଗୁଳରେ ଆଇନ-ଶୃଙ୍ଖଳାକୁ ଚାଲେଞ୍ଜ, ପୁଲିସ ଅଧିକାରୀଙ୍କ ଉପରେ ହତ୍ୟା ଉଦ୍ୟମ

    ଅନୁଗୁଳରେ ଆଇନ-ଶୃଙ୍ଖଳାକୁ ଚାଲେଞ୍ଜ, ପୁଲିସ ଅଧିକାରୀଙ୍କ ଉପରେ ହତ୍ୟା ଉଦ୍ୟମ

    ଅନୁଗୁଳ ଜିଲ୍ଲାରେ ଆଇନ-ଶୃଙ୍ଖଳାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି ଏକ ଚାଞ୍ଚଳ୍ୟକର ଘଟଣା। ଗତ ୧୮ ତାରିଖ ରାତିରେ ଅନୁଗୁଳ ସାଇବର ଥାନା ଅଧିକାରୀ ଇନ୍ସପେକ୍ଟର ଖଲେଶ୍ୱର ସେଠୀଙ୍କ ଉପରେ ହତ୍ୟା ଉଦ୍ୟମ ହୋଇଥିବା ଅଭିଯୋଗ ଆସିଛି। ଏହି ଘଟଣାକୁ ନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

    ସୂଚନା ଅନୁଯାୟୀ, ଇନ୍ସପେକ୍ଟର ଖଲେଶ୍ୱର ସେଠୀ ଗତ ୧୮ ତାରିଖ ରାତି ପ୍ରାୟ ସାଢେ ୧୧ଟା ସମୟରେ ଡ୍ୟୁଟି ସାରି ଥାନାରୁ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ବୁଢ଼ୀ ଠାକୁରାଣୀ ଛକ ନିକଟରେ ହଠାତ୍‌ ଏକ ବସ୍‌ ତାଙ୍କ ଦିଗକୁ ଦ୍ରୁତ ଗତିରେ ଆସିଥିଲା। ଡ୍ରାଇଭର୍‌ ତାଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ତେବେ ଇନ୍ସପେକ୍ଟର ସେଠୀ ସଚେତନ ହୋଇ ରାସ୍ତା କଡ଼କୁ ଚାଲିଯିବାରୁ ଅଳ୍ପକେ ଜୀବନରକ୍ଷା ପାଇଥିଲେ।

    ଘଟଣା ପରେ ବସ୍‌ରୁ ଡ୍ରାଇଭର୍‌ ସହ ଅନ୍ୟ ଦୁଇ ଜଣ ସହଯୋଗୀ ଓହ୍ଲାଇ ତାଙ୍କୁ ଗାଳିଗୁଲଜ କରିବା ସହ ଜାତିକୁ ନେଇ ଆକ୍ଷେପ କରିଥିବା ଅଭିଯୋଗ ମଧ୍ୟ ହୋଇଛି। ଏହା ପରେ ଇନ୍ସପେକ୍ଟର ସେଠୀ ତୁରନ୍ତ ଅନୁଗୁଳ ଥାନାକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ପୁଲିସ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା।

    ଏହି ଘଟଣାକୁ ନେଇ ପୁଲିସ ଥାନାରେ ଏତଲା ଦାଖଲ ହେବା ପରେ ଏକ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତମାନଙ୍କ ପରିଚୟ ଓ ଘଟଣାର ପୃଷ୍ଠଭୂମି ଖୋଜିବା ପାଇଁ ପୁଲିସ ତଦନ୍ତ ଜୋରଦାର କରିଛି।

  • ପୁଣି ଝୁଣି ଖାଇଲେ ମଣିଷ ରୁପି ରାକ୍ଷସ,ଧଉଳି ପରେ ସହିଦନଗରରେ ସମାନ ଘଟଣା

    ପୁଣି ଝୁଣି ଖାଇଲେ ମଣିଷ ରୁପି ରାକ୍ଷସ,ଧଉଳି ପରେ ସହିଦନଗରରେ ସମାନ ଘଟଣା

    ରାଜଧାନୀ ଭୁବନେଶ୍ୱର ପୁଣି ଏକ ଲଜ୍ଜାଜନକ ଘଟଣାରେ କମ୍ପି ଉଠିଛି। ଲିଙ୍ଗିପୁର ଦୟା ନଦୀପଠା ଘଟଣାର ଆଘାତ ସରିନଥିବାବେଳେ ସହିଦନଗର ଅଞ୍ଚଳରୁ ଆସିଥିବା ଗଣଦୁଷ୍କର୍ମ ଅଭିଯୋଗ ରାଜଧାନୀର ସୁରକ୍ଷା ବ୍ୟବସ୍ଥାକୁ ପୁଣି ପ୍ରଶ୍ନବିଦ୍ଧ କରିଛି। ଚାକିରି ଦେବା ନାମରେ ଜଣେ ନାବାଳିକାଙ୍କୁ ଭୁବନେଶ୍ୱରକୁ ଡାକି ଅମାନବୀୟ କାଣ୍ଡ ଘଟାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି।

    ସୂଚନା ଅନୁଯାୟୀ, ପୀଡ଼ିତା ଜଣେ ଅଭିଯୁକ୍ତଙ୍କୁ ପୂର୍ବରୁ ଜାଣିଥିଲେ। ସେ ଡାଟା ଏଣ୍ଟ୍ରି ଅପରେଟର ଚାକିରି କରାଇଦେବାର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଭୁବନେଶ୍ୱର ଡାକିଥିଲା। ଗତ ୧୮ ତାରିଖରେ ସହିଦନଗର ଅଞ୍ଚଳରେ ଥିବା ଏକ ଭଡ଼ାଘରକୁ ନେଇ ତାଙ୍କ ସହ ଗଣଦୁଷ୍କର୍ମ କରାଯାଇଥିବା ନେଇ ପୀଡ଼ିତା ଅଭିଯୋଗ କରିଛନ୍ତି।

    ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତମାନେ ଚାକିରି ଦେବାର ଆଶା ଦେଖାଇ ନାବାଳିକାଙ୍କୁ ଫାନ୍ଦରେ ପକାଇଥିଲେ। ଘଟଣା ପରେ ପୀଡ଼ିତା କୌଶଳକ୍ରମେ ସେଠାରୁ ପଳାଇ ଆସି ସହିଦନଗର ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ସହିଦନଗର ଥାନାର ପୋଲିସ ତତ୍ପରତା ପ୍ରଦର୍ଶନ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

    ପୋଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରିଛି ଏବଂ ମାମଲାର ସମସ୍ତ ଦିଗକୁ ଗଭୀର ଭାବେ ତଦନ୍ତ କରାଯାଉଛି। ରାଜଧାନୀରେ ପୁଣି ଏପରି ଘଟଣା ଘଟିବା ସାଧାରଣ ଲୋକଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ସୃଷ୍ଟି କରିଛି। ନାବାଳିକାଙ୍କ ସୁରକ୍ଷା ଓ ଚାକିରି ଲୋଭ ଦେଖାଇ, ହେଉଥିବା ଅପରାଧ ଉପରେ କଠୋର ପଦକ୍ଷେପ ନେବାକୁ ସମସ୍ତ ମହଲରୁ ଦାବି ହେଉଛି।

  • ଘର ଭଡା ଦେବା ପଡିଲା ମହାଙ୍ଗା, ମାଲିକାଣୀଙ୍କ ଜୀବନ ନେଲେ ଭଡ଼ାଟିଆ

    ଘର ଭଡା ଦେବା ପଡିଲା ମହାଙ୍ଗା, ମାଲିକାଣୀଙ୍କ ଜୀବନ ନେଲେ ଭଡ଼ାଟିଆ

    ଭଡ଼ା ଟଙ୍କା ମାଗିବାକୁ ଯାଇଥିଲେ ଯେ ଭଡ଼ାଟିଆଙ୍କ ହାତରେ ମାଲିକାଣୀଙ୍କ ଜୀବନ ଗଲା । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ପୁରା ସତ । ଉତ୍ତର ପ୍ରଦେଶର ଗାଜିଆବାଦ ଜିଲ୍ଲାରୁ ଆସିଛି ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ନନ୍ଦଗ୍ରାମ ପୋଲିସ ଷ୍ଟେସନ ଅଞ୍ଚଳର ରାଜନଗର ଏକ୍ସଟେନସନ ସ୍ଥିତ ପଶ ଔରା କାଇମେରା ସୋସାଇଟିରେ ହୋଇଛି ହତ୍ୟାକାଣ୍ଡ । ଭଡା ବିବାଦକୁ ନେଇ ଜଣେ ଘର ମାଲିକାଣୀଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି । ଆଉ ମହିଳାଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ଏକ ସୁଟକେସରେ ଭର୍ତ୍ତି କରି ଖଟ ତଳେ ଲୁଚାଇ ଦେଇଥିଲେ ଅଭିଯୁକ୍ତ ।

    ଔରା କାଇମେରା ସୋସାଇଟିର ଏମ୍-୧୦୫ ନିବାସୀ ଉମେଶ ଶର୍ମାଙ୍କ ପତ୍ନୀ ଦୀପଶିଖା ଶର୍ମା ହୋଇଛନ୍ତି ହତ୍ୟାର ଶିକାର । ପୋଲିସ କହିବା ଅନୁଯାୟୀ, ଦୀପଶିଖା ଶର୍ମାଙ୍କ ଫ୍ଲାଟରେ ଅଜୟ ଗୁପ୍ତା ଏବଂ ଆକ୍ରିତି ଗୁପ୍ତା ନାମକ ଏକ ଦମ୍ପତି ଭଡାଟିଆ ଭାବରେ ରହୁଥିଲେ । ବକେୟା ଭଡାକୁ ନେଇ ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଚାଲିଥିଲା । ଆଉ ଏହି ବିବାଦ ଯେ ଦୀପଶିଖାଙ୍କ ଜୀବନ ନେଇଯିବ କେହି କେବେ କଳ୍ପନା କରି ନଥିଲେ । ଦୀପଶିଖା ଭଡ଼ାଟିଆଙ୍କ ଠାରୁ ଭଡ଼ା ଟଙ୍କା ଆଣିବାକୁ ଯାଇଥିଲେ । କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନଫେରିବାରୁ ଘରେ ରହୁଥିବା ଚାକରାଣୀର ସନ୍ଦେହ ବଢ଼ିଥିଲା । ଦୀପଶିଖାଙ୍କୁ ଖୋଜି ଖୋଜି ଭଡ଼ାଟିଆଙ୍କ ଘରେ ପହଞ୍ଚିଥିଲେ ସେ । ଯେଉଁଠାରେ ଦୀପଶିଖା ଶର୍ମାଙ୍କ ମୃତଦେହ ଏକ ଲାଲ ସୁଟକେସରୁ ମିଳିଥିଲା ।

    ଡିସେମ୍ବର ୧୭ ତାରିଖ ରାତି ପ୍ରାୟ ୧୧.୧୫ ସମୟରେ ନନ୍ଦଗ୍ରାମ ପୋଲିସ ଷ୍ଟେସନକୁ ଔରା କାଇମେରା ସୋସାଇଟିରେ ମହିଳାଙ୍କ ହତ୍ୟା ନେଇ ଖବର ଆସିଥିଲା । ସୂଚନା ପାଇ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ସୋସାଇଟିର ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା, ଯେଉଁଥିରେ ଦୀପଶିଖା ଶର୍ମା ସନ୍ଧ୍ୟାରେ ଫ୍ଲାଟ ଆଡକୁ ଚାଲି ଚାଲି ଯାଉଥିଲେ କିନ୍ତୁ ଆଉ ଫେରି ନଥିଲେ । ଏହା ପରେ ଭଡାଟିଆ ଦମ୍ପତିଙ୍କ ଉପରେ ସନ୍ଦେହ ଆହୁରି ବଢ଼ିଥିଲା ।

  • ନକଲି ସିମ୍ ଲିଙ୍କ, ଓଡିଶାରେ ଦିଲ୍ଲୀ ପୋଲିସ

    ନକଲି ସିମ୍ ଲିଙ୍କ, ଓଡିଶାରେ ଦିଲ୍ଲୀ ପୋଲିସ

    ନକଲି ସିମ୍ କାର୍ଡ କାରବାର ନେଇ ଓଡ଼ିଶାରେ ଦିଲ୍ଲୀ ପୋଲିସର ଚଢାଉ । ଏହାପରେ ଦିଲ୍ଲୀ ପୋଲିସ ତରଫରୁ ଜୋରସରରେ ଖୋଳତାଡ ଆରମ୍ଭ କରାଯାଇଥିଲା ।

    ରିପୋର୍ଟ ଅନୁଯାୟୀ, ଦିଲ୍ଲୀର ଶାହିନବାଗ ପୋଲିସ ଷ୍ଟେସନ ତରଫରୁ ଏକ ଦଳ ଯାଜପୁର ଏବଂ ପଡ଼ୋଶୀ ଭଦ୍ରକ ଜିଲ୍ଲାର ମଞ୍ଜୁରୀ ରୋଡ ବଜାରରେ ଚଢାଉ କରିଥିଲା। ଚଢାଉ ସମୟରେ, ସିମ କାର୍ଡର ଅବୈଧ ବିକ୍ରୟ କରୁଥିବା ଦୁଇ ଜଣ ମୋବାଇଲ ଫୋନ୍ ଦୋକାନର ମାଲିକଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଥିଲା।

    ଅଟକ ବ୍ୟକ୍ତିମାନେ ହେଲେ ମଞ୍ଜୁରୀ ରୋଡ୍ ବଜାରରେ ଏକ ମୋବାଇଲ୍ ଦୋକାନ ଚଳାଉଥିବା ସନ୍ତୋଷ ଖଣ୍ଡେଇ ଏବଂ ତାରାଗୋ ଅଞ୍ଚଳର ମହେଶ୍ୱର ପୁଣ୍ଟିଆ। ଉଭୟଙ୍କୁ ଭଦ୍ରକ ଅଣାଯାଇ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା, ପରେ ସେମାନଙ୍କୁ ଅଧିକ ପଚରାଉଚରା ପାଇଁ ଦିଲ୍ଲୀ ପୋଲିସ ରିମାଣ୍ଡରେ ନେଇଥିଲା।

    ଅଭିଯୁକ୍ତ ଦୁଇଜଣ ନୂତନ ସିମ୍ କିଣିବା ପାଇଁ ସେମାନଙ୍କ ଦୋକାନକୁ ଆସୁଥିବା ଗ୍ରାହକଙ୍କ ଆଧାରର ଡକ୍ୟୁମେଣ୍ଟ ବ୍ୟବହାର କରି ଏକାଧିକ ସିମ୍ କାର୍ଡ ଆକ୍ଟିଭ କରାଉଥିଲା । ପ୍ରକୃତ ଗ୍ରାହକଙ୍କୁ କେବଳ ଗୋଟିଏ ସିମ୍ କାର୍ଡ ହସ୍ତାନ୍ତର କରାଯାଇ, ଗ୍ରାହକଙ୍କ ଅଜାଣତରେ ଅନ୍ୟ ସିମ୍ କାର୍ଡଗୁଡିକୁ ଆକ୍ଟିଭ ରଖାଯାଉଥିଲା। ଏହି ଅତିରିକ୍ତ ସିମ୍ କାର୍ଡଗୁଡ଼ିକୁ ପରେ ବେଆଇନ ଭାବରେ ବିକ୍ରି କରାଯାଉଥିଲା।

    ଅଭିଯୁକ୍ତମାନେ ଯାଜପୁରର କୋରେଇ ଅଞ୍ଚଳର ଅନେକ ବେକାର ଯୁବକଙ୍କୁ ସେମାନଙ୍କ ଦୋକାନରୁ ସିମ୍ କାର୍ଡ କିଣିବା ପାଇଁ ପ୍ରଲୋଭିତ କରିଥିଲେ। ସେମାନେ ଏହି ଯୁବକମାନଙ୍କୁ ପ୍ରତି ସିମ୍ କାର୍ଡ ପାଇଁ ୨୦୦୦ ରୁ ୩୦୦୦ ଟଙ୍କାରେ ଦେଉଥିଲେ । ଅତିରିକ୍ତ ଆକ୍ଟିଭ ସିମ୍ କାର୍ଡଗୁଡ଼ିକୁ ପରେ ଅଧିକ ମୂଲ୍ୟରେ ବେନାମୀ ବ୍ୟକ୍ତିମାନଙ୍କୁ ବିକ୍ରି କରାଯାଇଥିଲା।

    ବେଆଇନ ଭାବରେ ବିକ୍ରି ହୋଇଥିବା ସିମ୍ କାର୍ଡଗୁଡ଼ିକୁ ଅପରାଧିକ କାର୍ଯ୍ୟକଳାପ ପାଇଁ ବ୍ୟବହାର କରାଯାଉଥିଲା ବୋଲି ଅଭିଯୋଗ ହୋଇଛି । ଦିଲ୍ଲୀର ଶାହିନବାଗ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି। ସନ୍ତୋଷ ଖଣ୍ଡେଇଙ୍କଠାରୁ ଅଭିଯୁକ୍ତମାନେ ବିକ୍ରି କରିଥିବା ଅନେକ ଅବୈଧ ସିମ୍ କାର୍ଡ ଜବତ କରାଯାଇଛି । ତଦନ୍ତକାରୀମାନେ ଦୁଇ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ବଡ଼ ଧରଣର ଆର୍ଥିକ କାରବାର ହେବାର ପାଇଛନ୍ତି। ପୋଲିସ ଏବେ ଅନ୍ୟ ଲିଙ୍କଗୁଡ଼ିକୁ ଚିହ୍ନଟ କରିବା ଏବଂ ଏହି ଘଟଣାରେ ଅନ୍ୟ କେଉଁମାନେ ସଂପୃକ୍ତ ଅଛନ୍ତି ସେନେଇ ଏବେ ଯାଞ୍ଚ କରାଯାଉଛି।

  • ୫୮ଟି କମ୍ପାନୀ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ସିବିଆଇ

    ୫୮ଟି କମ୍ପାନୀ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ସିବିଆଇ

    ଦେଶର ହଜାର ହଜାର ଲୋକଙ୍କୁ ଅନଲାଇନ୍ ନିବେଶ, ଋଣ ଏବଂ ଚାକିରି ପ୍ରତିଶ୍ରୁତି ଦେଇ ଠକିଥିବା ଏକ ପ୍ରମୁଖ ଆନ୍ତର୍ଜାତୀୟ ସାଇବର ଠକେଇ ନେଟୱାର୍କର ପର୍ଦ୍ଦାଫାସ ହୋଇଛି। ସିବିଆଇ ତଦନ୍ତରୁ ଜଣାପଡିଛି ଯେ ଏହି ନେଟୱାର୍କ ମାଧ୍ୟମରେ ₹୧,୦୦୦ କୋଟିରୁ ଅଧିକ ଟଙ୍କା ଧଳା କରାଯାଇଥିଲା, ଯାହାକୁ ବିଦେଶରୁ ନିୟନ୍ତ୍ରିତ କରାଯାଉଥିଲା। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଏକ ବଡ଼ ଏବଂ ସଂଗଠିତ ଆନ୍ତଃରାଷ୍ଟ୍ରୀୟ ସାଇବର ଠକେଇ ନେଟୱାର୍କର ପର୍ଦ୍ଦାଫାସ କରିଛି ଏବଂ ଚାରି ବିଦେଶୀ ନାଗରିକଙ୍କ ସମେତ ୧୭ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିଛି। ତଦନ୍ତକାରୀ ସଂସ୍ଥା ୫୮ଟି କମ୍ପାନୀ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତଦନ୍ତରୁ ଜଣାପଡିଛି ଯେ ଏହି ସାଇବର ନେଟୱାର୍କ ମାଧ୍ୟମରେ ଦେଶ ଭିତରେ ଏବଂ ବିଦେଶରେ ୧୦୦୦ କୋଟି ଟଙ୍କାରୁ ଅଧିକ ଅବୈଧ ଟଙ୍କା ଧଳା କରାଯାଇଥିଲା।

  • କ୍ଲବ କିଙ୍ଗ ରୁ ମୋଷ୍ଟୱାଣ୍ଟେଡ ଲୁଥ୍ରାବ୍ରଦର୍ଶ

    କ୍ଲବ କିଙ୍ଗ ରୁ ମୋଷ୍ଟୱାଣ୍ଟେଡ ଲୁଥ୍ରାବ୍ରଦର୍ଶ

    ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ପରେ ଦେଶ ଛାଡି ପଳାୟନ କରିଥିବା ଅଭିଯୁକ୍ତ ଲୁଥ୍ରାବ୍ରଦର୍ଶ ଥାଇଲ୍ୟାଣ୍ଡରେ ଅଟକ ରଖାଯାଇଛି । ନାଇଟ କ୍ଲବ କିଙ୍ଗ ରୁ ମୋଷ୍ଟୱାଣ୍ଟେଡ ଲୁଥ୍ରାବ୍ରଦର୍ଶ । ଡିସେମ୍ବର ୬ ତାରିଖରେ ଗୋଆର ଏକ ନାଇଟ୍ କ୍ଲବରେ ଅଗ୍ନିକାଣ୍ଡ ଯୋଗୁଁ ୨୫ ଜଣଙ୍କର ମୃତ୍ୟୁ ହୋଇଥିଲା, ତାହା ପରେ କ୍ଲବ ମାଲିକ ଥାଇଲ୍ୟାଣ୍ଡ ପଳାଇ ଯାଇଥିଲେ ।

    ଗୋଆର ବିର୍ଚ ନାମକ ଏକ ନାଇଟ୍ କ୍ଲବର ମାଲିକ ଲୁଥ୍ରାବ୍ରଦର୍ଶଙ୍କ କ୍ଲବରେ ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିଲା | ଯାଞ୍ଚ ରୁ ଜଣା ପଡିଲା ଯେ ଯେଉଁ କ୍ଲବ ରେ ଅଗ୍ନିକାଣ୍ଡ ହୋଇଥିଲା ତାହା ସୌରଭ ଲୁଥ୍ରା ଆଉ ଗୌରବ ଲୁଥ୍ରାଙ୍କର । ଅଗ୍ନିକାଣ୍ଡର କିଛି ସମୟ ପରେ ଦିଲ୍ଲୀ ଏୟାରପୋର୍ଟ ରୁ ଫ୍ଲାଇଟ ଧରି ଦେଶ ଛାଡି ଚାଲି ଯାଇଥିଲେ ।

    ରିପୋର୍ଟ ଅନୁଯାଇ ଲୁଥ୍ରାବ୍ରଦର୍ଶ ବିର୍ଚ ଭଳି ମାମାସ ବ୍ୟୟ ଭଳି ବ୍ରାଣ୍ଡ ଲଞ୍ଚ କରିଥିଲେ । ୪ ଟି ଦେଶ ଆଉ ୨୨ ଟି ସହରରେ ନିଜର କ୍ଲବର ବ୍ୟବସାୟ ଥିଲା । ବହୁତ ମାଗାଜିନ ରେ ତାଙ୍କ ବ୍ୟବସାୟ ପ୍ରଶଂସା କରାଯାଇଥିଲା । ଦିଲ୍ଲୀ ନୋଇଡା ଗୁରୁଗ୍ରାମ ଗୋଆ ଭୋପାଲ ଡେରାଡୁନ ଇନ୍ଦୋର ରେ ନିଜର ବ୍ୟବସାୟ ଥିଲା ତାସହ ଆଗ୍ରା ମଥୁରା ପାଟଣା ସମେତ ଅନ୍ୟ ରାଜ୍ୟ ଗୁଡିକରେ ବ୍ୟବସାୟ ଆରମ୍ଭ କରିବାର ଯୋଜନା ଥିଲା ।

    ବହୁତ ଗଣମାଧ୍ୟମ ଖବର ଅନୁଯାୟୀ, ଇଣ୍ଟରପୋଲ୍ ଲୁଥ୍ରା ଭାଇମାନଙ୍କ ବିରୁଦ୍ଧରେ ଏକ ବ୍ଲୁ କର୍ଣ୍ଣର ନୋଟିସ୍ ଜାରି କରିଥିଲା, ଯାହା ପରେ ସେମାନଙ୍କ ଅଟକର ଖବର ପ୍ରକାଶ ପାଇଥିଲା। ଏହା ପୂର୍ବରୁ, ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଲୁଥ୍ରା ଭାଇମାନଙ୍କ ପାସପୋର୍ଟକୁ ସ୍ଥଗିତ କରିଥିଲା। ବୁଧବାର (ଡିସେମ୍ବର ୧୦, ୨୦୨୫) ସେମାନଙ୍କର ଟ୍ରାଞ୍ଜିଟ୍ ଆଣ୍ଟିସିପେଟୋରୀ ଜାମିନ ଆବେଦନର ଶୁଣାଣି ସମୟରେ, ଲୁଥ୍ରା ଭାଇମାନଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲ ସେମାନଙ୍କ ପଳାୟନ ଅଭିଯୋଗକୁ ଅସ୍ୱୀକାର କରି କହିଥିଲେ ଯେ ସେମାନେ ଏକ ବ୍ୟବସାୟିକ ବୈଠକ ପାଇଁ ଥାଇଲ୍ୟାଣ୍ଡ ଯାଇଥିଲେ। ଓକିଲ କହିଥିଲେ ଯେ ତାଙ୍କର କୌଣସି ଦାୟିତ୍ୱ ନାହିଁ, ପରୋକ୍ଷ ଭାବରେ ମଧ୍ୟ ନୁହେଁ। ଲୁଥ୍ରା ଭାଇମାନଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲ କହିଥିଲେ, “ମୋର ଅନ୍ୟ ରେଷ୍ଟୁରାଣ୍ଟଗୁଡ଼ିକୁ ଭାଙ୍ଗି ଦିଆଯାଇଛି। କର୍ତ୍ତୃପକ୍ଷ ଏବଂ ଗଣମାଧ୍ୟମ ମଧ୍ୟ ମୋ ପଛରେ ପଡିଯାଇଛନ୍ତି ।”